ବିଚ୍ଛିନ୍ନାଞ୍ଚଳରେ ପ୍ରଜାମେଳି, ସରକାରଙ୍କ ବିରୋଧରେ ଗର୍ଜିଲେ ଶତାଧିକ ଜନତା

ଚିତ୍ରକୋଣ୍ଡା: କିଛି ଦିନର ନୀରବତା ପରେ ମାଲକାନଗିରି ବିଚ୍ଛିନ୍ନାଂଚଳରେ ପୁଣି ବସିଲା ପ୍ରଜାମେଳି। ଚିତ୍ରକୋଣ୍ଡା ମୁରାଳିଗୁଡ଼ାରେ ବସିଥିବା ପ୍ରଜାମେଳିରେ ଏକାଠି ହୋଇଥିଲେ ଶତାଧିକ ଜନତା। ଯନ୍ତ୍ରୀ, ଅଣ୍ଡ୍ରାପାଲ୍ଲି, ପଣସପୁଟ, ନାକାମାମୁଡ଼ି ପଞ୍ଚାୟତରୁ ଶହ ଶହ ସଂଖ୍ୟାରେ ଲୋକ ଏଥିରେ ଯୋଗ ଦେଇଥିଲେ।

ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ, ରାସ୍ତାଘାଟ ଭଳି ମୌଳିକ ଅଧିକାର ପ୍ରସଙ୍ଗ ନେଇ ପ୍ରଶାସନକୁ ଅବଗତ କରିବା ପାଇଁ ଏଥିରେ ନିଷ୍ପତ୍ତି ହୋଇଥିଲା। ମୁଖ୍ୟତଃ ଅଂଚଳରେ କାର୍ଯ୍ୟରତ ଅଙ୍ଗନବାଡି କର୍ମୀ ନିୟମିତ କାର୍ଯ୍ୟ କରୁନଥିବାରୁ ସେମାନଙ୍କୁ ବହିଷ୍କାର କରିବାକୁ ଦାବି ଉଠିଥିଲା।

ସେହିପରି ମୁରାଳିଗୁଡ଼ା ଆଖପାଖ ଅଞ୍ଚଳକୁ ନେଇ ଏକ ପଞ୍ଚାୟତ ଘୋଷଣା କରିବାକୁ ଦାବି କରିଥିଲେ ଲୋକେ। ବର୍ଷା ଦିନେ ଅଞ୍ଚଳର ଅନେକ ଗାଁ ଜଳବନ୍ଦୀ ହୋଇ ରହୁଥିବାବେଳେ ସେମାନଙ୍କ ସମସ୍ୟା ପ୍ରତି ସରକାର ଧ୍ୟାନ ଦେବାକୁ ଗୁରୁତ୍ୱାରୋପ କରିଥିଲେ। କିନ୍ତୁ ସେମାନଙ୍କ ପାଖରେ ନା ପହଂଚୁଛି ସରକାରୀ ବାବୁ ନା ପହଂଚୁଛି ସରକାରୀ ଯୋଜନା। ତେଣୁ ଶହଶହ ଜନତା ମୁରାଳିଗୁଡା ଠାରେ ଏକଜୁଟ ହୋଇଥିଲେ।

ସମସ୍ୟାର ସମାଧାନ ନହେଲେ ସରକାରଙ୍କୁ ଜୋରଦାର ବିରୋଧ କରାଯିବ ବୋଲି ପ୍ରଜାମେଳିରେ ନିଷ୍ପତ୍ତି ହୋଇଛି।

You might also like