ଅରବିନ୍ଦ କେଜ୍ରିୱାଲଙ୍କ ପାଇଁ ରାଜନୀତିକୁ ଆସିଲି-ଗମ୍ଭୀର

ଭୁବନେଶ୍ୱର: ସବୁ କ୍ରିକେଟରଙ୍କ ସ୍ୱପ୍ନ ଥାଏ ବିଶ୍ୱକପ ଦଳରେ ଖେଳିବ, ଜିତିବ।  ମୁଁ ଭାଗ୍ୟବାନ ଯେ,  ଦୁଇ ଦୁଇଟି ବିଶ୍ୱକପ ବିଜୟୀ ଟିମ୍‌ରେ ମୁଁ ଥିଲି।  ମାତ୍ର ପଦାର୍ପଣ ବିଶ୍ୱକପ ମ୍ୟାଚରେ ମୁଁ ଶୂନରେ ଆଉଟ ହୋଇଥିଲି।’ ଆଜି OTVର ବାର୍ଷିକ ସମ୍ମିଳନୀ ଫୋରସାଇଟ୍-୨୦୨୧ରେ ଯୋଗଦେଇ ନିଜର ଏମିତି ଅନୁଭୂତି ବାଣ୍ଟିଛନ୍ତି ଭାରତୀୟ କ୍ରିକେଟ ଦଳର ପୂର୍ବତନ ଓପ୍‌ନର  ତଥା ଇଷ୍ଟ ଦିଏଲ୍ଲୀର ସାଂସଦ ଗୌତମ ଗମ୍ଭୀର।

ସେ କହିଥିଲେ, ମୋ ଜୀବନ ଉତ୍‌ଥାନ ପତନ ଦେଇ ଗତି କରିଛି। କ୍ରିକେଟ ଫିଲ୍‌ଡ ଛାଡ଼ି ରାଜନୀତିକୁ କାହିଁକି ଆସିଲେ ? ଏହାର ଉତ୍ତର ଦେବାକୁ ଯାଇ ଗମ୍ଭୀର କହିଥିଲେ,  କେବଳ ରାଜନୀତି ଦ୍ୱାରା ହିଁ ଆପଣ ପ୍ରକୃତ ସତ୍ୟ ଜାଣିପାରିବେ। ଲୋକଙ୍କ ସହ ମିଶିବେ, ଗ୍ରାଉଣ୍ଡ ରିଅଲିଟି ଜାଣିପାରିବେ। ଲୋକଙ୍କ ସହ ମିଶି ତାଙ୍କ ସମସ୍ୟା ଜାଣି ତାକୁ ସମାଧାନ କରି ପାରିବେ। ରାଜନୀତିରେ ରହିଲେ ଆପଣ ଲୋକଙ୍କ ପାଇଁ କିଛି କରିପାରିବେ। ତେଣୁ ରାଜନୀତିକୁ ଆସିଛି । ତେବେ ମିଥ୍ୟା ପ୍ରତିଶ୍ରୁତି ଦେଇ ଲୋକଙ୍କ ଭାବନା ସହ ଖେଳି ଭୋଟ ନେବା ଠିକ ନୁହେଁ ସେ କହିଛନ୍ତି।

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ଓ ଅନୁପାଳନ ପ୍ରସଙ୍ଗରେ ମନ୍ତବ୍ୟ ଦେଇ ଗମ୍ଭୀର କହିଥିଲେ, ସାଧାରଣ ଲୋକଙ୍କୁ କେଜରିୱାଲ ଧୋକା ଦେଇଛନ୍ତି । ମାଗଣା ସମସ୍ତଙ୍କୁ ନୁହେଁ, ଯାହାକୁ ନିହାତି ଦରକାର ତାକୁ ମିଳୁ।  ସାଧାରଣ ଲୋକଙ୍କ ପଇସାରେ କାହିଁକି ସମସ୍ତଙ୍କୁ ମାଗଣା ଦିଆଯିବ ବୋଲି ସେ ପ୍ରଶ୍ନ କରିଥିଲେ। ଦିଲ୍ଲୀକୁ ଲାଚାର ନୁହେଁ, ସକ୍ଷମ ବନାଇବାକୁ ଚାହୁଁ ବୋଲି କହିଥିଲେ ଗମ୍ଭୀର। ଅରବିନ୍ଦ କେଜରିୱାଲ ଦିଲ୍ଲୀକୁ ଲାଚାର ବନାଇ ଦେଲେଣି ବୋଲି ଅଭିଯୋଗ ଆଣିଥିଲେ ଗମ୍ଭୀର। ତେଣୁ ଭଲ ଲୋକ  ରାଜନୀତିକୁ ଆସିବା ନିହାତି ଦରକାର କହିଥିଲେ ଗମ୍ଭୀର। ସେ ଅରବିନ୍ଦ କେଜ୍ରିୱାଲଙ୍କ ପାଇଁ ରାଜନୀତିରେ ଯୋଗ ଦେଇଛନ୍ତି ବୋଲି କହିଥିଲେ।

