ଆଲୋଚନା ପାଇଁ RDCଙ୍କ କାର୍ଯ୍ୟାଳୟରେ ପହଞ୍ଚିଲେ ବିଜେପି ପ୍ରତିନିଧି ଦଳ

ସମ୍ବଲପୁର: ସମ୍ବଲପୁରରେ ମଣ୍ଡି ଅବ୍ୟବସ୍ଥାକୁ ନେଇ ବିଜେପିର ବିକ୍ଷୋଭ ପ୍ରସଙ୍ଗ ଆଲୋଚନା ପାଇଁ ଆଜି ଆର୍‌ଇସିଙ୍କ କାର୍ଯ୍ୟାଳୟରେ ପହଞ୍ଚିଛି ବିଜେପି ପ୍ରତିନିଧି ଦଳ। ସାଂସଦ ସୁରେଶ ପୂଜାରୀ, ବିଧାୟକ ଜୟନାରାୟଣ ମିଶ୍ର ଆର୍‌ଡିସିଙ୍କ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ବିଧାୟକ ନାଉରୀ ନାଏକ, କେଭି ସିଂଦେଓ ଓ ରବି ନାଏକ ମଧ୍ୟ ପହଞ୍ଚି ଆଲୋଚନା ଆରମ୍ଭ କରିଛନ୍ତି। SMC (ସମ୍ବଲପୁର ମ୍ୟୁନିସିପାଲଟି କର୍‌ପୋରେସନ) କମିଶନର, ADM ଥାନାକୁ ଆସି ଆଲୋଚନା କରିବା ପରେ ବିଜେପି ଟିମ୍ ଆର୍‌ଡିସିଙ୍କୁ ଭେଟିବାକୁ ଯାଇଛି।

ଧାନ କିଣା ପ୍ରସଙ୍ଗକୁ ନେଇ ବିଜେପି ଏହି ପ୍ରମୁଖ ନେତା ଓ କର୍ମୀମାନେ ସମ୍ବଲପୁର ଟାଉନଥାନାରେ ଧାରଣା ଦେଇଥିଲେ। ମଣ୍ଡିରୁ ଧାନ ଉଠିଲେ, ଆମେ ଥାନାରୁ ଉଠିବୁ ବୋଲି ନାରା ଦେଇଛନ୍ତି ବିଜେପି କର୍ମୀ। ଏହି ଜିଦ୍‌ରେ ଗତକାଲିଠାରୁ ଥାନା ପରିସରରେ ସମସ୍ତେ ଧାରଣାରେ ବସିଥିଲେ।

ରାଜ୍ୟରେ ଦେଖା ଦେଇଥିବା ଧାନ କିଣା ସମସ୍ୟାକୁ ନେଇ ବିଜେପି ଆନ୍ଦୋଳନ କରୁଛି। ଟୋକନ୍ ଅବ୍ୟବସ୍ଥା, ଧାନକିଣାରେ କଟ୍‌ନୀ ଛଟ୍‌ନୀ, ବଳକା ଧାନକୁ ନେଇ ଆନ୍ଦୋଳନ ଚଳାଇଛନ୍ତି ବିଜେପି ନେତା ଓ କର୍ମୀ।  ଗତକାଲି ଏହି ପ୍ରସଙ୍ଗକୁ ନେଇ ବିଜେପି ନେତା ଓ କର୍ମୀ ବିଶାଳ ସମାବେଶ କରିବା ପରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ଆର୍‌ଡିସି ଅଫିସ୍ ଘେରାଉ ବେଳେ ଏମାନଙ୍କୁ ଗିରଫ କରାଯାଇଥିଲା।

ତେବେ ଆଜି ସକାଳୁ ଥାନା ପରିସରରେ କିଛି ସମୟ ପାଇଁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା।ପୋଲିସ୍ ସହ ବିଜେପି କର୍ମୀଙ୍କ ଧସ୍ତିଧସ୍ତି ହୋଇଥିଲା। ଏହା ପରେ ସମ୍ବଲପୁର ଟାଉନ୍ ଥାନା ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ଅନ୍ୟପଟେ ରାତିସାରା ଥାନାରେ ପଡ଼ି ରହିବାକୁ ନେଇ ବିଜେପିକୁ ସମାଲୋଚନା କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। କେନ୍ଦ୍ରରେ ବିଜେପି ନେତୃତ୍ୱାଧିନ ସରକାର ରହିଛି। ଏଫ୍‌ସିଆଇ ଜରିଆରେ ଧାନ କିଣିବାର ସମସ୍ତ କ୍ଷମତା କେନ୍ଦ୍ର ସରକାରଙ୍କର ରହିଛି। ତାହା ନ କରି ଥାନାରେ ଧାରଣା ଦେଲେ କ’ଣ ହେବ ବୋଲି ନରସିଂହ କହିଛନ୍ତି। ନିଜ କର୍ତ୍ତବ୍ୟ ନ କରି ବିଜେପି ଥାନାରେ କାହିଁକି ବସିଛି ବୋଲି ପ୍ରଶ୍ନ କରିଛନ୍ତି ନରସିଂହ।

ସେହିପରି ବିଜେଡି ମଧ୍ୟ ବିଜେପିର ଧାରଣାକୁ ସମାଲୋଚନା କରିଛି। ଦିଲ୍ଲୀରେ ଚାଲିଥିବା ଚାଷୀ ଆନ୍ଦୋଳନରୁ ନଜର ହଟାଇବା ଓ ଦଲାଲମାନଙ୍କୁ ଖୁସି କରିବା ଲାଗି ବିଜେପି ଏପରି କରୁଛି ବୋଲି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି।

You might also like