‘ମୋର କିଛି ହେଲେ ମନ୍ତ୍ରୀ ଅରୁଣ ସାହୁ ହିଁ ଦାୟୀ ରହିବେ’

ଭୁବନେଶ୍ୱର: ନୟାଗଡ଼ ବହୁ ଚର୍ଚ୍ଚିତ ଶିଶୁକନ୍ୟା ପରୀ ହତ୍ୟା ମାମଲାରେ ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନ ବଡ଼ ବୟାନ ଦେଇଛନ୍ତି। ମନ୍ତ୍ରୀ ଅରୁଣ ସାହୁଙ୍କ ବିରୋଧରେ ସେ ଏହି ବୟାନ ଦେଇଛନ୍ତି।

ସରପଞ୍ଚ ସୌମ୍ୟରଞ୍ଜନ କହିଛନ୍ତି, ‘ପରୀ ଘଟଣାକୁ ନେଇ ମୁଁ ସମ୍ପୂର୍ଣ୍ଣ ଭାବରେ ମର୍ମାହତ। ପରୀ ହତ୍ୟା ଘଟଣାରେ ଚୂଳରୁ ମୂଳ ଯାଏ ସମ୍ପୃକ୍ତ ଅଛନ୍ତି। ଏହାକୁ ନେଇ ମୁଁ ମୁହଁ ଖୋଲିବାରୁ ବିଭିନ୍ନ ପ୍ରକାର ଧମକ ମିଳୁଛି। ମୋର କିମ୍ବା ମୋ ପରିବାରର ଯଦି କିଛି ହେବ ଏଥିପାଇଁ ଅରୁଣ ସାହୁ ହିଁ ଦାୟୀ ରହିବେ।

ସେ ଆହୁରି ମଧ୍ୟ କହିଛନ୍ତି, ‘ପରୀକୁ ହତ୍ୟା କରାଯାଇ ତାଙ୍କ ବାଡ଼ି ପଟେ ପକାଇ ଦିଆଯାଇଥିଲା। ଏହି ଘଟଣାକୁ ପାରିବାରିକ କଳହର ରୂପ ଦିଆଗଲା। ପୋଲିସ୍‌ ସମ୍ପୂର୍ଣ୍ଣ ଭାବରେ ଘଟଣାକୁ ଦିଗହରା କରାଉଛି। ଯାହାଦ୍ୱାରା ମୁଖ୍ୟ ଅଭିଯୁକ୍ତଙ୍କ ନିକଟରେ ପୋଲିସ୍‌ ପହଞ୍ଚି ପାରୁ ନାହିଁ। ପରୀ ହତ୍ୟାର ମୁଖ୍ୟ ଅଭିଯୁକ୍ତ ବାବୁଲି ନାଏକକୁ ଘଣ୍ଟ ଘୋଡ଼ା ଯାଉଛି। ବାବୁଲି ଉପସ୍ଥିତିରେ ପରୀର ବାପା ଏବଂ ମା’ଙ୍କୁ ମାଡ଼ ହୋଇଥିଲା। ଏହାକୁ ନେଇ ମୁଁ ମନ୍ତ୍ରୀ ଅରୁଣ ସାହୁଙ୍କୁ ଫୋନ୍ କରି ଜଣାଇଥିଲି। ମନ୍ତ୍ରୀ କହିଲେ ସେ ନୟାଗଡ଼ରେ ନାହିଁ, ମୋ ପାଖରେ ଅଛି। କିନ୍ତୁ ସେତେବେଳକୁ ବାବୁଲି ଘଟଣାସ୍ଥଳରେ ଥିବା ପ୍ରମାଣ ଦେଇଥିଲି। ଏସବୁ ଥିରୁ ସ୍ପଷ୍ଟ ହେଉଛି ଯେ ବାବୁଲିକୁ ମନ୍ତ୍ରୀ ଘଣ୍ଟ ଘୋଡ଼ାଉଥିଲେ।

ଏହାସହ ନୟାଗଡ଼ ଏସ୍‌ପିଙ୍କ ନାଁରେ ମଧ୍ୟ ସଂଗୀନ ଅଭିଯୋଗ ଆଣି ସରପଞ୍ଚ ସୌମ୍ୟରଞ୍ଜନ କହିଛନ୍ତି, ପରୀ ହତ୍ୟା ଘଟଣାକୁ ନେଇ ରାସ୍ତାରୋକ କରାଯାଇଥିଲା। ଅଭିଯୁକ୍ତମାନଙ୍କୁ ଗିରଫ ଦାବିରେ ରାସ୍ତାରୋକ ହୋଇଥିଲା। ଏହାକୁ ନେଇ ଏସ୍‌ପି ମୋତେ ଦୋଷାରୋପ କରିଥିଲେ। ଏସବୁଥିରୁ ଓହରି ଯିବାକୁ ମୋତେ ଏସ୍‌ପି କହିଥିଲେ।

ପଢ଼ନ୍ତୁ: ମନ୍ତ୍ରୀ ଅରୁଣ ସାହୁ ଓ ସରପଞ୍ଚଙ୍କ ଭାଇରାଲ୍‌ ଅଡିଓକୁ ନେଇ ଚର୍ଚ୍ଚା

You might also like