କରୋନା ଦେଖାଇଲା ଆତ୍ମନିର୍ଭରଶୀଳ ହେବାର ବାଟ: ଟାଙ୍ଗରା ଭୂଇଁରେ ସୁନା ଫଳାଉଛନ୍ତି ଆଦିବାସୀ

ହସୁଚି ଚିତ୍ରକୋଣ୍ଡା

ଚିତ୍ରକୋଣ୍ଡା : ଟାଙ୍ଗରା ଭୂଇଁ ଏବେ ଶଷ୍ୟଶ୍ୟାମଳା । ବହୁ ଚାଷୀ ନିଜ ଜମିରେ ଫସଲ ଫଳାଇବାକୁ ଅସମର୍ଥ ହେଉଥିବା ବେଳେ ପାହାଡ଼ ପର୍ବତଘେରା ଚିତ୍ରକୋଣ୍ଡାର ଟାଙ୍ଗରା ଭୂଇଁରେ ଫଳିଛି ବାଇଗଣ, କୋବି, ସିମ୍ବ, କଖାରୁ, କଲରା ଭଳି ଅନେକ ପନିପରିବା। ଏହି ଛନଛନିଆ ପନିପରିବାକୁ ବଜାର, ଗାଁଗଣ୍ଡାରେ ବିକ୍ରି କରି ପରିବାର ଚଳାଉଛନ୍ତି ମାଲକାନଗିରି ଜିଲ୍ଲା ନୂଆଗୁଡା ପଞ୍ଚାୟତର ଆରଏସି-୧୧ ଗ୍ରାମର ଲୋକେ। ଦିନେ କାମଧନ୍ଦା ନପାଇ ଏମାନେ ଦାଦନ ଖଟିଯାଉଥିଲେ। ଏବେ ଲୋକେ ଦାଦନ ଖଟିବାକୁ ନଯାଇ ନିଜ ବାଡିରେ ପରିବା ଚାଷ କରି ବେଶ ରୋଜଗାରକ୍ଷମ ହୋଇପାରିଛନ୍ତି।

ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ହେଉଛି ସବୁଠାରୁ ଦୁର୍ଗମ ତଥା ନକ୍ସଲ ପ୍ରବଣ ଭାବେ ପରିଚିଚ। ଏଠାରେ ନବେ ପ୍ରତିଶତ ଲୋକେ ଆଦିବାସୀ ସଂପ୍ରଦାୟର। ସମସ୍ତରେ ପ୍ରାୟ ନିରକ୍ଷର କହିଲେ ଚଳେ। ତେବେ ମହାମାରୀର ପ୍ରତିକୂଳ ପରିସ୍ଥିତି ତାଙ୍କୁ ରାହା ଦେଖାଇଥିଲା। ନିଜ କ୍ଷେତରେ ସୁନାର ଫସଲ ଫଳାଉଛନ୍ତି ଆଦିବାସୀ। ଜୁଆଡ଼େ ଦେଖିବ ସବୁଜମୟ ଦିଶୁଛି ପରିବେଶ।  ବାଡିରେ ବାଇଗଣ, କୋବି, ସିମ୍ବ, କଖାରୁ, ପିଆଜ ,ଆଳୁ , ମୁଗ, କଲରା ଭଳି ପନିପିବାର ଚାଷ କରି ତାକୁ ସ୍ଥାନୀୟ ବଜାର ଏବଂ ଗାଁ ଗାଁ ବୁଲି ବିକ୍ରି କରୁଛନ୍ତି। ୬ ମାସ ପରିବା ଚାଷ କରି ସେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ କମାଉଛନ୍ତି। ତେବେ ଏହି ଚାଷ ପରେ ମଧ୍ୟ ନିଜ ଜମିରେ ଜୈବିକ ପଦ୍ଧତିରେ ପନିପରିବା ଚାଷ କରି ବେଶ ଲୋକଙ୍କ ପାଖରେ ପରିଚିତ ହୋଇପାରିଛନ୍ତି।

ତେବେ ଏସବୁ ଭିତରେ ତାଙ୍କ ପାଇଁ ବଡ଼ ସମସ୍ୟା ହୋଇ ଉଭା ହୋଇଛି ପାଣି। ନିକଟରେ ପାଣିର କୌଣସି ଉତ୍ସ ନଥିବାରୁ ଏମାନେ ପାଣି ପାଇଁ ନାହିଁ ନଥିବା ହଇରାଣ ହେଉଛନ୍ତି। ଜମିକୁ ପାଣି ମଡ଼ାଇ‍ବା ପାଇଁ ଅନେକ କଷ୍ଟ କରିବାକୁ ପଡ଼ୁଛି। ସେହିପରି ବିହନ ମିଳୁନଥିବାରୁ ପରିବା ଚାଷରେ ବହୁ କ୍ଷତି ସହୁଥିବା କହିଛନ୍ତି ଆଦିବାସୀ ଚାଷୀ ଇରା କରା । ପ୍ରଶାସନ ତରଫରୁ ଏମାନଙ୍କୁ ପାଣି ଯୋଗାଇବା ସହ ଉନ୍ନତମାନର ବିହନ ଯୋଗାଇ ଦିଆଗଲେ ହୁଏତ ଆଗାମୀ ଦିନରେ ଆହୁରି ଭଲ ଫସଲ ଫଳାଇପାରିଥାନ୍ତେ ବୋଲି ଆଶାବନ୍ଧିଛନ୍ତି।

ସରକାରଙ୍କ ଅଣଦେଖା ଯୋଗଁ ଆଜି ଜିଲ୍ଲାରେ ବହୁ ଚାଷୀ ନିଜର ଜମିରେ ଫସଲ ଉତ୍ପାଦନ କରିପାରୁନଥିବା ବେଳେ କରୋନା କିନ୍ତୁ ସେମାନଙ୍କୁ ଏହି ଚାଷମୁହାଁ କରାଇପାରିଛି। ଆଗାମୀ ଦିନରେ ସରକାର ଏମାନଙ୍କୁ ଉନ୍ନତ ବିହନ,ପାଣି, ଏବଂ ତାଲିମ ପ୍ରଦାନ କଲେ ହୁଏତ ଏମାନେ ବି ଆଗାମୀ ଦିନରେ ଜଣେ ଜଣେ ସଫଳ ପରିବା ଚାଷୀ ହୋଇପାରିଥାନ୍ତେ।

You might also like