IIT ଛାତ୍ରଙ୍କ ମୃତ୍ୟୁ ପଛର କାରଣ ଖୋଜୁଛି ପୁଲିସ୍‌

ଭୁବନେଶ୍ୱର : ଜଟଣୀ ସ୍ଥିତ ଆଇଆଇଟି ଅରଗୁଳ ଛାତ୍ର ଚିରାଗ ପ୍ରବୀଣ ଜୈନଙ୍କ ସନ୍ଦେହଜନକ ମୃତ୍ୟୁ ନେଇ ତନାଘନା। ମାନସିକ ଚାପ, ବିବାଦ ନା ଲଭ୍ ଲିଙ୍କ ଥିଲା, ତାକୁ ନେଇ ଅନ୍ଧାରରେ ବାଡି ବୁଲାଉଛି ପୁଲିସ।

ଆଇଆଇଟି କର୍ତ୍ତୃପକ୍ଷ ଏନେଇ ଇଣ୍ଟରନାଲ ତଦନ୍ତ କରୁଥିଲେ ମଧ୍ୟ ଛାତ୍ର ମୃତ୍ୟୁ ନେଇ ଅଡୁଆରେ ପଡିଛନ୍ତି। ସେପଟେ ମୃତ୍ୟୁର କାରଣ ଖୋଜୁଛି ପୁଲିସ୍‌।

ଆଇଆଇଟି ଛାତ୍ର ଚିରାଗ ପ୍ରବୀଣ ଜୈନଙ୍କର କେମିତି ହେଲା ମୃତ୍ୟୁ ? ଆତ୍ମହତ୍ୟା, ହତ୍ୟା ନା ଦୁର୍ଘଟଣା। ଛାତରୁ ଡେଇଁ ପଡିଲେ ନା କେହି ତାଙ୍କୁ ଧକ୍କା ଦେଲା ନା ଆଉ କିଛି କାରଣ ରହିଛି, ଯାହା ଏବେ ରହସ୍ୟ ଭିତରେ।

ଆଇଆଇଟି କମ୍ପୁଟର ସାଇନସ ଦ୍ୱିତୀୟ ବର୍ଷ ଛାତ୍ର ଚିରାଗ ଖୁବ ମେଧାବୀ ଥିବା କର୍ତ୍ତୃପକ୍ଷ କହିଛନ୍ତି। ତେବେ ଅଚାନକ ଛାତରୁ ପଡିଲେ କିପରି ? ହଷ୍ଟେଲ କର୍ତ୍ତୃପକ୍ଷଙ୍କ ସହ ବିବାଦ ଥିଲା କି, ଡେଥ୍ ପଛରେ କିଛି ଲଭ ରିଲେସନ ରହିଛି କି, ନା କ୍ୟାରିୟରକୁ ନେଇ ଚିନ୍ତିତ ଥିଲେ ଚିରାଗ ? ସୋମବାର ରାତିରେ ଚିରାଗ ମହାନଦୀ ହଷ୍ଟେଲ ଛାତକୁ ଯାଇଥିଲେ। ରାତି ୭.୪୫ ସମୟରେ ତାଙ୍କୁ ମୁମୂର୍ଷୁ ଅବସ୍ଥାରେ ତଳେ ପଡିଥିବା ବେଳେ ଉଦ୍ଧାର କରାଯାଇଥିଲା। ଯାହାକୁ ନେଇ  ଆଇଆଇଟି ଅରଗୁଲ କର୍ତ୍ତୃପକ୍ଷ ଅଡୁଆରେ ପଡିଛନ୍ତି।

ଏପଟେ ଏହି ଘଟଣାରେ କମିଶନରେଟ ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ଖୋଲତାଡ ଆରମ୍ଭ କରିଛି। କେଉଁ ପରିସ୍ଥିତିରେ ଆଇଆଇଟି ଛାତ୍ରଙ୍କ ମୃତ୍ୟୁ ହେଲା, ମୃତ୍ୟୁ ପଛରେ କିଛି ରହସ୍ୟ ରହିଛି କି ତାକୁ ନେଇ ଅନୁସନ୍ଧାନ ଜାରି ରହିଛି। ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ଖୋଲିପାରେ ଆଇଆଇଟି ଛାତ୍ର ଚିରାଗଙ୍କ ମୃତ୍ୟୁର ରହସ୍ୟ।

You might also like