ବନ୍ୟା ପାଣି ଗିଳିସାରିଲାଣି ଶହ ଶହ ଗାଁ

ଭୁବନେଶ୍ୱର: ମାଡ଼ି ଚାଲିଛି ବୈତରଣୀର ବନ୍ୟା ପାଣି। କେଉଁଠି ଲହଡ଼ି ଭାଙ୍ଗୁଛି ତ ଅାଉ କେଉଁଠି ଖେଳୁଛି ଭଉଁରୀ। ରାସ୍ତାଘାଟ, ଗାଁ ଦାଣ୍ଡ, ପଞ୍ଚାୟତ ଅଫିସ, ମନ୍ଦିର ସବୁକିଛି ଏବେ ଜଳବନ୍ଦୀ ଅବସ୍ଥାରେ। ବୈତରଣୀ ନଦୀର ଉଛୁଳା ବନ୍ୟାପାଣି ମାଡ଼ରେ ସାଂଘାତିକ ଅବସ୍ଥା ସୃଷ୍ଟି ହୋଇଛି ଭଦ୍ରକ ଜିଲ୍ଲାରେ। ବିଶେଷ କରି ଭଦ୍ରକ ସମେତ ଚାନ୍ଦବାଲି, ଧାମନଗର ଏବଂ ଭଣ୍ଡାରୀପୋଖରୀ ବ୍ଲକର ୧୨୦ରୁ ଅଧିକ ପଞ୍ଚାୟତ ପ୍ରଭାବିତ ହୋଇଛି ଏହି ବନ୍ୟାରେ। ଶହ ଶହ ଗାଁ ଏବଂ ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି। ବୈତରଣୀର ଅାଖୁଅାପଦା ନିକଟରେ ଜଳସ୍ତର କମୁଥିଲେ ବି, ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବନ୍ୟାଜଳ। ଅାରଡ଼ି-ଭଦ୍ରକ ମୁଖ୍ୟରାସ୍ତାରେ ପାଣି ଚାଲୁଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି।

ଏପଟେ ବୈତରଣୀ ନଦୀର ବନ୍ୟା ପାଣି ମାଡ଼ିଯାଇଛି ଯାଜପୁର ଜିଲ୍ଲାର ଶହ ଶହ ଗାଁକୁ। ଜିଲ୍ଲାର କୋରେଇ,ଦଶରଥପୁର,ବିଞ୍ଝାରପୁର ଏବଂ ଯାଜପୁର ବ୍ଲକ୍‌ର ଶହେରୁ ଅଧିକ ଗାଁର ୯୦ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ଶହ ଶହ ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଯାଇଛି। ଦଶରଥପୁର ବ୍ଲକ୍‌ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି। ଅଥଚ କୌଣସି ସରକାରୀ ଅଧିକାରୀଙ୍କ ଦର୍ଶନ ମିଳୁନଥିବା ଅଭିଯୋଗ କରିଛନ୍ତି କ୍ଷତିଗ୍ରସ୍ତ।

ଏସ୍‌ଅାରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରଭାବିତ ଜିଲ୍ଲା ଗୁଡ଼ିକରେ ଓଡ୍ରାଫ୍ ଏବଂ NDRF ମୁତୟନ କରାଯାଇଛି। ଅଗ୍ନିଶମ ବାହିନୀଙ୍କୁ ତୟାର ରଖାଯାଇଛି। ଯାଜପୁର ଓ ଭଦ୍ରକରେ ୬ଟି ଲେଖାଁଏ ପାୱାର ବୋଟ୍ ରଖାଯାଇଛି। ଯାଜପୁର ଓ ଭଦ୍ରକକୁ ଶହେ ଟନ୍ ଲେଖାଁଏ ଗୋଖାଦ୍ୟ ପଠାଯାଉଥିବା ବେଳେ ବିଞ୍ଝାରପୁର ବ୍ଲକର ୩ ହଜାର ୪୦ ଜଣଙ୍କୁ ସ୍ଥାନାନ୍ତରଣ କରାଯାଇଛି। ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, କେନ୍ଦୁଝରର ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି।

You might also like