ତାଣ୍ଡବ ରଚିଲା ‘ତିତ୍‌ଲି’ : ଗଜପତି ଓ ଗଞ୍ଜାମରେ ବ୍ୟାପକ କ୍ଷୟକ୍ଷତି

ଭୁବନେଶ୍ୱର : ବାତ୍ୟା ‘ତିତ୍‌ଲି’ ସବୁଠୁ ଅଧିକ କ୍ଷତି କରିଛି ଗଜପତି ଜିଲ୍ଲାରେ। ଅାନ୍ଧ୍ରର ପଲାସା ନିକଟରେ ଲ୍ୟାଣ୍ଡଫଲ୍ କରିବା ପରେ ତା ପ୍ରଭାବରେ ଭୋର୍‌ରୁ ଏଠି ଅାରମ୍ଭ ହୋଇଥିଲା ଅଣଚାଷ ପବନ ସାଙ୍ଗକୁ ପ୍ରବଳ ବର୍ଷା। ରାସ୍ତା ଉପରେ ଉପୁଡ଼ି ପଡ଼ିଛି ବଡ଼ ବଡ଼ ଗଛ ଓ ବିଦ୍ୟୁତ୍ ଖୁଣ୍ଟ। ପାରଳାଖେମୁଣ୍ଡିରୁ ବିଭିନ୍ନ ସ୍ଥାନକୁ ବିଚ୍ଛିନ୍ନ ହୋଇଛି ଯୋଗାଯୋଗ ।

ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ବସ୍ତି ଅଞ୍ଚଳର ଲୋକେ। ବହୁ କଚା ଘର ଭାଙ୍ଗି ପଡ଼ିଥିବାବେଳେ ଘର ଛପର ଉଡ଼ି ଯାଇଛି। ପାରଳାଖେମୁଣ୍ଡିରେ ୭ଟି ବାତ୍ୟା ଅାଶ୍ରୟସ୍ଥଳୀରେ ଲୋକଙ୍କୁ ରଖାଯାଇଛି। ଉଭୟ ବିଦ୍ୟୁତ୍ ଓ ଟେଲି ଯୋଗାଯୋଗ ଏଠାରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି।

ମୋହନା ଅଞ୍ଚଳରେ ବି ତାଣ୍ଡବ ରଚିଛି ‘ତିତ୍‌ଲି’। ପବନର ବେଗ କମିଥିଲେ ବି ଦିନ ତମାମ ପ୍ରବଳ ବର୍ଷା ଲାଗି ରହିଥିଲା।

ଗଜପତି ଭଳି ଗଂଜାମ ଜିଲ୍ଲାରେ ବି ବ୍ୟାପକ କ୍ଷୟକ୍ଷତି ଘଟାଇଛି ‘ତିତ୍‌ଲି’ । ସବୁଠୁ ଅଧିକ ପ୍ରଭାବିତ ହୋଇଛି ଗୋପାଳପୁର। ପ୍ରବଳ ବର୍ଷା ସାଙ୍ଗକୁ ୧୨୫ କିଲୋଟମିର ବେଗରେ ପବନ ବୋହିବାରୁ ଏଠି ଉପୁଡ଼ି ପଡିଛି ଅନେକ ଗଛ ଓ ବିଦ୍ୟୁତ୍ ଖୁଣ୍ଟ। ଅଶାନ୍ତ ରହିଛି ସମୁଦ୍ର ବେଳାଭୂମି।

ନିକଟରେ ଥିବା ନୋଳିଅା ବସ୍ତି ଖାଲି କରାଯାଇ ଲୋକମାନଙ୍କୁ ନିରାପଦ ସ୍ଥାନରେ ରଖାଯାଇଛି । ଅାସ୍କା ଅଞ୍ଚଳରେ ମଧ୍ୟ ପବନ ଓ ବର୍ଷା ଲାଗି ରହଛି।

ଲ୍ୟାଣ୍ଡଫଲ୍ ପରେ ରାୟଗଡ଼ା ଦେଇ ପଶ୍ଚିମବଙ୍ଗ ମୁହାଁ ହୋଇଛି। ‘ତିତ୍‌ଲି’ ପ୍ରଭାବରେ ରାୟଗଡାରେ ମଧ୍ୟ ପ୍ରବଳ ବର୍ଷା ସାଙ୍ଗକୁ ପବନ କ୍ଷୟକ୍ଷତି ଘଟାଇଛି । ବହୁ ସ୍ଥାନରେ ଗଛ ଉପୁଡି ପଡିଛି। ଘରର ଛପର ବି ଉଡିଛି।  କନ୍ଧମାଳ ଜିଲ୍ଲାର ବାଲିଗୁଡା ସମେତ ରାଇକିଅା, ଜି. ଉଦୟଗିରି, ତୁମୁଡିବନ୍ଧ, କୋଟଗଡ, ଦାରିଙ୍ଗବାଡି ଅାଦି ଅଞ୍ଚଳରେ ବର୍ଷା ସାଙ୍ଗକୁ ପବନ ଲାଗି ରହିଛି । ବାଲିଗୁଡାରେ ଜନଜୀବନ ସବୁଠୁ ଅଧିକ ପ୍ରଭାବିତ ହୋଇଛି। ବାଲିଗୁଡାରୁ ବିଭିନ୍ନ ସ୍ଥାନକୁ ବସ୍ ସେବା ବନ୍ଦ ରହିଛି।

ସେହିପରି ଦାରିଙ୍ଗବାଡି ଓ ବ୍ରାହ୍ମଣୀ ଗାଁକୁ ସଂଯୋଗ କରୁଥିବା ରାସ୍ତାରେ ବଡ ବଡ ଗଛ ଉପୁଡି ପଡିବାରୁ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ରହିଛି।

ଏପଟେ ‘ତିତ୍‌ଲି’ କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ। ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଗଜପତି ଜିଲ୍ଲାକୁ ଅାଉ ୨ଟି ଏନ୍‌ଡିଆର୍‌ଏଫ୍‌ ଟିମ୍ ପଠାଯାଇଛି। ଜିଲ୍ଲାରେ ଖୁବ୍‌ଶୀଘ୍ର ସ୍ୱାଭାବିକ ସ୍ଥିତି ଫେରାଇ ଅାଣିବାକୁ ଉଦ୍ୟମ କରାଯାଉଛି ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।

ପ୍ରଭାବିତ ଅଂଚଳରେ ଏନ୍‌ଡିଆର୍‌ଏଫ୍‌ ୧୩ ଓ ଓଡ୍ରାଫ୍‌ର ୨୦ଟି ଟିମ୍ ମୁତୟନ ହୋଇ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ଅଗ୍ନିଶମ କର୍ମଚାରୀ ସେମାନଙ୍କୁ ସହଯୋଗ କରୁଛନ୍ତି।

You might also like