ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେଲେ ସୁରେଶ ମହାପାତ୍ର

ଭୁବନେଶ୍ୱର: ନୂଆବର୍ଷରେ ଆଜି ମୁଖ୍ୟ ଶାସନ ସଚିବ ଭାବେ ବରିଷ୍ଠ ଆଇଏଏସ୍ ଅଧିକାରୀ ସୁରେଶ ମହାପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ୧୯୮୬ ବ୍ୟାଚ୍‌ର ଏହି ବରିଷ୍ଠ IAS ଅଧିକାରୀଙ୍କୁ ରାଜ୍ୟ ପ୍ରଶାସନର ମୁଖ୍ୟ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର।

ଏହି ଅବସରରେ ସୁରେଶ ମହାପାତ୍ର କହିଛନ୍ତି, ୨୦୨୧ ନୂଆବର୍ଷ ଓଡ଼ିଶାବାସୀଙ୍କ ପାଇଁ ସୁଖପ୍ରଦ  ମଙ୍ଗଳମୟ ହେଉ। ରାଜ୍ୟର ସର୍ବାଙ୍ଗୀନ ବିକାଶ ତଥା ସବୁ ଅଞ୍ଚଳର ଓ ସବୁ ବର୍ଗର ବ୍ୟକ୍ତିଙ୍କ କିଭଳି ବିକାଶ ହୋଇପାରିବ ସେଥିପ୍ରତି ବିଶେଷ ଦୃଷ୍ଟି ଦିଆଯିବ। ଯେଉଁସବୁ ପ୍ରୋଜେକ୍ଟ ସ୍କିମ୍‌ ଆରମ୍ଭ କରାଯାଇଛି, ସେସବୁକୁ ଆହୁରି ଆଗକୁ ଆଗେଇ ନେବୁ। କୋଭିଡ୍‌ ମୁକାବିଲା ସହ ଜନସାଧାରଣଙ୍କ ଜୀବିକା ଓ ଅର୍ଥନୀତିକ କାର୍ଯ୍ୟକଳାପ ଯେଉଁ ଗୁଡ଼ିକ ମନ୍ଥର ହୋଇଯାଇଛି, ଏହାକୁ ପୁଣିଥରେ ରିଭାଇଭ୍‌ କରିବା ଓ କିଭଳି ଭାବରେ ଏହାକୁ ଆଗକୁ ନେଇପାରିବା ତାହା ଏବର୍ଷ ପାଇଁ ଚ୍ୟାଲେଞ୍ଜ ହେବ।

ଏହା ପୂର୍ବରୁ ସୁରେଶ ମହାପାତ୍ର ଏକାଧିକ ଜିଲ୍ଲାର ଜିଲ୍ଲାପାଳ ସହ ଜଳ ସମ୍ପଦ, ଶକ୍ତି, ଜଙ୍ଗଲ ଓ ପରିବେଶ, ଗୃହ , କୃଷି, ଶିଳ୍ପ ଭଳି ପ୍ରମୁଖ ବିଭାଗରେ କାମ କରିଛନ୍ତି। ସେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି। ଆଇଏଏସ୍‌ ଅସିତ୍‌ ତ୍ରିପାଠୀଙ୍କ ଅବସର ପରେ ସୁରେଶ ମହାପାତ୍ର ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।

ଜାଣନ୍ତୁ ସଂକ୍ଷେପରେ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସମ୍ପର୍କରେ…

  • ସୁରେଶ ମହାପାତ୍ର ୧୯୮୬ ବ୍ୟାଚ୍‌ର ଆଇଏଏସ୍ ଅଧିକାରୀ।
  • ମୁଖ୍ୟ ଉନ୍ନୟନ କମିଶନର ଭାବେ ସେ କାର୍ଯ୍ୟ କରିଛନ୍ତି।
  • ବହୁ ଦିନ ଧରି ସେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ତୁଲାଇଛନ୍ତି।
  • ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ ମଧ୍ୟ ସେ ଦାୟିତ୍ୱ ତୁଲାଇଛନ୍ତି।
  • ସ୍ପେଶାଲ ରିଲିଫ୍ କମିଶନର ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ମଧ୍ୟ ସେ ଦାୟିତ୍ୱ ତୁଲାଇଛନ୍ତି।
  • ବରିଷ୍ଠ IAS ଅଧିକାରୀ ସୁରେଶ ମହାପାତ୍ର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲାର ଜିଲ୍ଲାପାଳ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସହ ଜଳସଂପଦ, ଶକ୍ତି, ଜଙ୍ଗଲ ଓ ପରିବେଶ ଭଳି ବିଭାଗର ସିବ ଭାବେ ବେଶ୍ ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି।

ସେହିପରି ଅବସର ନେବା ପରେ ଅସିତ୍‌ ତ୍ରିପାଠୀଙ୍କୁ ନୂଆ ଦାୟିତ୍ୱ ମିଳିଛି। ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ଅସିତ୍ ତ୍ରିପାଠୀଙ୍କୁ ନିଯୁକ୍ତ କରାଯାଇଛି। ଏଥିସହ ସେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଭାବେ ମଧ୍ୟ ନିଯୁକ୍ତ ହୋଇଛନ୍ତି। ଏଥିସହ ଆଞ୍ଚଳିକ ବିକାଶ, ପର୍ଯ୍ୟଟନ, କୃଷିଭିତ୍ତିକ ବ୍ୟବସାୟ, ଶିଳ୍ପର ମଧ୍ୟ ପରାମର୍ଶଦାତା ଦାୟିତ୍ୱ ତୁଲାଇବେ ଅସିତ୍ ତ୍ରିପାଠୀ।

ସେହିପରି ଆଇଏଏସ୍ ଅଫିସର ପ୍ରଦୀପ କୁମାର ଜେନାଙ୍କୁ ଉନ୍ନୟନ କମିଶନର୍ ଭାବେ ନିଯୁକ୍ତି ମିଳିଛି। ପ୍ରଦୀପ ବର୍ତ୍ତମାନ ଏସ୍ଆରସି ସହ ଗ୍ରାମ୍ୟ ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟ କରୁଛନ୍ତି।

ସୂଚନା ଥାଉକି, ଉନ୍ନୟନ କମିଶନର ଭାବେ ଦାୟିତ୍ୱରେ ଥିବା ଅସିତ୍ ତ୍ରିପାଠୀ ୨୦୧୯ ଅଗଷ୍ଟ ୧୯ ତାରିଖରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱ ସମ୍ଭାଳିଥିଲେ। ମୁଖ୍ୟ ଶାସନ ସଚିବ ଥିବା ଆଦିତ୍ୟ ପ୍ରସାଦ ପାଢ଼ି ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେବାପରେ ଅସିତଙ୍କୁ ମୁଖ୍ୟ ଶାସନ ସଚିବ ପଦବୀ ମିଳିଥିଲା। ଏହା ପୂର୍ବରୁ ଆଇଏଏସ୍ ଅଧିକାରୀ ଅସିତ୍ ତ୍ରିପାଠୀଙ୍କୁ ଆର୍. ବାଲ୍‌କ୍ରିଷ୍ଣନ୍‌ଙ୍କ ପରେ ଉନ୍ନୟନ କମିଶନର ଭାବେ ନିଯୁକ୍ତି ଦେଇଥିଲେ ରାଜ୍ୟ ସରକାର।

You might also like