ମୋର ପ୍ରତିଦ୍ୱନ୍ଦ୍ୱୀ କେହି ନାହିଁ-ରୀତା

ଭୁବନେଶ୍ୱର:‘ମୋର ପ୍ରତିଦ୍ୱନ୍ଦ୍ୱୀ କେହି ନାହାନ୍ତି। ବିଜେଡି ଏଠି ସର୍ବାଧିକ ଭୋଟରେ ଜିତିବ।’ ବିଜେପୁର ଉପନିର୍ବାଚନ ଭୋଟ ଗଣତି ପୂର୍ବରୁ ବିଜେଡି ପ୍ରାର୍ଥୀ ରୀତା ସାହୁ ଆତ୍ମବିଶ୍ୱାସର ସହ ଏହା କହିଛନ୍ତି।

ବିଜେପୁର ବ୍ୟାଟଲ୍‌ ଆଜି ଶେଷ ପର୍ଯ୍ୟାୟରେ। ଆଜି ସକାଳୁ ଆରମ୍ଭ ହୋଇ ଯାଇଛି ଭୋଟ ଗଣତି। ଭୋଟ ଗଣତି ଫଳାଫଳରୁ ଯାହା ଜଣାପଡ଼ୁଛି, ଫଳାଫଳ ବିଜେଡି ମୁହାଁ । ବିଜେଡି ପ୍ରାର୍ଥୀ ରୀତା  ସାହୁ ଆଗରେ ଅଛନ୍ତି। ଏହାକୁ ଦେଖି ରୀତା ଖୁବ୍‌ ଉତ୍ସାହିତ ଅଛନ୍ତି।

ବିଜେପୁର ବିଧାନସଭା ଆସନରୁ ପ୍ରଥମେ ନବୀନ ପଟ୍ଟନାୟକ ଠିଆ ହୋଇ ଜିତିଥିଲେ। ହେଲେ ପରବର୍ତ୍ତୀ ସମୟରେ ସେ ଏହି ଆସନରୁ ଇସ୍ତଫା ଦେବା ପରେ ହୋଇଥିଲା ଉପନିର୍ବାଚନ। ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଭାବେ ରୀତା ସାହୁ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ।

ଆଜି ସକାଳୁ ଭୋଟ ଗଣତି ଆରମ୍ଭ ହୋଇଛି।  ସବୁଦିନ ପରି ସକାଳୁ ଉଠି ଠାକୁରଙ୍କ ଆଶୀର୍ବାଦ ନେଇ ଫଳାଫଳକୁ ଶୁଣିବାକୁ ଅପେକ୍ଷା କରିଛନ୍ତି ରୀତା ସାହୁ। ତେବେ ସେ ନିଜ ବିଜୟକୁ ନେଇ ଏକ ପ୍ରକାର ଦୃଢ ନିଶ୍ଚିତ। ଏନେଇ ତାଙ୍କୁ ପଚରାଯାଇଥିଲା କିଏ ଆପଣଙ୍କର ପ୍ରତିଦ୍ୱନ୍ଦ୍ୱୀ ? ରୋକଠୋକ୍‌ ଉତ୍ତର ଦେଇଥିଲେ- ‘ମୁଁ ଭାବୁଛି, ମୋର ପ୍ରତିଦ୍ୱନ୍ଦ୍ୱୀ କେହି ନାହିଁ। ବିଜେପି-କଂଗ୍ରେସଙ୍କର ପ୍ରତିଦ୍ୱନ୍ଦ୍ୱୀ ଥାଉ ପାରନ୍ତି। କିନ୍ତୁ ବିଜେଡି ସର୍ବାଧିକ ଭୋଟରେ ଜିତିବ।’

ଭୋଟ ମାର୍ଜିନ ବଢିବ ନା କମିବ ବୋଲି ପ୍ରଶ୍ନର ଉତ୍ତରରେ ରୀତା କହିଲେ-‘ଅଞ୍ଚଳବାସୀ ଦଳ ଉପରେ ଏବଂ ମୋ ଉପରେ ଭରସା କରିଛନ୍ତି। ତେଣୁ ଏଥର ମାର୍ଜିନ ବଢିବ ବୋଲି ମୋର ଆଶା।’

ବିଜୟୀ ହେଲେ ଆପଣଙ୍କର ପ୍ରଥମ ଫୋକସ୍‌ କ’ଣ ରହିବ ? ଏହାର ଉତ୍ତରରେ ରୀତା କହିଥିଲେ ‘ମୋର ଅଞ୍ଚଳବାସୀଙ୍କ ପାଇଁ କାମ କରିବି। ବିଶେଷ କରି ଚାଷ, ପିଇବା ପାଣି ଓ ସ୍ୱାସ୍ଥ୍ୟ ସମସ୍ୟା ଉପରେ ଗୁରୁତ୍ୱ ଦେବି।’

ଏଥର ୪୦ ହଜାର ଭୋଟରେ ଜିତିବେ ବୋଲି ଦୃଢତାର ସହ କହିଛନ୍ତି ବିଜେଡି ପ୍ରାର୍ଥୀ ରୀତା ସାହୁ।

You might also like