୪୦ ଡିଗ୍ରୀ ଆଡ଼କୁ ମୁହାଁଇଲାଣି ପାରଦ, ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆସିଲା SRCଙ୍କ ଗାଇଡ୍‌ଲାଇନ୍

ଭୁବନେଶ୍ୱର: ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ଗ୍ରୀଷ୍ମ ପ୍ରବାହ ଜନିତ ଅସୁସ୍ଥତା ସଂପର୍କରେ ଲୋକଙ୍କୁ ସଚେତନ କରିବାକୁ ଉଲ୍ଲେଖ ରହିଛି। ସଚେତନତା କାର୍ଯ୍ୟରେ ସାମାଜିକ ସଂସ୍ଥାକୁ ସାମିଲ ଲାଗି ପରାମର୍ଶ ଦେଇଛନ୍ତି। ସେହିପରି ଜଳାଭାବ ସମ୍ଭାବନା ଥିବା ସ୍ଥାନ ଗୁଡ଼ିକୁ ଚିହ୍ନଟ ଲାଗି ଚିଠିରେ ପରାମର୍ଶ ଦିଆଯାଇଛି। ଟ୍ୟୁବ୍‌ୱେଲ ଓ ପାଇପ୍ ଲାଇନ୍‌ର ମରାମତି ଉପରେ ଚିଠିରେ ଗୁରୁତ୍ୱ ଦିଆଯାଇଛି।

କେନାଲରେ ଆବଶ୍ୟକ ଜଳ ଛାଡ଼ିବାକୁ ଜଳସଂପଦ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ସର୍ବସାଧାରଣ ସ୍ଥାନରେ ପାନୀୟ ଜଳସେବା କେନ୍ଦ୍ର ଖୋଲିବାକୁ ପରାମର୍ଶ ଦିଆଯାଇଛି। ସେପଟେ ଚଳିତବର୍ଷ ଖରାଦିନେ ମଧ୍ୟ ସ୍କୁଲ ଓ କଲେଜ ଖୋଲା ରହିପାରେ। କୋଭିଡ୍ ଯୋଗୁଁ ଶିକ୍ଷାରେ ଉପୁଜିଥିବା କ୍ଷତି ଭରଣା ଲାଗି ଖୋଲା ରହିପାରେ। ସେଥିପାଇଁ ଶିକ୍ଷାନୁଷ୍ଠାନରେ ଜଳ ବ୍ୟବସ୍ଥା ଉପରେ ଦୃଷ୍ଟି ଦେବାକୁ ଚିଠିରେ ଉଲ୍ଲେଖ ରହିଛି।

ଫେବ୍ରୁଆରି ସରିନି, ହେଲେ ପାରଦ ୪୦ ଡିଗ୍ରୀ ସେଲସିୟସ ଆଡ଼କୁ ମୁହାଁଇଲାଣି। ଆଜି ଭୁବନେଶ୍ୱରର ତାପମାତ୍ରା ୩୮ ଡିଗ୍ରୀ ପାର୍ କରିଛି। ଗତକାଲି ରାଜଧାନୀରେ ତାପମାତ୍ରା ୩୭ ଦଶମିକ ୧ ଡିଗ୍ରୀ ଥିଲା। ଲଗାତର ଦୁଇ ଦିନ ହେଲା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭୁବନେଶ୍ୱର ପାଲଟିଛି।  ପ୍ରବଳ ଗରମ ଆରମ୍ଭ ହୋଇସାରିଛି। ଖୁବ ଶୀଘ୍ର ପାରଦ ୪୦ ଡିଗ୍ରୀ ସେଣ୍ଟିଗ୍ରେଡ୍ ଛୁଇଁବା ଆଶଙ୍କା ରହିଛି। ଆଗରୁ ମଧ୍ୟ ଫେବ୍ରୁଆରିରେ ରାଜଧାନୀର ପାରଦ ୪୦ ଡିଗ୍ରୀ ସେଣ୍ଟିଗ୍ରେଡ୍ ପାର୍ କରିଥିଲା।

