ଗଜପତି ଜିଲ୍ଲାରେ ଅଣପଞ୍ଜୀକୃତ ଚାଲିଛି ୪୮ ଶିଶୁ ଗୃହ

ଗଜପତି : ଢେଙ୍କାନାଳରେ ଗୁଡ ନ୍ୟୁଜ୍‌ ଇଣ୍ଡିଅା ଦ୍ୱାରା ପରିଚାଳିତ ସେଲ୍‌ଟର ହୋମ୍‌ରେ ଯୌନ ନିର୍ଯାତନା ଘଟଣା ପଦାକୁ ଅାସିବା ପରେ ହଠାତ୍ ସକ୍ରିୟ ହୋଇଉଠିଛି ଚାଇଲ୍ଡ ଲାଇନ୍। ତୁରନ୍ତ ପଞ୍ଜୀକରଣ କର, ନଚେତ୍ ବନ୍ଦ କର। ଗଜପତି ଜିଲ୍ଲାରେ ପଞ୍ଜୀକୃତ ନହୋଇ ବେଅାଇନ୍ ଭାବେ ୪୮ଟି ଶିଶୁ ଗୃହ ଚାଲିଥିବା ଜଣାପଡିବା ପରେ ସମ୍ପୃକ୍ତ ସଂସ୍ଥା ଗୁଡିକୁ ଏଭଳି ଚେତାବନୀ ଦେଇଛି ପ୍ରଶାସନ।

ଜୁଭେନାଇଲ ଜଷ୍ଟିସ୍ ଅାକ୍ଟ ଅନୁସାରେ, ୨୦୧୭ ଡିସେମ୍ବର ସୁଦ୍ଧା ପଞ୍ଜୀକରଣ ବାଧ୍ୟତାମୂଳକ ବୋଲି ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଥିଲେ। କୋର୍ଟଙ୍କ ଡେଡ୍‌ଲାଇନ୍‌କୁ ବର୍ଷେ ପୂରିଥିଲେ ବି କିପରି ଏତେ ସଂଖ୍ୟକ ଶିଶୁଗୃହ ବେଅାଇନ୍ ଭାବେ ଚାଲିଛି, ତାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ଚାଇଲ୍ଡ ଲାଇନ୍‌ ନିର୍ଦ୍ଦେଶକ। ଏହାକୁ ସ୍ୱୀକାର ମଧ୍ୟ କରିଛି ଗଜପତି ଜିଲ୍ଲା ଶିଶୁ ସୁରକ୍ଷା ସମିତି।

ଦୀର୍ଘ ଦିନ ହେଲା ଚୁପ୍ ବସିଥିବା ପ୍ରଶାସନ ଢେଙ୍କାନାଳ ସେଲ୍‌ଟର ହୋମ୍ ଘଟଣା ପରେ ହଠାତ୍ ତତ୍ପର ହୋଇଉଠିଛି। ପାରଳାଖେମୁଣ୍ଡି ସହ ଉପକଣ୍ଠରେ ଥିବା ଗୁଡ୍ ନ୍ୟୁଜ୍‌ ଇଣ୍ଡିଅାର ଏକ ଶାଖାକୁ ସିଲ୍ କରିବା ସହ ଏଠାରେ ଥିବା ୧୫୫ ଅନ୍ତେବାସୀଙ୍କୁ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି । ଜିଲ୍ଲାପାଳ କହିଛନ୍ତି, ପଞ୍ଜୀକରଣ ପାଇଁ ଅାବେଦନ କରିବା ପରେ ସରକାରଙ୍କ ଗାଇଡ୍‌ଲାଇନ୍ ଅନୁସାରେ ଭିତ୍ତିଭୂମି ଅଛି ନା ନାହିଁ, ତାର ତଦନ୍ତ କରାଯିବ।

ଶିଶୁ ଗୃହ ନିର୍ମାଣ ପାଇଁ ସରକାରଙ୍କ ଗାଇଡ୍‌ଲାଇନ୍‌ ଏବଂ ସୁପ୍ରିମ୍‌କୋର୍ଟଙ୍କ କଡ଼ା ନିର୍ଦ୍ଦେଶ ସତ୍ତ୍ୱେ କିପରି ଗଜପତିରେ ୪୮ଟି ଅଣପଞ୍ଜୀକୃତ ଭାବେ ଚାଲିଛି ଏବଂ ଏତେ ଦିନ ଧରି ପ୍ରଶାସନ କରୁଥିଲା କଣ ? ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ।

You might also like