ପାଣି ପଞ୍ଚାୟତରେ ଆର୍ଥିକ ଅନିୟମିତତା ଅଭିଯୋଗ

ରାଜ୍ୟସରକାରଙ୍କୁ ନୋଟିସ୍ ଦେଲେ ହାଇକୋର୍ଟ

ଭୁବନେଶ୍ୱର : ପାଣି ପଞ୍ଚାୟତରେ ବ୍ୟାପକ ଆର୍ଥିକ ଅନିୟମିତତା ସମ୍ପର୍କିତ ଜନସ୍ୱାର୍ଥ ମାମଲାରେ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନୋଟିସ୍ ଦେଇଛନ୍ତି । ଆବେଦନକାରୀ ଆଇନଜୀବୀ ବିନୟ ନୃସିଂହ ମହାପାତ୍ରଙ୍କ ଆବେଦନକୁ ଗ୍ରହଣ କରି କୋର୍ଟ ଏଇ ନୋଟିସ୍  ଦେଇଛନ୍ତି । ୨୦୦୨ ମସିହାରେ ଜଳସେଚନ ସୁପରିଚାଳନା ପାଇଁ ଓଡ଼ିଶା ପାଣି ପଞ୍ଚାୟତ ଆଇନ ୨୦୦୨ ପ୍ରଣୟନ କରାଯାଇଥିଲା । ଏହି ଆଇନ୍ ଅନୁଯାୟୀ, ରାଜ୍ୟବ୍ୟାପୀ ୩୦ ହଜାର ପାଣି ପଞ୍ଚାୟତ ଗଠନ କରାଯାଇଥିଲା ।

ତେବେ ପାଣି ପଞ୍ଚାୟତ କର୍ମକର୍ତ୍ତା ଚୟନ ପାଇଁ ପ୍ରତି ୬ ବର୍ଷରେ ନିର୍ବାଚନ ହେବାର ପ୍ରାବଧାନ ରହିଛି। ମାତ୍ର  ୨୦୦୮ ମସିହାରୁ ପ୍ରାୟ ୨୩ ହଜାର ପାଣି ପଞ୍ଚାୟତରେ ଆଉ ନିର୍ବାଚନ କରାଯାଇ ନଥିବା ଆବେଦନରେ ଦର୍ଶାଯାଇଛି।  ସେହିପରି ନିୟମ ଅନୁଯାୟୀ ନିର୍ବାଚନ ପରେ ହିଁ ପାଣି ପଞ୍ଚାୟତ ଦ୍ୱାରା ସମସ୍ତ ଆର୍ଥିକ କାରବାରର ବ୍ୟବସ୍ଥା ରହିଛି ।

ମାତ୍ର ୭ହଜାର ପାଣି ପଞ୍ଚାୟତରେ ନିର୍ବାଚନ କରାଯାଇ ବାକି ୨୩ ହଜାର ପାଣି ପଞ୍ଚାୟତ ନାଁରେ କୋଟି କୋଟି ଟଙ୍କା ହଡ଼ପ କରାଯାଇଥିବା ଅଭିଯୋଗ ଆଣି ଏହି ଅନିୟମିତତାର ସିବିଆଇ ତଦନ୍ତ ଦାବି ହୋଇଛି । ତେବେ ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତିକ୍ରିୟା ମିଳିପାରି ନାହିଁ।

You might also like