କ୍ଷମତାକୁ ଆସିଲେ କୃଷି ଋଣ ଛାଡ କରିବ ବିଜେପି : ବସନ୍ତ ପଣ୍ଡା

ଭୁବନେଶ୍ୱର : ରାଜ୍ୟରେ କ୍ଷମତାକୁ ଆସିଲେ କୃଷି ଋଣ ଛାଡ଼ କରିବାକୁ ପ୍ରତିଶ୍ରୁତି ଦେଇଛି ବିଜେପି। ତାସହ ଚାଷୀଙ୍କୁ ବିନା ସୁଧରେ ଋଣ ଯୋଗାଇ ଦିଆଯିବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା।

ରାଜ୍ୟବ୍ୟାପୀ ମଣ୍ଡିରେ ଅବ୍ୟବସ୍ଥା ଦେଖାଦେଇଥିବା ଅଭିଯୋଗ କରି ବିଜେପି ଆଜିଠାରୁ ଆସନ୍ତା ୭ ତାରିଖ ଯାଏଁ ମଣ୍ଡି ଚାଲ ଅଭିଯାନ ଆରମ୍ଭ କରିଛି। ସେହିପରି କୃଷି ଋଣ ଛାଡ଼ ଓ ଚାଷୀମାନଙ୍କ ଅନ୍ୟ ସମସ୍ୟାର ସମାଧାନ ଦାବିରେ ଦଳ ଆସନ୍ତା ୮ ତାରିଖରେ ସଚିବାଳୟ ଘେରାଉ କରିବାକୁ ଘୋଷଣା କରିଛି।

ଗତକାଲି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯ଶହ ୩୦ ଟଙ୍କାକୁ ବୃଦ୍ଧି ଓ ସ୍ୱାମୀନାଥନ କମିଟି ସୁପାରିଶକୁ କାର୍ଯ୍ୟକାରୀ କରିବା ଦାବିରେ ଆସନ୍ତା ୮ ତାରିଖରେ ପାର୍ଲାମେଣ୍ଟ ଆଗରେ ବିକ୍ଷୋଭ କରିବାକୁ ବିଜେଡି ଘୋଷଣା କରିଥିଲା।

ବିଜେପିର ମଣ୍ଡି ଘେରାଉ ନିଷ୍ପତ୍ତିକୁ ବିନାଶକାଳେ ବିପରୀତ ବୁଦ୍ଧି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ପ୍ରତାପ ଦେବ। ବିଜେଡି ସହ ଏକାଦିନରେ ଆନ୍ଦୋଳନ କରିବା ଅପ୍ରାସଙ୍ଗିକ, ଦଳର ଚାଷୀଙ୍କ ପ୍ରତି ଦରଦ ନାହିଁ ବୋଲି ପ୍ରତାପ ଦେବ କହିଛନ୍ତି।

ସେପଟେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା ରଖି କହିଛନ୍ତି, ଯେଉଁଦିନ ସରକାରକୁ ଆସିବୁ, କୃଷି ଋଣ ଛାଡ କରିବୁ। ବିଜେଡି, ବିଜେପି ଆମକୁ ଅନୁକରଣ କରିଛନ୍ତି ବୋଲି ନିରଞ୍ଜନ କହିଛନ୍ତି। ଏହାସହ ଚାଷୀଙ୍କୁ ସୋଲାର ପମ୍ପ ଓ ଆର୍ଥିକ ସହାୟତ ଯୋଗାଇଦେବ କଂଗ୍ରେସ।

ସେପଟେ ରାଜ୍ୟ ସରକାର କୃଷି ଋଣ ତୁରନ୍ତ ଛାଡ଼ କରନ୍ତୁ ବୋଲି ଦାବି କରିଛନ୍ତି ବରିଷ୍ଠ କଂଗ୍ରେସ୍ ନେତା ଶ୍ରୀକାନ୍ତ ଜେନା। ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହ ଚାଷୀଙ୍କ ନାଁରେ ବିଜେଡିର ଦିଲ୍ଲୀ ଯିବା ନିଷ୍ପତ୍ତି ନାଟକ ବୋଲି ସେ କହିଛନ୍ତି।

You might also like