୧୯୬୩ ଫେବ୍ରୁଆରି ୨୩ ତାରିଖରେ ଭୁବନେଶ୍ୱରର ପାରଦ ୪୨.୭ ଡିଗ୍ରୀ ସେଲସିଅସ୍ ରହିଥିବା ବେଳେ ୨୦୧୨ରେ ୪୦.୧, ୨୦୧୬ରେ ୪୦.୯, ୨୦୧୯ରେ ୩୯.୪ ଡିଗ୍ରୀ ସେଣ୍ଟିଗ୍ରେଡ୍ ରହିଥିଲା ରାଜଧାନୀର ଫେବ୍ରୁଆରିରେ ସର୍ବୋଚ୍ଚ ତାପମାତ୍ରା। ସେପଟେ ପାଣିପାଗ ବିଭାଗ ଆକଳନ କରିଛି, ମାର୍ଚ୍ଚ ପହିଲାରୁ ତାତି ଆହୁରି ବଢ଼ିବ। ଏପରିକି ପାରଦ ୪୦ ଡିଗ୍ରୀ ସେଣ୍ଟିଗ୍ରେଡ ଅତିକ୍ରମ କରିପାରେ।

ତାତି ସହିତ ଗୁଳୁଗୁଳି ମଧ୍ୟ ବଢ଼ିବ। ଏପରିକି ରାଜ୍ୟର ଅଧାରୁ ଅଧିକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିବାର ଆକଳନ କରିଛନ୍ତି ବିଶେଷଜ୍ଞ। ଏବେ ବାୟୁମଣ୍ଡଳରେ ଜଳୀୟବାଷ୍ପର ମାତ୍ରା କମ୍ ଥିବାରୁ ଓ ସାମୁଦ୍ରିକ ବାୟୁର ପ୍ରଭାବ ନ ଥିବାରୁ ସେତେଟା ଗରମ ହେଉନି। ତେବେ ମାର୍ଚ୍ଚରୁ ଏପ୍ରିଲ ୧୫ ଯାଏଁ ଖୋର୍ଦ୍ଧା, ନୟାଗଡ଼, ଝାରସୁଗୁଡ଼ା, ଅନୁଗୁଳ, ବଲାଙ୍ଗିର, କଳାହାଣ୍ଡି ପରି ଜିଲ୍ଲାରେ ଅଧିକ ତାତି ରହିବାର ସମ୍ଭାବନା ରହିଛି।

ଆଜିର ଦିନରେ ସବୁଠୁ ଅଧିକ ତାପମାତ୍ର ଥିଲା ୩୮ ଡିଗ୍ରୀ ସେଲସିୟସ। ଏହା ପୂର୍ବରୁ ମଧ୍ୟ ତାପମାତ୍ରା ୩୭ ଡିଗ୍ରୀ ଉପରେ ରହିଥିଲା। ଗତ ୨୩ ଫେବୃଆରୀରେ ୩୯.୪ ଡିଗ୍ରୀ ତାପମାତ୍ରା ରହିଥିଲା। ୧୯୬୩ ଫେବ୍ରୁଆରି ୨୩ ତାରିଖରେ ଭୁବନେଶ୍ୱରର ପାରଦ ୪୨.୭ ଡିଗ୍ରୀ ସେଲସିଅସ୍ ରହିଥିଲା, ଯାହା ଭୁବନେଶ୍ୱର ରେକର୍ଡ ତାପମାତ୍ରା ଥିଲା। ଆଜି ମଧ୍ୟ ଓଡ଼ିଶାର ୯ଟି ଜିଲ୍ଲାରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଥିଲା।

-ଉମାଶଙ୍କର ଦାଶ, ପାଣିପାଗ ବିଶେଷଜ୍ଞ

  • ୩୮ ଡିଗ୍ରୀ ତାପମାତ୍ରା ସହ ଭୁବନେଶ୍ୱର ସବୁଠୁ ଉତ୍ତପ୍ତ ସହର।
  • ବାରିପଦା- ୩୬.୮, କଟକ- ୩୬.୬, ନୟାଗଡ଼- ୩୬.୫ ଡିଗ୍ରୀ।
  • ବଲାଙ୍ଗିର- ୩୬.୪, ଅନୁଗୁଳ- ୩୫.୭, ସମ୍ବଲପୁରରେ ୩୫.୩ ଡିଗ୍ରୀ।
  • ତାଳଚେର ଓ ଭବାନୀପାଟଣାରେ ତାପମାତ୍ରା ୩୫.୫ ଡିଗ୍ରୀ।
You might also like