ଜଳପଥ ଦେଇ ଆସିପାରନ୍ତି ପ୍ରବାସୀ: ସମୁଦ୍ର କୂଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଭୁବନେଶ୍ୱର : ସଂକ୍ରମଣ ବଢ଼ୁଥିବା ବେଳେ ଜଳପଥ ଦେଇ ଆସିପାରନ୍ତି ପ୍ରବାସୀ । ଏହାକୁ ଦୃଷ୍ଟିରେ ରଖି ସମୁଦ୍ର କୂଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ବୋଲି ସୂଚନା ଦେଇଛନ୍ତି ରେଲୱେ ଓ ତଟରକ୍ଷୀ ସୁରକ୍ଷା ଏଡିଜି ପ୍ରଣବିନ୍ଦୁ ଆଚାର୍ଯ୍ୟ।  ପ୍ରବାସୀ ଆସିବା ସମ୍ଭାବନା ଥିବାରୁ ୧୮ଟି ମେରାଇନ୍ ଷ୍ଟେସନରେ ଚେକିଂ ଚାଲିଛି। ପ୍ରତ୍ୟେକ ଫିସ୍ ଲ୍ୟାଣ୍ଡିଂ ସେଣ୍ଟରରେ କୋଷ୍ଟଗାର୍ଡ ମୁତୟନ ହୋଇଛନ୍ତି । ସବୁ ବୋଟରେ ଚେକିଂ ଚାଲିଛି, ବାହାରୁ ଆସିଲେ ବୋଟ୍ ସିଜ କରାଯିବ ସହ ବୋଟରେ ଆସିଥିବା ଲୋକଙ୍କୁ କ୍ୱାରେଣ୍ଟାଇନରେ ରଖାଯିବ ବୋଲି କଡ଼ା ନିର୍ଦ୍ଦେଶ ଦିଆଯାଇଛି । ଏହାସହ ସବୁ ଥାନାରେ ସାଗର ରକ୍ଷକ ଦଳ, ବାହାରୁ ଆସୁଥିବା ଲୋକଙ୍କ ବିଷୟରେ ସୂଚନା ଦେଉଛନ୍ତି । କୋଷ୍ଟାଲ ଅଞ୍ଚଳରେ ଜବରଦସ୍ତ ଚେକିଂ ଚାଲିଥିବା କୁହାଯାଉଛି ।

ଦ୍ୱିତୀୟ ଡୋଜ ପରେ ସଂକ୍ରମଣ ଆଶଙ୍କା କମ ରହିଛି । ଟିକା ନେଲେ ମୃତ୍ୟୁ ହାର କମ୍ ରହିବ ଅଧିକ ସଂକ୍ରମଣ ହେବ ନାହିଁ ।  ଆଜି ୭୦୦ କେନ୍ଦ୍ରରେ ଟିକାକରଣ ଚାଲିଛି ।  ଏଣିକି ସପ୍ତାହରେ ୫ ଦିନ ଟିକାକରଣ ହେବ । ଶନି ଓ ରବିବାରରେ ଟିକାକରଣ ବନ୍ଦ ରହିବ। ଏହି ଦିନ ଟିକାକରଣ କେନ୍ଦ୍ର ସାନିଟାଇଜ ହେବ। ମେ’ ୧ରୁ ଘରୋଇ ହସ୍ପିଟାଲମାନେ କମ୍ପାନୀଠାରୁ ଟିକା ଆଣିବେ। କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ ଟିକାର ଦର ଧାର୍ଯ୍ୟ ହେବ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

ସେହିପରି ମହାମାରୀର ଏପରି ଭୟଙ୍କର ସ୍ଥିତିରେ ରାଜ୍ୟବାସୀ ଭୟଭୀତ ନ ହେବା ପାଇଁ ପରାମର୍ଶ ଦିଆଯାଇଛି । କରୋନା ସଂକ୍ରମିତଙ୍କ ପାଇଁ ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ କୋଭିଡ୍ ହସ୍ପିଟାଲ ଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣର ବେଡ୍ ଉପଲବ୍ଧ ରହିଛି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ ଗତ ୨୪ ଘଣ୍ଟାରେ ରାଜ୍ୟରେ ୬,୨୧୫ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ସର୍ବାଧିକ ୯୫୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛ ନ୍ତି। ସେହିପରି ସୁନ୍ଦରଗଡ଼ରୁ ୬୮୪ ଓ କଳାହାଣ୍ଡିରୁ ୬୮୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ କରୋନା ଆକ୍ରାନ୍ତରେ ୮ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୯୭୩ରେ ପହଞ୍ଚିଛି। ଗଞ୍ଜାମ ଓ କଳାହାଣ୍ଡିରୁ ୨ ଜଣ ଲେଖାଏ, ବାଲେଶ୍ୱର, ବଲାଙ୍ଗିର, କନ୍ଧମାଳ, ଖୋର୍ଦ୍ଧାରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

 

You might also like