ଚଳନ୍ତା ଟ୍ରେନ୍‌ରୁ ସ୍ତ୍ରୀକୁ ଠେଲି ଦେଲା ସ୍ୱାମୀ

ଯାଜପୁର: ଚଳନ୍ତା ଟ୍ରେନ୍‌ରୁ ସ୍ତ୍ରୀକୁ ଠେଲି ଦେଲା ସ୍ୱାମୀ। ଯାଜପୁର ଜିଲ୍ଲା ଜେନାପୁର ଷ୍ଟେସନ ନିକଟରେ ଏହି ଅଭାବନୀୟ ଘଟଣା ଘଟିଛି। ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ଚଳନ୍ତା ଟ୍ରେନ୍‌ରୁ ଠେଲି ଦେବାରୁ ତାଙ୍କର ବାମ ଗୋଡ଼ ପୂରା କଟି ଯାଇଛି।

ସୂଚନା ଅନୁସାରେ, ବାଲେଶ୍ୱରରୁ ମଜୁରୀ କାମ ସାରି ଯାଜପୁର ରୋଡ୍‌କୁ ଟ୍ରେନ୍‌ରେ ଫେରିବା ବେଳେ ରବି ଦାସ ଓ ତାଙ୍କ ସ୍ତ୍ରୀ ସାବିତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ରବି ମଦ ପିଇଥିଲେ। ଟ୍ରେନ୍‌ଟି ଜେନାପୁର ଷ୍ଟେସନ୍ ପାଖରେ ପହଞ୍ଚିବା ସମୟର ରବି ତାଙ୍କ ସ୍ତ୍ରୀକୁ ଟ୍ରେନ୍‌ରୁ ଧକ୍କା ଦେଇଥିଲେ।

ସେଠାରେ ଉପସ୍ଥିତ ଲୋକେ ସାବିତ୍ରୀଙ୍କୁ ଉଦ୍ଧାର କରି ଯାଜପୁର ରୋଡ୍ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଅନ୍ୟପକ୍ଷରେ, ସାବିତ୍ରୀଙ୍କ ସ୍ୱାମୀ ଫେରାର ହୋଇଯାଇଛନ୍ତି।

ଦୁଇ ବର୍ଷ ତଳେ ସାବିତ୍ରୀ ନିଜର ପ୍ରଥମ ସ୍ୱାମୀଙ୍କୁ ଛାଡ଼ି ରବିଙ୍କୁ ବାହା ହୋଇଥିଲେ। ସାବିତ୍ରୀଙ୍କ ଘର ଯାଜପୁର ରୋଡ୍‌ ମୁଣ୍ଡମାଳ ଆଦିବାସୀ ସାହିରେ ବୋଲି ଜଣାପଡ଼ିଛି। ରବିଙ୍କ ଘର ପଶ୍ଚିମବଙ୍ଗରେ।

You might also like