କରୋନା ଭୟରେ ଶବକୁ କାନ୍ଧ ଦେଲେନି ସାହିଭାଇ; ଶେଷରେ ଏମିତି କଲେ ଭାଇ-ଭଉଣୀ

ଗଞ୍ଜାମ: କରୋନା ଭୟରେ ଶବକୁ କାନ୍ଧ ଦେଲେନି ସାହିଭାଇ। ପ୍ରଶାସନ ଗାତ ଖୋଳିଲା, ଆଉ ଶବକୁ ଭିଡ଼ିଭିଡ଼ି ନେଇ ପୋତିଲେ ମୃତକଙ୍କ ଭାଇ-ଭଉଣୀ। ଏଭଳି ଉଦ୍‌ବେଗଜନକ ଘଟଣାର ଫଟୋ ଓ ଭିଡିଓ ଭାଇରାଲ୍ ହେଉଥିବା ବେଳେ, ଏହା ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଗୌରୀଶଙ୍କର ରୋଡ୍ ଅଞ୍ଚଳର ବୋଲି କୁହାଯାଉଛି।

ସୂଚନା ଅନୁସାରେ, ଗୌରୀଶଙ୍କର ରୋଡ୍‌ରେ ଭଡ଼ା ଘରେ ରହୁଥିବା ଜଣେ ଯୁବକ ଗତ ୧୦ ଦିନ ଧରି ଜ୍ୱରରେ ପୀଡ଼ିତ ଥିଲେ। ତେବେ ଚିକିତ୍ସା ପାଇଁ ଆମ୍ବୁଲାନ୍ସରେ ହସ୍ପିଟାଲ୍ ନେବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ଫଳରେ ମୃତଦେହକୁ ଘରକୁ ଫେରାଇ ଆଣିଥିଲେ ଆମ୍ବୁଲାନ୍ସ କର୍ମଚାରୀ। ହେଲେ କରୋନା ଭୟରେ ଶବକୁ କାନ୍ଧ ଦେବାକୁ ସାହିଭାଇ କେହି ବାହାରି ନଥିଲେ।

ଫଳରେ ମୃତଦେହକୁ ସେଇ ଆମ୍ବୁଲାନ୍ସରେ ପାଖ ଶ୍ମଶାନକୁ ନିଆଯାଇଥିଲା। ଖବର ପାଇ ସ୍ଥାନୀୟ ପ୍ରଶାସନ ଜେସିବି ସହାୟତାରେ ଶ୍ମଶାନରେ ଏକ ଗାତ ଖୋଳାଇଥିଲା ଏବଂ ମୃତକଙ୍କ ଭାଇ ଓ ଭଉଣୀ ଶବକୁ ଭିଡ଼ି ଭିଡ଼ି ସେଇ ଗାତରେ ପୋତି ଦେଇଥିଲେ। ତେବେ ଏନେଇ କାହାରି ପ୍ରତିକ୍ରିୟା ମିଳିପାରିନାହିଁ।

You might also like