ରାଜନୈତିକ ଉଦ୍ଦେଶ୍ୟରେ କ୍ରୋମାଇଟ୍‌ ଖଣିରେ ଅଚଳାବସ୍ଥା ସୃଷ୍ଟି କରାଯାଉଛି !

ଭୁବନେଶ୍ୱର: ଗୋଟିଏ ପଟେ ମେକ୍-ଇନ୍-ଓଡ଼ିଶା କନ୍‌କ୍ଲେଭ୍‌ ଆୟୋଜନ କରି ନୂଆ ଶିଳ୍ପ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ପ୍ରୟାସ କରୁଛନ୍ତି। ଅନ୍ୟପଟେ ଶାସକ ଦଳ ବିଧାୟକଙ୍କ ପ୍ରରୋଚନାରେ ରାଜ୍ୟର ପ୍ରତିଷ୍ଠିତ ଶିଳ୍ପସଂସ୍ଥାରେ ସୃଷ୍ଟି କରାଯାଉଛି ଅଶାନ୍ତିର ବାତାବରଣ। ସୁକିନ୍ଦା ରିଜିଅନ୍ କ୍ରୋମାଇଟ୍ ଖଣିରେ ଦେଖା ଦେଇଥିବା ଅଚଳାବସ୍ଥାକୁ ନେଇ ଏମିତି କିଛି ମତ ପ୍ରକାଶ ପାଉଛି।

କ୍ରୋମାଇଟ୍‌ ଖଣିରେ ଦେଖା ଦେଇଥିବା ଅଚଳାବସ୍ଥା ଦୂର ପାଇଁ ଆଜି ଇମ୍ଫା କର୍ତ୍ତୃପକ୍ଷ ଓ ସୁକିନ୍ଦା ରିଜିଅନ କ୍ରୋମାଇଟ୍ ଖାଦାନ ମଜଦୁର ସଂଘର ସଭାପତି ପ୍ରୀତିରଂଜନ ଘଡ଼ାଇଙ୍କ ମଧ୍ୟରେ ଆଲୋଚନା ହୋଇଥିଲେ ବି କୌଣସି ନିଷ୍କର୍ସ ବାହାରି ପାରି ନାହିଁ।

ଯାଜପୁର କାଳିଆପାଣି ସ୍ଥିତ ଇମ୍ଫାର ମହାଗିର ଓ ସୁକିନ୍ଦା ଖଣିରେ ସୃଷ୍ଟି ହୋଇଥିବା ଅଚଳାବସ୍ଥା ଜାରି ରହିଛି। ୭ ଦଫା ଦାବି ନେଇ ଖଣି ଆଗରେ ୬ଦିନ ଧରି ଶ୍ରମିକ ଆନ୍ଦୋଳନ ଚାଲିଛି। ଖଣିର ଅଚଳାବସ୍ଥା ଦୂର ଲାଗି ହେଇଥିବା ଆଲୋଚନା ବି ବିଫଳ ହୋଇଛି। ଆନ୍ଦୋଳନର ୬ ଦିନ ପରେ ଆଜି ଆଲୋଚନାକୁ ଆସିଥିଲେ ସୁକିନ୍ଦା ରିଜିଅନ୍ କ୍ରୋମାଇଟ ଖାଦାନ ମଜଦୁର ସଂଘ ସଭାପତି ପ୍ରୀତିରଞ୍ଜନ ଘଡାଇ। ଯାଜପୁର ଫେରୋକ୍ରମ ଗେଷ୍ଟ ହାଉସ୍‌ରେ ପ୍ରୀତିରଞ୍ଜନଙ୍କ ସହ ଅନ୍ୟ ସଂଘର ଅନ୍ୟ କର୍ମକର୍ତ୍ତା ଏବଂ ଇମ୍ଫା କର୍ତ୍ତୃପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଥିଲା।

ଆହତ ଶ୍ରମିକ ସୁସ୍ଥ ନ ହୋଇ ଘରକୁ ଫେରିବା ଯାଏ ଆନ୍ଦୋଳନ ଚାଲୁ ରହିବ ବୋଲି ପ୍ରୀତିରଞ୍ଜନ କହିବା ସହ ଶ୍ରମିକଙ୍କୁ ସୁରକ୍ଷା ଯୋଗାଇବାକୁ ଦାବି ରଖିଥିଲେ। ତେବେ ରାଜନୈତିକ ଉଦ୍ଦେଶ୍ୟରେ ହେଉଥିବା ଆନ୍ଦୋଳନ ପ୍ରଶ୍ନକୁ ସେ ଚତୁରତାର ସହ ଏଡ଼ାଇ ଯାଇଥିଲେ।

ସେ କହିଥିଲେ, “ଆଜିକା ଦିନରେ ଏକ ଭୟ ସୃଷ୍ଟି ହୋଇଯାଇଛି ଶ୍ରମିକ ଭାଇମାନଙ୍କ ମଧ୍ୟରେ। ଅଣ୍ଡରଗ୍ରାଉଣ୍ଡରେ ଯାଇ କାମ କଲେ ଜୀବନ ପ୍ରତି ବିପଦ ରହିଛି। ସୁରକ୍ଷିତ ରହି କେମିତି କାମ କରିବେ ସେ ହେଉଛି ଗୁରୁତ୍ୱପୂର୍ଣ୍ଣ କଥା। ଆନ୍ଦୋଳନ ଚାଲିଛି। କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ହେଲା। ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରିବାକୁ କମ୍ପାନୀ କର୍ତ୍ତୃପକ୍ଷ କହିଛନ୍ତି।”

