ଅଭିଭାବକ ସାବଧାନ; ଇଂରାଜୀ ମାଧ୍ୟମ ସ୍କୁଲରେ ଆଡମିସନ ପୂର୍ବରୁ ରୁହନ୍ତୁ ସତର୍କ

ଭୁବନେଶ୍ୱର : ଇଂଲିସ୍ ମିଡିୟମ ସ୍କୁଲରେ ପିଲାଙ୍କୁ ପଢାଇବାକୁ ଚାହୁଁଥିଲେ ସାବଧାନ। ସ୍କୁଲକୁ ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ଠାରୁ NOC ମିଳିଛି ନା ନାହିଁ ପ୍ରଥମେ ଯାଞ୍ଚ କରିନିଅନ୍ତୁ। ନଚେତ୍ ଆଗକୁ ଅସୁବିଧାରେ ପଡିବା ଆଶଙ୍କା ରହିଛି। ରାଜ୍ୟର ଅନେକ ସ୍କୁଲ ବିନା NOCରେ ଚାଲୁଥିବା ଅଭିଯୋଗ ଆସିବା ପରେ ଅନୁମତି ପାଇଥିବା ସ୍କୁଲଗୁଡିକର ତାଲିକା ଜାରି କରିଛି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ।

ସରକାରଙ୍କ ତାଲିକାରେ ଯଦି ସଂପୃକ୍ତ ସ୍କୁଲର ନାଁ ନାହିଁ ତେବେ ସେଠାରେ ପିଲାଙ୍କ ଆଡ୍‌ମିଶନ ନକରିବାକୁ  ନିର୍ଦ୍ଦେଶାଳୟ ବିଜ୍ଞପ୍ତି ଜାରି କରି ପରାମର୍ଶ ଦେଇଛି। ଅଭିଭାବକ ସଂଘ ଏହି ପଦକ୍ଷେପକୁ ସ୍ୱାଗତ କରିଛି।

କେନ୍ଦ୍ରାପଡା, ସୁବର୍ଣ୍ଣପୁର ଓ ଢେଙ୍କାନାଳ ଜିଲ୍ଲାରେ ମାତ୍ର ଗୋଟିଏ ଲେଖାଏଁ ପବ୍ଲିକ୍ ସ୍କୁଲ୍‌ ଏନ୍ଓସି ପାଇଛନ୍ତି। ମାତ୍ର ଏସବୁ ଜିଲ୍ଲାରେ ଶତାଧିକ ପବ୍ଲିକ୍ ସ୍କୁଲ୍ ଚାଲିଥିବା ନଜରକୁ ଆସିଛି। ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୪୮ଟି ପବ୍ଲିକ୍ ସ୍କୁଲ୍‌କୁ ଏନ୍ଓସି ମିଳିଥିବା ବେଳେ ୩୫୦ରୁ ଅଧିକ ପବ୍ଲିକ୍ ସ୍କୁଲ୍‌ରେ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି।

ଏନ୍ଓସି ପାଇନଥିବା ସ୍କୁଲ୍‌ରେ ପଢୁଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଆଶଙ୍କା ମଧ୍ୟରେ ରହିଛି। ତେବେ କେବଳ ତାଲିକା ପ୍ରକାଶ କରିଦେଲେ ସମସ୍ୟାର ସମାଧାନ ହୋଇଯିବ ନାହିଁ ବୋଲି ମତ ଦେଇଛନ୍ତି ଶିକ୍ଷାବିତ୍।

ଶିକ୍ଷାର ବ୍ୟବସାୟକରଣ ସାଙ୍ଗକୁ ରାଜ୍ୟରେ ଛତୁ ଫୁଟିବା ଭଳି ଇଂଲିସ୍ ମିଡିୟମ ସ୍କୁଲ ଖୋଲୁଛି। ଏସବୁ ସ୍କୁଲରେ ଭିତ୍ତିଭୂମି ଓ ଶିକ୍ଷାର ଗୁଣବତ୍ତା ପ୍ରତି ଧ୍ୟାନ ଦିଆଯାଉନାହିଁ। ସେ ଦୃଷ୍ଟିରୁ ସରକାରୀ ଅନୁମୋଦନ ପାଇବାରେ ବାଧା ରହିବା ସ୍ୱାଭାବିକ। ତେଣୁ ସ୍କୁଲ ଖୋଲୁଥିବା ସଂସ୍ଥା ଓ ବ୍ୟକ୍ତି ବିଶେଷ ବିନା NOCରେ ବେଆଇନ ଭାବେ ସ୍କୁଲ ଚଳାଉଛନ୍ତି। ଏହାଦ୍ୱାରା ଅନେକ ଛାତ୍ରଛାତ୍ରୀ ଭବିଷ୍ୟତରେ ଅନ୍ଧକାର ମଧ୍ୟକୁ ଚାଲିଯାଉଛି।

You might also like