ସେ କହିଥିଲେ, ରାଜନୈତିକ କ୍ୟାରିୟର ଭିତରେ ଅନେକ ଶିଖିବାକୁ ମିଳିଛି । ଏଥିପାଇଁ କମ୍ଫର୍ଟ ଜୋନରୁ ବାହାରକୁ ଆସିବାକୁ ପଡିବ।  ସତ କହିବାକୁ ସତ୍ ସାହସ ଥିବା ଦରକାର ।   ନାପିଏର ଟେଷ୍ଟ ତାଙ୍କ କ୍ୟାରିୟରର ଏକ ସ୍ମରଣୀୟ ଇନିଂସ ବୋଲି କହିଥିଲେ ଗମ୍ଭୀର। ସେ ଦିନର ଅନୁଭୂତି ବର୍ଣ୍ଣନା କରି କହିଥିଲେ,  ସେହି ମ୍ୟାଚରେ ପ୍ରାୟ ଅଢେଇ ଦିନ ଧରି ନ୍ୟୁଜିଲାଣ୍ଡ ବିରୋଧରେ ଖେଳିବା ଏତେ ସହଜ ନଥିଲା ପ୍ରଥମ ଦୁଇ ଘଣ୍ଟା  ମଁ  କିଛି ରନ କରି ନଥିଲି । ଅଧିକ ସମୟ କ୍ରିଜରେ ରହି ଧୈର୍ଯ୍ୟର ସହ ଖେଳି ସଫଳତା ପାଇଥିବା ଗମ୍ଭୀର କହିଛନ୍ତି ।ଏଥିସହ ୨୦୧୨ ଓ ୨୦୧୪ ଆଇପିଏଲରେ ଗମ୍ଭୀରଙ୍କ ନେତୃତ୍ୱରେ ଦଳ ସଫଳତା ପାଇଥିଲା। ଏଥିପାଇଁ ସେ ସବୁ ଖେଳାଳିଙ୍କୁ ଶ୍ରେୟ ଦେଇଛନ୍ତି। କିନ୍ତୁ କୋଲକତା ପାଇଁ ୭ବର୍ଷ ଖେଳିଥିଲେ ମଧ୍ୟ ମମତାଙ୍କ ମନ୍ତବ୍ୟ ତାଙ୍କୁ ଦୁଃଖ ଦେଇଥିଲା ବୋଲି ଗମ୍ଭୀର କହିଛନ୍ତି ।

କ୍ରିକେଟର ତଥା ସାଂସଦ ଗୌତମ ଗମ୍ଭୀର କହିଥିଲେ, ‘ମୁଁ ସତକଥା କହିଲେ ଲୋକେ ମୋର ଆଟିଚ୍ୟୁଡ ପ୍ରବ୍ଲେମ କହନ୍ତି। ସତ କହିଲେ ଅପ୍ରିୟ ହେବା ନିଶ୍ଚିତ। ସତ କହି ମୁଁ ଟିମ୍‌ରୁ ଡ୍ରପ୍ ହୋଇଛି। ସତ କଥା ନିଶ୍ଚିତ କହିବି, ଭୁଲ୍ ବିରୋଧରେ ନିଶ୍ଚିତ ଛିଡ଼ା ହେବି। ଯଦି କେହି ଏହାକୁ ଅଟିଚ୍ୟୁଡ ପ୍ରବ୍ଲେମ କହିବେ, ତେବେ ଠିକ୍ ଅଛି।’
ଟିମ୍ ଅଧିନାୟକ ସଂପର୍କରେ ଗୁରୁତ୍ୱପୂର୍ଣ୍ଣ ପ୍ରତିକ୍ରିୟା ଦେଇ ଗମ୍ଭୀର କହିଥିଲେ, ଅଧିନାୟକ ୩ ଘଣ୍ଟା ମ୍ୟାଚରେ ଲିଡ୍ କରେ।  ଲିଡର ୨୪ ଘଣ୍ଟା ଲିଡ୍ କରେ। ଅଧିନାୟକ ଯେବେ ଲିଡର ହୋଇଯିବ, ଟିମ୍ ଅଧିକ ସଂଗଠିତ ହେବ।

ମହିଳାମାନଙ୍କୁ ସୁରକ୍ଷା ଦେବାକୁ ସେ ଆହ୍ୱାନ ଦେଇଛନ୍ତି। ମହିଳାମାନେ ରାଫେଲ ଚଳାଇବା ସହ ଅନେକ ଦାୟିତ୍ୱ ସଫଳତାର ସହ କରୁଛନ୍ତି। ତେଣୁ ଆମର ବ୍ୟବହାରରେ ପରିବର୍ତ୍ତନ ଆସିବା ଦରକାର । ଦିଲ୍ଲୀରେ ଗାଜିପୁର ଲ୍ୟାଣ୍ଡଫିଲକୁ ସଫା କରିବାକୁ ଅନେକ ପଦକ୍ଷେପ ନିଆଯାଉଛି। ଏହାକୁ ପୁରା ସଫା କରିବା ତାଙ୍କର ଲକ୍ଷ୍ୟ ବୋଲି ସ୍ପଷ୍ଟ କରିଥିଲେ।

ଶେଷରେ ନିଜର ଅବସୋସ ସମ୍ପର୍କରେ ଗୌତମ କହିଥିଲେ , ‘ଆର୍ମିରେ ଯୋଗ ଦେଇ ନ ପାରିବା ମୋର ସବୁଠାରୁ ବଡ଼ ଦୁଃଖ।
ଏହି ଦୁଃଖ ମୋର ସାରା ଜୀବନ ରହିବ’ ବୋଲି ଓଟିଭି ଫୋରସାଇଟ୍ ରେ ଗମ୍ଭୀର କହିଛନ୍ତି।

 

You might also like