୨୪ ଘଣ୍ଟାରେ ଆରମ୍ଭ ହେବ ବର୍ଷା; ଏପଟେ ବଜ୍ରପାତରେ ଗଲା ୫ ଜୀବନ

ଭୁବନେଶ୍ୱର: ଧୀରେଧୀରେ ଓଡ଼ିଶା ଅଭିମୁଖେ ଅଗ୍ରସର ହେଉଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଅର୍ଥାତ ୧୨ ତାରିଖ ସୁଦ୍ଧା ମୌସୁମୀ ବର୍ଷାରେ ଭିଜିବ ସାରା ଓଡ଼ିଶା। ଭୁବନେଶ୍ୱର ପାଣିପାଗ ଗବେଷଣା କେନ୍ଦ୍ର ଏହି ଆକଳନ କରିଛି। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ରହିଥିବା ଲଘୁଚାପ ପ୍ରଭାବରେ ମୌସୁମୀ ୧୨ ତାରିଖ ସୁଦ୍ଧା ଓଡ଼ିଶା ପହଞ୍ଚିପାରେ ବୋଲି ପାଣିପାଗ ବିଭାଗ କହିଛି।

ମୌସୁମୀ ଆସିବା ପୂର୍ବରୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଏବଂ ଉତ୍ତର ଓଡ଼ିଶାରେ ବର୍ଷା ହେବ ମାଲକାନଗିରି, କୋରାପୁଟ ଏବଂ ରାୟଗଡ଼ା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାବେଳେ ଗଜପତି, ଗଞ୍ଜାମ, କଳାହାଣ୍ଡି, ନବରଙ୍ଗପୁର, କନ୍ଧମାଳ ଏବଂ ବୌଦ୍ଧ ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର।

ସେହିପରି ଉପକୂଳ ଓଡ଼ିଶା ଏବଂ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ଘଡ଼ଘଡ଼ି ସହ କାଳବୈଶାଖୀ ବର୍ଷାର ବି ସମ୍ଭାବନା ରହିଛି। ଏପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଆହତ ହୋଇଛନ୍ତି। ଢେଙ୍କାନାଳ କଙ୍କଡ଼ାହାଡ଼ ଥାନା କରଡ଼ାପାଳ ଗାଁରେ ୨ ମହିଳା ଧାନ ପେଷିବାକୁ ଯାଉଥିବାବେଳେ ବଜ୍ରାଘାତରେ ଉଭୟଙ୍କ ମୃତ୍ୟୁ ହୋଇଛି।

ସେହିପରି ରାୟଗଡ଼ା ଜିଲ୍ଲା ଗୁଣପୁର ଘଣାତ୍ରୀରେ ସ୍ତ୍ରୀ ମୃତ, ସ୍ୱାମୀ ଓ ପୁଅ ଗୁରୁତର ହୋଇଛନ୍ତି। ପାଟଣାଗଡ଼ ରେଣ୍ଟାସିଲ୍ ଗାଁରେ ମଧ୍ୟ ବଜ୍ରପାତରେ ଜଣେ ବ୍ୟକ୍ତିଙ୍କର ଜୀବନ ଯାଇଛି। ବାରିପଦା ସାରସକଣା ବ୍ଲକ କୁଆଁରଡିହି ଗାଁ ନିକଟ ବିଲରେ କାମ କରୁଥିବା ବେଳେ ବଜ୍ରପାତ ହେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୫ ଜଣ ଆହତ ହୋଇଛନ୍ତି।

 

You might also like