ପଡି ପଡି ଖତ ଖାଉଛି ବସ୍ : ଦୁର୍ଦ୍ଦଶାରେ ମାଲିକ ଓ କର୍ମଚାରୀ

ଭୁବନେଶ୍ୱର : କରୋନା ସଂକ୍ରମଣ ମାନବ ମେରୁଦଣ୍ଡକୁ ଭାଙ୍ଗିଦେଇଛି। କରୋନା ମାଡରେ ଘାଇଲା ହୋଇ ବିଭିନ୍ନ କ୍ଷେତ୍ରରେ ବେଉସା ବୁଡିବାକୁ ବସିଲାଣି। ସଂକ୍ରମଣ ରୋକିବାକୁ ସରକାର ବିଭିନ୍ନ କ୍ଷେତ୍ରରେ କଟକଣା ଜାରି କରିଛନ୍ତି। ଯାତାୟତରେ କଟକଣା ଲଗାଯାଇଥିବାରୁ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ବସ୍ ପରିବହନ କ୍ଷେତ୍ର । ବସ୍ ଚାଲୁ ନ ଥିବାରୁ ମାଲିକଙ୍କ ଅବସ୍ଥା ତ ଖରାପ, କର୍ମଚାରୀଙ୍କ ଦୁର୍ଦ୍ଦଶା ବି କିଛି କମ୍ ନୁହେଁ। ଏଭଳି ସ୍ଥିତିରେ ପୁନରୁଦ୍ଧାର ପାଇଁ ବସ୍ ମାଲିକ ସଂଘ ଦାବି କରିଛି।

କଟକଣା କାରଣରୁ  ଯାତାୟତ ଠପ୍ ହୋଇଯାଇଥିବାରୁ ବସ୍‌ଗୁଡିକ ରହି ରହି ଟାୟାରରୁ ହାୱା ଉଡିଗଲାଣି, ପଡି ପଡି ଚକରେ ଗଛ ଲତା ମାଡି ଗଲାଣି। ଆଉ ବସ୍ ଭିତରର୍ କଳ କବ୍ଜାର ଅବସ୍ଥା କ’ଣ ହୋଇଥିବ ଏଥିରୁ ଆପଣ ସ୍ପଷ୍ଟ ଅନୁମାନ କରିପାରୁଥିବେ। ମାସ ମାସ ଧରି ରାଜ୍ୟର ବିଭିନ୍ନ ଡିପୋରେ ବସ୍‌ଗୁଡିକ ଏମିତି ଅବସ୍ଥାରେ ପଡିରହିଥିବା ବେଳେ ବସ୍ ବେପାର ବନ୍ଦ ହୋଇଯାଇଥିବା ଦୁଃଖ ଓ ଦୁର୍ଦ୍ଦଶା ଭିତରକୁ ଠେଲି ହୋଇଯାଇଛି ବସ୍ ମାଲିକଙ୍କଠାରୁ ଆରମ୍ଭ କରି କର୍ମଚାରୀଙ୍କ ଅବସ୍ଥା।

ବସ୍ ଚଳାଚଳ ବନ୍ଦ ହୋଇଯାଇଥିବାରୁ ଇଏମାଆଇ ଦେଇପାରୁ ନ ଥିବା କହିଛନ୍ତି ବସ୍ ମାଲିକ ତୁଷାରକାନ୍ତ ଆଚାର୍ଯ୍ୟ । ସେ ଆହୁରି ମଧ୍ୟ କହିଛନ୍ତି ଯେ ରୋଜଗାର ବନ୍ଦ ହୋଇଯାଇଥିବାରୁ ପରିବାର ପୋଷିବା ମଧ୍ୟ କଷ୍ଟକର ହୋଇପଡିଥିବା ବେଳେ ଷ୍ଟାଫ୍ ପେମେଣ୍ଟ ବି କରିହେଉନି। ସେହିପରି ଗାଡି ପଡି ପଡି ନଷ୍ଟ ହେଉଥିବା ବେଳେ ଅଚଳ ଅବସ୍ଥାକୁ ଗଲାଣି ବୋଲି କୁହନ୍ତି ଅନ୍ୟଜଣେ ବସ ମାଲିକ ସୁକାନ୍ତ ମହାନ୍ତି।

ଦେଖାଯାଉଛି ଯେ ଦୀର୍ଘ ଦିନ ଧରି ରୋଜଗାର ହରାଇ ଦୁଃଖ କଷ୍ଟରେ ବିତୁଛି ବସ୍ ଉପରେ ନିର୍ଭର କରି ଚଳୁଥିବା କର୍ମଚାରୀଙ୍କ ଜୀବନ। ବହୁଦିନର ବେରୋଜଗାରୀ ଯେମିତି ଏମାନଙ୍କ ସଂସାର ଗାଡିରେ ବି ବ୍ରେକ୍ ଲଗାଇଦେଇଛି। ଏଇ ଯେମିତି ରାଉରକେଲାର ଘରୋଇ ବସ କର୍ମଚାରୀ ଆପ୍ପାରାଓଙ୍କ ପରିବାର ଅବସ୍ଥା ଏଭଳି ହେଲାଣି ଯେ ମାଗି ଯାଚି ଦୁଇ ଓଳି ଖାଇବା ଯୋଗାଡ କରିବାକୁ ପଡୁଛି ନ ହେଲେ ପିଲାଛୁଆଙ୍କ ସହ ବି ଭୋକ ଓପାସରେ ଦିନ କାଟିବାକୁ ପଡୁଛି।

