ପୁଲିସ୍ ବାବୁଙ୍କୁ ମହଙ୍ଗା ପଡ଼ିଲା ଅଭିଯୁକ୍ତଙ୍କ ସହ ସେଲ୍ଫି ନେବା
କୋଣାର୍କ: ଥାନା ଅଧିକାରୀଙ୍କୁ ମହଙ୍ଗା ପଡ଼ିଲା ଅଭିଯୁକ୍ତଙ୍କ ସହ ସେଲ୍ଫି ଉଠାଇବା। ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଆଇଆଇସି ବୁଲୁ ମୁଣ୍ଡା ହତ୍ୟା ଅଭିଯୁକ୍ତଙ୍କ ସହ ସେଲ୍ଫି ନେଇ ଚର୍ଚ୍ଚାରେ ଥିଲେ। ଏହି ଦୃଶ୍ୟ ସୋଶାଲ୍ ମିଡିଆରେ ଭାଇରାଲ ହୋଇଥିଲ।
ଏହି ଘଟଣା ଜଣାପଡ଼ିବା ପରେ ଏସ୍ପି, ଆଇଆଇସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏସ୍ପିଙ୍କ ନିର୍ଦ୍ଦେଶ କ୍ରମେ ଆଇଆଇସି ବୁଲୁ ମୁଣ୍ଡାଙ୍କୁ ଜିଲ୍ଲା ପୁଲିସ୍ ମୁଖ୍ୟାଳୟକୁ ବଦଳି କରାଯାଇଛି।
ସୂଚନାଥାଉ କି, ଗତ ୫ ତାରିଖରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ଆଳସାହି ଛକରେ ସାଧୁ ସ୍ୱାଇଁ ଓ ତାଙ୍କ ପୁଅ ଦିଲୀପଙ୍କ ଉପରେ କିଛି ଲୋକ ସଂଘବଦ୍ଧ ଆକ୍ରମଣ କରିଥିଲେ। ଏଥିରେ ଦିଲୀପଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ବାପା ଗୁରୁତର ଭାବେ ଆହତ ହୋଇଥିଲେ। ଏହି ଘଟଣାରେ ପୁଲିସ୍ ୩ ଜଣଙ୍କୁ ଗିରଫ କରିଥିଲା। ମୁଖ୍ୟ ଅଭିଯୁକ୍ତ ରାଧା ମୋହନ ବିଶ୍ୱାଳ ଓରଫ ମୁନା ଫେରାର ଥିଲା। ତେବେ ଅସ୍ତରଙ୍ଗ ପୁଲିସ ତାକୁ ଖୋଜୁଥିବା ବେଳେ ମୁନାକୁ ଗତକାଲି ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ପୁଲିସ୍ ଗିରଫ କରିଥିଲା।
ଗିରଫ ପରେ ଚନ୍ଦ୍ରଭାଗା ପୁଲିସ୍ ତାକୁ ନିମାପଡ଼ା ଥାନାକୁ ଆଣୁଥିବା ବେଳେ ଅଭିଯୁକ୍ତ ମୁନା ସହ ଆଇଆଇସି ବୁଲୁ ମୁଣ୍ଡା ସେଲଫି ଉଠାଇଥିବା କୁହାଯାଉଛି। ଏପରିକି ଜଣେ ହତ୍ୟା ଅଭିଯୁକ୍ତକୁ ସାଧାରଣ ଅଭିଯୁକ୍ତଙ୍କ ଭଳି ପୁଲିସ୍ ଗାଡ଼ିରେ ନେବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା।