ଅକ୍ସିଜେନର ପ୍ରସ୍ତୁତି-ବଣ୍ଟନ-ପରିବହନ କ୍ଷେତ୍ରରେ ‘ଏସମା’ ଲାଗୁ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଲିକୁଇଡ୍ ମେଡିକାଲ୍ ଅକ୍ସିଜେନର ପ୍ରସ୍ତୁତି, ବଣ୍ଟନ ଓ ପରିବହନ କ୍ଷେତ୍ରରେ ଏସମା ଲାଗୁ କରିଛନ୍ତି ରାଜ୍ୟ ସରକାର। ବୁଧବାରଠାରୁ ଆସନ୍ତା ୬ ମାସ ଲାଗି ଏସମା ଲାଗୁ କରାଯାଇଛି। ଏନେଇ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ମଧ୍ୟ ଜାରି କରାଯାଇଛି। କରୋନା ସ୍ଥିତିରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଲିକୁଇଡ୍ ମେଡିକାଲ୍ ଅକ୍ସିଜେନର ନିର୍ବିଘ୍ନରେ ଉତ୍ପାଦନ, ବଣ୍ଟନ ଓ ପରିବହନ ପାଇଁ ଏହି ଏସମା ଲାଗୁ କରାଯାଇଛି।

ସମଗ୍ର ଦେଶରେ କରୋନା ସଂକ୍ରମଣ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଓ ଅକ୍ସିଜେନ୍ ଅଭାବକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏହି ଅକ୍ସିଜେନ୍ ସେବା ସହ ଜଡ଼ିତ ବ୍ୟକ୍ତିମାନେ କୌଣସି ପରିସ୍ଥିତିରେ ବି ଧାରଣା ଅବା କାର୍ଯ୍ୟବନ୍ଦ ଭଳି ଆନ୍ଦୋଳନ କରିପାରିବେ ନାହିଁ। ଆଜି ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶ ଅନୁସାରେ, କୋଭିଡ୍ ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟରେ ଅକ୍ସିଜେନ୍ ଉତ୍ପାଦନ, ଫିଲିଙ୍ଗ, ପରିବହନ ଓ ଯୋଗାଣକୁ ଓଡ଼ିଶା ଅତ୍ୟାବଶ୍ୟକ ସେବା ଆଇନ-୧୯୮୮ ଏବଂ ଓଡ଼ିଶା ଅତ୍ୟାବଶ୍ୟକ ସେବା ସଂଶୋଧନ ଆଇନ-୨୦୨୦ ପରିସରଭୁକ୍ତ କରାଯାଇଛି।

କୋଭିଡ୍ ମହାମାରୀ ସମୟରେ ସାଧାରଣ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର ଏହି ଅକ୍ସିଜେନ୍ ସେବା ସହ ଜଡ଼ିତ ଲୋକମାନଙ୍କର ଧାରଣା ଓ କାର୍ଯ୍ୟବନ୍ଦ ଆନ୍ଦୋଳନ ଉପରେ ପ୍ରତିବନ୍ଧକ ଲାଗୁ କରିଛନ୍ତି। ଏହି ନିର୍ଦ୍ଦେଶକୁ ଉଲ୍ଲଘଂନ କଲେ ଏସମା ଆଇନ ଅନୁସାରେ ସମ୍ପୃକ୍ତ ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ପ୍ରାବଧାନ ରହିଛି।

ଅନ୍ୟପଟେ ରାଜ୍ୟରେ ଅକ୍ସିଜେନ୍ ଅଭାବକୁ ଦୂର କରିବା ନିମନ୍ତେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକ ଓଡ଼ିଶାରେ ୭ଟି ଅକ୍ସିଜେନ୍ ପ୍ଲାଣ୍ଟ ସ୍ଥାପନ କରିବେ। ଏଥିପାଇଁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିର୍ଦ୍ଦେଶ ଦେଇଛନ୍ତି। ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ନିର୍ଦ୍ଦେଶରେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକ ରାଜ୍ୟର ୭ଟି ସ୍ଥାନରେ ଅକ୍ସିଜେନ୍ ପ୍ଲାଣ୍ଟ ନିର୍ମାଣ କରିବେ। ଏହି ଅକ୍ସିଜେନ୍ ପ୍ଲାଣ୍ଟ ନିର୍ମାଣ ଦ୍ୱାରା ଓଡ଼ିଶା ତଥା ପଡ଼ୋଶୀ ରାଜ୍ୟଗୁଡ଼ିକ ମଧ୍ୟ ଉପକୃତ ହୋଇପାରିବେ।

ସମ୍ବଲପୁର,ବରଗଡ଼ ଓ ପୁରୀ ଜିଲ୍ଲା ମୁଖ୍ୟ ହସ୍ପିଟାଲଗୁଡ଼ିକରେ ଇଣ୍ଡିଆନ ଅଏଲ କର୍ପୋରେସନ୍ ଦ୍ୱାରା ଅକ୍ସିଜେନ୍ ପ୍ଲାଣ୍ଟ ସ୍ଥାପନ ହେବାର ଥିବାବେଳେ ଖୋର୍ଦ୍ଧା ଓ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ୍ ଏବଂ ନୂଆପଡ଼ା ଜିଲ୍ଲା ମୁଖ୍ୟ ହସ୍ପିଟାଲ ଓ ରାଉରକେଲା ସରକାରୀ ମେଡିକାଲରେ ପେଟ୍ରୋନେଟ୍ ଏଲଏନଜି ଲିଃ(ପିଏଲଏଲ) ଦ୍ୱାରା ଅକ୍ସିଜେନ୍ ପ୍ଲାଣ୍ଟ ସ୍ଥାପନ ହେବ।

You might also like