ଏହାକୁ ଆହୁରି ବଳିଯାଇଛି  ନୟାଗଡ଼ ଓଡ଼ଗାଁର ବସ୍ ଚାଳକ ରମେଶ ସାହୁଙ୍କ ଦୁର୍ଦ୍ଦଶା, ଯେଉଁଠି ନିଜ ପାଇଁ ଖାଇବା ଜୁଟାଇବା ମୁସ୍କିଲ ସେଇଠି ପିଲାଙ୍କ ମୁହଁରେ କେମିତି ଦାନା ଦେବୁ ବୋଲି କୋହଭରା କଣ୍ଠରେ କହିଛନ୍ତି ଗାଡ଼ି ଚାଳକ ରମେଶ ସାହୁ। ମାଲିକମାନେ ଟଙ୍କା ଦଉ ନାହାନ୍ତି। ଆମେ କୋଉଠୁ ପଇସା ଆଣିବୁ? କେମିତି ଚଳିବୁ? ମରିଯିବୁ ବୋଲି କୁହନ୍ତି ରମେଶ। ସେହିପରି ମାଲିକ ମାନେ ଯାହା ଦଉଛନ୍ତି ସେଇଥିରେ ଘର ଚଳୁଛି। ନ ହେଲେ ପିଲାମାନେ ଭୋକରେ ଶୋଇ ଯାଉଛନ୍ତି ଆଉ ଆମେ ବି ଭୋକରେ ଶୋଇଯାଉଛୁ ବୋଲି କୁହନ୍ତି ବସ୍ କର୍ମଚାରୀ ବି. ଆପ୍ପାରାଓ।

ରାଜ୍ୟ ବସ୍ ମାଲିକ ସଂଘର କହିବା ଅନୁଯାୟୀ, ରାଜ୍ୟରେ ୧୪ ହଜାରରୁ ଅଧିକ ଘରୋଇ ବସ୍ ଚଳାଚଳ କରୁଛି। ଏସବୁ ବସ୍‌ର ମାଲିକଙ୍କ ସଂଖ୍ୟା ପ୍ରାୟ ୧୨ ହଜାର ହେବ। ସେହିପରି ଚକା ଗଡ଼ିଲେ ପ୍ରାୟ ୬୫ ହଜାର ବସ୍ କର୍ମଚାରୀଙ୍କ ଚୁଲି ଜଳେ। ହେଲେ କରୋନା ପରଠାରୁ ଯାତ୍ରୀମାନେ ଯାତ୍ରା କରିବାକୁ ଭୟ କରୁଥିବାରୁ ବସ୍ ବେପାର ବରବାଦ ହୋଇଯାଇଥିବା କହିଛନ୍ତି ବସ୍ ମାଲିକ ସଂଘ ମୁଖପାତ୍ର ଦେବାଶିଷ ନାୟକ । ବିଡମ୍ବନାର କଥା ହେଲା, କଟକଣା କୋହଳ ହେବାପରେ ପୁଣିଥରେ ବସ୍ ଚଳାଚଳ ଆରମ୍ଭ ପାଇଁ ଟାୟାର, ବ୍ୟାଟେରୀ ଭଳି ଅନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି। ଏଥିପାଇଁ ଗତବର୍ଷ ବି ବିପୁଳ କ୍ଷତି ସହିବାକୁ ପଡିଥିଲା, ଆଉ ଏଥର ବି ସେହି ଭୟ ଘାରିଛି ।

ଯଦିଓ ରାଜ୍ୟ ସରକାର ଏପ୍ରିଲ ଓ ମେ’ର ମୋଟର ଯାନ ଟିକସକୁ ଛାଡ଼ କରିଛନ୍ତି, ତେବେ ପରିବହନ କ୍ଷେତ୍ରର ପୁନରୁଦ୍ଧାର ପାଇଁ ଅଧିକ ଟିକସ ଛାଡ଼, ଋଣ କିସ୍ତିରେ ଅତିକମ୍‌ରେ ୬ ମାସର ମୋରାଟୋରିୟମ ଏବଂ ବୀମା ଅବଧି ସମ୍ପ୍ରସାରଣ ସହ କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଦାବି କରିଛି ବସ୍ ମାଲିକ ସଂଘ।

You might also like