ଆଜି ଶ୍ରାବଣର ପ୍ରଥମ ସୋମବାର, ମହାଦେବଙ୍କୁ ଏମିତି ପୂଜା କଲେ ପୂର୍ଣ୍ଣ ହୁଏ ମନସ୍କାମନା

ଭୁବନେଶ୍ୱର: ଆଜି ଶ୍ରାବଣ ମାସର ପ୍ରଥମ ସୋମବାର। ଶିବ ମନ୍ଦିରରେ ଲାଗିଛି ଭକ୍ତଙ୍କ ଭିଡ଼। ଶ୍ରାବଣ ମାସ ସୋମବାରରେ ଦେବ ଦେବ ମହାଦେବଙ୍କୁ କରାଯାଏ ଜଳାଭିଷେକ। ତେଣୁ ମନ୍ଦିରରେ ସାଧାରଣ ଲୋକଙ୍କ ସହ କାଉଡ଼ିଆମାନଙ୍କର ବେଶି  ଭିଡ଼ ଜମିଛି।

ଶ୍ରାବଣ ସୋମବାରରେ ଜଳାଭିଷେକ କାହିଁକି ?

ଶ୍ରାବଣ ମାସରେ ଜଳାଭିଷେକ କାହିଁକି ?  ବିଶ୍ୱାସ ରହିଛି, ଶ୍ରାବଣ ସୋମବାରରେ ମହାଦେବଙ୍କୁ ଜଳାଭିଷେକ କଲେ ତଥା ବ୍ରତ ରଖିଲେ ମନସ୍କାମନା ଶୀଘ୍ର ପୂରଣ ହୋଇଥାଏ। ମହିଳାମାନେ ଏହି ସୋମବାରରେ ବ୍ରତ ରଖିଥାନ୍ତି। ବ୍ରତ ରଖିଲେ ସ୍ୱାମୀ  ଦୀର୍ଘାୟୁ ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି। ସେହିପରି ଅବିବାହିତ ଝିଅମାନେ ମନପସନ୍ଦ ଜୀବନସାଥୀ ପାଇବା ପାଇଁ ଏହି ବ୍ରତ ପାଳିଥାନ୍ତି।

ପୌରାଣିକ ତଥ୍ୟ ଅନୁସାରେ ଶ୍ରାବଣ ମାସରେ ଶିବଲିଙ୍ଗ ଉପରେ ଜଳ ଢାଳିଲେ ବିଶେଷ କୃପା ଲାଭ ହୋଇଥାଏ। ଏଥିପାଇଁ ପ୍ରଥମେ ଜଳ, ଦୁଧ, ଦହି, ଘିଅ, ଚିନି ସହିତ ଗଙ୍ଗାଜଳ ଏବଂ ଆଖୁ ରସରେ ମହାଦେବଙ୍କ ଅଭିଷେକ କରାଯାଇଥାଏ। ଏହାପରେ ବେଲପତ୍ର, ନୀଳ କମଳ, ସମୀପତ୍ର, ଦୁବ, କୁଶ, ପଦ୍ମଫୁଲ ସହ ସୋରିଷ ଚଢାଯାଇଥାଏ। ଏହା ବ୍ୟତୀତ ଦୁର୍ଦୁରା ଫୁଲ, ଭାଙ୍ଗ ଏବଂ ନଡ଼ିଆ ମଧ୍ୟ ଚଢଉ କରିବାର ବିଧାନ ରହିଛି। ତା ପରେ ମହାଦେବଙ୍କର ଆଳତି କରାଯାଇଥାଏ। ଏହି ଦିନ ଶିବଙ୍କ ସହ ମା’ ପାର୍ବତୀ ଏବଂ ନନ୍ଦୀଙ୍କୁ ମଧ୍ୟ ପୂଜା କରାଯାଏ।

ଶ୍ରାବଣ ମାସରେ କ’ଣ ଖାଇବା ଉଚିତ୍‌ ନୁହେଁ

ଶ୍ରାବଣ ମାସରେ କେତେକ ଖାଦ୍ୟକୁ ବାରଣ କରାଯାଇଛି। ବିଶ୍ୱାସ ରହିଛି, ବ୍ରତଧାରୀମାନେ ଏହାକୁ ଖାଇଲେ ଭଗବାନ ଶିବଙ୍କ ପୂଜା ସମ୍ପୂର୍ଣ୍ଣ ହେବନାହିଁ। ହେଲେ ଏହା ପଛରେ ବୈଜ୍ଞାନିକ କାରଣ ମଧ୍ୟ ରହିଛି।

ଏହି ମାସରେ ଶାଗ ଜାତୀୟ ଖାଦ୍ୟ ବାରଣ କରାଯାଇଛି। କାରଣ ବର୍ଷା ଦିନରେ ପତ୍ରରେ ପୋକ ଲାଗିବାର ଆଶଙ୍କା ଥାଏ। ସେହିପରି ଦୁଗ୍ଧଜାତୀୟ ଦ୍ରବ୍ୟକୁ ବର୍ଜନ କରିବା ପାଇଁ କୁହାଯାଇଛି।  ଦୁଗ୍ଧ ଜାତୀୟ ଦ୍ରବ୍ୟ ଯେମିତି ଦୁଧ, ଦହି ଇତ୍ୟାଦି ଶିବଙ୍କୁ ଅର୍ପଣ କରାଯିବ କିନ୍ତୁ ସେବନ କରିବ ନାହିଁ। ଏସବୁ ଖାଦ୍ୟ ବର୍ଷା ଦିନରେ ଖାଇଲେ ବାତ ଦୋଷ ଦେଖା ଦେଇଥାଏ ବୋଲି କୁହାଯାଏ । ଶ୍ରାବଣମାସରେ ବ୍ରତଧାରୀମାନେ ବାଇଗଣ ଖାଇବାକୁ ମନା କରାଯାଇଛି। ଏହାର ପୌରାଣିକ କାରଣ ଯାହା ଥାଉ ନା କାହିଁକି, ବୈଜ୍ଞାନିକ ଦୃଷ୍ଟିକୋଣରୁ ଦେଖିଲେ ବର୍ଷାଦିନେ ବାଇଗଣରେ ଅଧିକ ପୋକ ଦେଖାଦେଇଥାଏ।

You might also like