ସ୍ତ୍ରୀର ତଣ୍ଟି ଚିପି ସ୍ୱାମୀ ଫେରାର
ବଲାଙ୍ଗିର: ଅଗ୍ନିକୁ ସାକ୍ଷୀ ରଖି ସ୍ତ୍ରୀକୁ ଜୀବନ ଯାକ ସୁରକ୍ଷା ଯୋଗାଇଦେବା ପାଇଁ ଶପଥ ନେଇଥାଏ ସ୍ୱାମୀ। କିନ୍ତୁ କିଛି ଜାଗାରେ ପିଶାଚ ସାଜିଯାଏ ସ୍ୱାମୀ। ଯେଉଁ ହାତରେ ଅଗ୍ନିକୁ ସାକ୍ଷୀ ରଖି ବାହା ହୋଇଥାଏ, ସେହି ହାତରେ ନିଜ ସ୍ତ୍ରୀକୁ ହତ୍ୟା କରିବାକୁ ମଧ୍ୟ ପଛାଇ ନଥାଏ। ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ୍ ଅନ୍ତର୍ଗତ ସଂସା ଗାଁରେ ଏଭଳି ଏକ ଘଟଣା ଘଟିଛି। ଜଣେ ବ୍ୟକ୍ତି ନିଜ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କରିଥିବା ସୂଚନା ମିଳିଛି।
ଗାଁର ସୁଦାମ ସାହୁ ନିଜ ସ୍ତ୍ରୀ ଦଶମୀ ସାହୁଙ୍କୁ ହତ୍ୟାକରି ଫେରାର ହୋଇଯାଇଛନ୍ତି। ଗତ ୧୦ ବର୍ଷ ତଳେ ଦଶମୀକୁ ବାହା ହୋଇଥିଲା ସୁଦାମ। ଗତକାଲି ବିଳମ୍ୱିତ ରାତିରେ କୌଣସି କାରଣକୁ ନେଇ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ସୁଦାମ ହିତାହିତ ଜ୍ଞାନ ଭୁଲି ଦଶମୀଙ୍କ ତଣ୍ଟି ଚିପି ହତ୍ୟା କରିଥିବା ସନ୍ଦେହ କରାଯାଉଛି।
ଘଟଣା ପରେ ସୁଦାମ ଫେରାର ଥିବା ବେଳେ ଆଗଲପୁର ଫାଣ୍ଡି ପୋଲିସ୍ ଏବଂ ଲୋଇସିଂହା ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛନ୍ତି । ପ୍ରାଥମିକ ତଦନ୍ତରୁ ହତ୍ୟା କରାଯାଉଥିବା ଅନୁମାନ କରାଯାଉଥିବା ବେଳେ କାରଣ ଜଣାପଡିନାହିଁ। ହତ୍ୟାକାରୀ ସ୍ୱାମୀଙ୍କୁ ଗିରଫ ପରେ ସବୁକିଛି ସ୍ପଷ୍ଟ ହେବ ବୋଲି ତଦନ୍ତକାରୀ ଅଧିକାରୀ କହିଛନ୍ତି।