ବିଧାନସଭା ସ୍ୱାଧିକାର କମିଟିରେ ହାଜର ହେଲେ ଓଟିଭି ନିର୍ଦ୍ଦେଶିକା

ନୋଟିସ୍ ପ୍ରତ୍ୟାହାର ସତ୍ତ୍ୱେ ସମନକୁ ନେଇ ତାରାଙ୍କ ନିନ୍ଦା

ଭୁବନେଶ୍ୱର: ବିଧାନସଭା ସ୍ୱାଧିକାର କମିଟିରେ ପକ୍ଷ ରଖିଲେ ଓଟିଭି ନିର୍ଦ୍ଦେଶିକା ଜଗି ମଙ୍ଗତ୍ ପଣ୍ଡା। ଗତ ନଭେମ୍ବର ୧୯ ଶୀତ ଅଧିବେଶନ ପ୍ରଶ୍ନକାଳ ସଂପର୍କିତ ଖବର ପ୍ରସାରଣକୁ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ଆଣିଥିବା ସ୍ୱାଧିକାର ଭଙ୍ଗ ନୋଟିସ୍‌ ଉପରେ ଜଗି କମିଟି ଆଗରେ ନିଜ ମତ ଉପସ୍ଥାପନ କରିଥିଲେ।

ସେପଟେ ସ୍ୱାଧିକାର କମିଟିରେ ହାଜର ହେବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଜଗି ମଙ୍ଗତ୍ କହିଛନ୍ତି, ଓଟିଭିକୁ ଜାଣିଶୁଣି ହଇରାଣ କରାଯାଉଛି। ଜଣେ ମହିଳା ଉଦ୍ୟୋଗପତି ଭାବେ ଗତ ୨୨ ବର୍ଷ ଧରି ସେ କାର୍ଯ୍ୟ କରିବା ସହ ରାଜ୍ୟରେ ୨ ହଜାରରୁ ଅଧିକ ଯୁବକଯୁବତୀଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି କରିଛନ୍ତି।

ତେବେ ପ୍ରଥମ ଥର ଲାଗି ତାଙ୍କୁ ସାଙ୍ଘାତିକ ଭାବେ ହଇରାଣ କରାଯାଉଥିବା ସେ ଅନୁଭବ କରୁଥିବା କହିଛନ୍ତି। ସେପଟେ ଓଟିଭି ବିରୁଦ୍ଧରେ ଥିବା ଅଭିଯୋଗର ଯାଞ୍ଚ ଚାଲିଛି ଓ ଆଉ ଏକ ତାରିଖରେ ଏନେଇ ପୁଣି ଶୁଣାଣି କରାଯିବ ବୋଲି ସ୍ୱାଧିକାର କମିଟି ଅଧ୍ୟକ୍ଷ ତଥା ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି।

ସେପଟେ ଓଟିଭି କର୍ତ୍ତୃପକ୍ଷଙ୍କୁ ସ୍ୱାଧିକାର କମିଟିକୁ ଡକାଯିବାକୁ ନିନ୍ଦା କରିଛନ୍ତି ନିଜେ ସ୍ୱାଧିକାର ଭଙ୍ଗ ପ୍ରସ୍ତାବ ଆଣିଥିବା ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି। ନିଜ ନୋଟିସ୍ ପ୍ରତ୍ୟାହାର ପାଇଁ ସେ ବିଧାନସଭା ସଚିବଙ୍କୁ ଚିଠି ଲେଖିସାରିଥିବା ବେଳେ ଜଗି ମଙ୍ଗତ ପଣ୍ଡାଙ୍କୁ ସମନ୍ କରାଯିବା ନିନ୍ଦନୀୟ ବୋଲି ସେ କହଛନ୍ତି।

ନବୀନ ପଟ୍ଟନାୟକ ସରକାରରେ ଉଦ୍ୟୋଗୀ ଅସୁରକ୍ଷିତ ବୋଲି ଖୋଦ୍ ତାରା କହିଛନ୍ତି। ସେପଟେ ସରକାର ଯେଣତେଣ ପ୍ରକାରେ ଓଟିଭିର କଣ୍ଠରୋଧ ଲାଗି ଉଦ୍ୟମ କରୁଥିବା ବରିଷ୍ଠ ସାମ୍ବାଦିକ ମତ ଦେଇଛନ୍ତି।

ଗତ ନଭେମ୍ବର ୧୯ତାରିଖ ଶୀତ ଅଧିବେଶନ ପ୍ରଶ୍ନକାଳ ସମୟରେ ବାଚସ୍ପତି ସରକାରୀ ଦଳକୁ ସୁହାଇଲା ଭଳି ରଣନୀତି ଅନୁସାରେ ଗୃହ ପରିଚାଳନା କରିଥିବା ବିରୋଧୀ ବିଜେପି ଓ କଂଗ୍ରେସ ଅଭିଯୋଗ ଆଣିଥିଲେ। ପ୍ରଶ୍ନ କାଳରେ ବିଧାନସଭା ସଚିବ ଅମୀୟ କୁମାର ଷଡ଼ଙ୍ଗୀ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ସହ ଆଲୋଚନା କରିବା ପରେ ବାଚସ୍ପତିଙ୍କ ନିକଟକୁ ଯାଇ ଗୃହକୁ ୩ଟା ଯାଏ ମୁଲତବୀ ରଖିବା ଲାଗି କହିବା ଓ ସିଧାପ୍ରସାରଣ ଚାଲିଥିବାରୁ ଏହା ମାଇକ୍ ଯୋଗେ ଶୁଣାଯିବା ଖବର ସଂପୂର୍ଣ୍ଣ ତଥ୍ୟଭିତ୍ତିକ ଭାବେ ଭିଜୁଆଲ୍ ସହ ଓଟିଭି ପ୍ରସାରଣ କରିଥିଲା।

You might also like