ଆହତ ଶ୍ରମିକମାନେ ହସ୍ପିଟାଲରୁ ନବାହାରିବା ଯାଏ କାରଖାନାରେ କାମ ବନ୍ଦ୍ ରହିବା ଦାବିରେ ମଜଦୁର ସଂଘ ଅଟଳ ରହିବା ଅତ୍ୟନ୍ତ ଦୁଃଖଦାୟକ ବୋଲି ଇମ୍ଫା କର୍ତ୍ତୃପକ୍ଷ କହିବା ସହ ସୁକିନ୍ଦା ରିଜିଅନ୍ କ୍ରୋମାଇଟ ଖାଦାନ ମଜଦୁର ସଂଘର ସାଧାରଣ ସମ୍ପାଦକଙ୍କୁ ଚିଠି ଲେଖି ଜଣାଇଛନ୍ତି। ମଜଦୁର ସଂଘର ଏଭଳି ଦାବି ପ୍ରଥମ ହୋଇଥିବା ବେଳେ ଏପରି ଘଟଣାକୁ ନେଇ କାରଖାନାରେ କାମ ବନ୍ଦ କରାଯିବ ଗ୍ରହଣଯୋଗ୍ୟ ନୁହେଁ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି। ଆହତମାନଙ୍କ ଜୀବନ ପ୍ରତି କିଛି ବିପଦ ନଥିବା ବେଳେ ସେମାନଙ୍କର ଆବଶ୍ୟକ ଚିକିତ୍ସା ଲାଗି ସମସ୍ତ ସୁବିଧା ଇମ୍ଫା କର୍ତ୍ତୃପକ୍ଷ ଯୋଗାଇ ଦେଉଛନ୍ତି। ତେଣୁ କାରଖାନାକୁ ପୁଣି ଚାଲୁ କରିବାକୁ ସୁକିନ୍ଦା ରିଜିଅନ୍ କ୍ରୋମାଇଟ ଖାଦାନ ମଜଦୁର ସଂଘର ସାଧାରଣ ସମ୍ପାଦକଙ୍କ ନିକଟରେ ଇମ୍ଫା କର୍ତ୍ତପକ୍ଷ ଦାବି କରିଛି।

ସେପଟେ ରାଜନୈତିକ ଉଦ୍ଦେଶ୍ୟ ରଖି ଖଣି ବନ୍ଦ କରାଯିବା ଠିକ୍ ନୁହଁ ବୋଲି ଶ୍ରମିକ ନେତା କହିଛନ୍ତି। କଳିଙ୍ଗନଗର ଜମି ସୁରକ୍ଷା ସମିତି ଆବାହକ ରାମଚନ୍ଦ୍ର ପହି କହିଛନ୍ତି, “ରାଜନୈତକ ଉଦ୍ଦେଶ୍ୟ ରଖି ଏପରି କରାଯାଉଛି। ସରକାର ପଦକ୍ଷେପ ନେଇ ଶୀଘ୍ର ଏହାକୁ ଚାଲୁ ରଖିଲେ ଶ୍ରମିକମାନଙ୍କର ଉପକାର ହେବ। ଏହାସହ ଟ୍ରାନ୍ସପୋର୍ଟିଂ ଓ ଜନସାଧାରଣଙ୍କର ମଧ୍ୟ ଉପକାର ହେବ। ହେଲେ ରାଜନୈତିକ ଉଦ୍ଦେଶ୍ୟ ରଖି ଏତେଦିନ ବନ୍ଦ କରିବା ଠିକ୍‌ ହେଉନାହିଁ।”

ଗତ ୩୧ ତାରିଖର ଇମ୍ଫାର ମହାଗିରି ଖଣିରେ ମାଟି ଅତଡ଼ା ଧଶି ଶ୍ରମିକ ଆହତ ହୋଇଥିଲେ। ଏହାକୁ ନେଇ ଗତ ୨ ତାରିଖରୁ ଇମ୍ଫାର ସୁକିନ୍ଦା ଓ ମହାଗିରି ଖଣିର ଶ୍ରମିକମାନେ ବିଭିନ୍ନ ଦାବି ନେଇ ଆନ୍ଦୋଳନ ଚଳାଇଛନ୍ତି। ଗୋଟିଏ ଖଣିରେ ଦୁର୍ଘଟଣା ଘଟିଥିଲେ ମଧ୍ୟ ଦୁଇଟି ଯାକ ଖଣି କାମ ବନ୍ଦ ରହିଛି। ଫଳରେ ୧୬ ଶହ ଶ୍ରମିକଙ୍କ ଜୀବନଜୀବିକା ପ୍ରଭାବିତ ହୋଇଛି। ଏଥିରେ ଜିଲ୍ଲା ପ୍ରଶାସନ କିମ୍ବା ଖଣି ଅଧିକାରୀ କେହି ହସ୍ତକ୍ଷେପ ନ କରି ଚୁପ୍ ବସି ରହିଛନ୍ତି।

You might also like
Comments
Loading...