ଅନ୍ୟ ଯୁବତୀଙ୍କ ପ୍ରେମ ଜାଲରେ ପଡ଼ିଗଲେ ସ୍ୱାମୀ, ସ୍ତ୍ରୀକୁ ହତ୍ୟା ପାଇଁ ଦେଲେ ସୁପାରି

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ନୟାଗଡ଼ ଜିଲ୍ଲା ଶରଣକୁଳରେ ଘର ଭିତରେ ମହିଳାଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣାର ପର୍ଦ୍ଦାଫାସ ହୋଇଛି। ସୁପାରି ଦେଇ ପତ୍ନୀଙ୍କୁ ସ୍ୱାମୀ ହତ୍ୟା କରିଥିବା ଖୁଲାସା ହୋଇଛି‌। ଏହି ଘଟଣାରେ ପୋଲିସ୍‌ ଆଜି ୪ଜଣଙ୍କୁ ଗିରଫ କରିଛି। ଏମାନଙ୍କ ମଧ୍ୟରେ ୨ଜଣ ସୁପାରି କିଲର୍‌ ଥିବାବେଳେ ଅନ୍ୟ ୨ଜଣ ସେମାନଙ୍କର ସହଯୋଗୀ ବୋଲି ଜଣାପଡ଼ିଛି। ପୂର୍ବରୁ ସମ୍ପୃକ୍ତ ମହିଳାଙ୍କ ସ୍ୱାମୀଙ୍କୁ ପୋଲିସ୍‌ ଗିରଫ କରିଥିଲା। ଏବେ ସେ ଜେଲ୍‌ରେ ଅଛନ୍ତି।

ଗତ ଜାନୁଆରୀ ୨୯ ତାରିଖରେ ଶରଣକୁଳ ସୁଆର ସାହିର ଅଖି ମହାପାତ୍ରଙ୍କ ପତ୍ନୀ ସସ୍ମିତାଙ୍କ ମୃତଦେହ ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ପୋଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ କରିବା ପରେ ସସ୍ମିତାଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଥିଲା। ଏହାପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା।

ପୋଲିସର କହିବାନୁଯାୟୀ, ସସ୍ମିତାଙ୍କ ସ୍ୱାମୀ ଅଖିଙ୍କର ଅନ୍ୟ ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଥିଲା। ଏଥିପାଇଁ ଉଭୟ ପତିପତ୍ନୀଙ୍କ ମଧ୍ୟରେ ଝଗଡ଼ା ହେଉଥିଲା। ଏହି କାରଣରୁ ଅଖି ନିଜ ପତ୍ନୀଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରିଥିବା ପୋଲିସ୍‌ କହିଛି। ସୁପାରି ଦେଇ ଅଖି ସସ୍ମିତାଙ୍କ ହତ୍ୟା କରିଥିବା ଜଣାପଡ଼ିଛି। ପୋଲିସ୍‌ ମୃତଦେହ ଜବତ କରି ପୋଷ୍ଟମର୍ଟମ କରିବା ପରେ ସସ୍ମିତାଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଥିଲା।

ସୂଚନାଥାଉ କି, ୪ ବର୍ଷ ପୂର୍ବେ ଅଖି, ସସ୍ମିତାଙ୍କୁ ବିବାହ କରିଥିଲେ।

You might also like