ବିବାଦରେ ହ୍ୟୁମାନଙ୍କ ‘ଝିଅ ନୁହେଁ ତୁ କରୋନା ଭାଇରସ୍ ଗୀତ’: ସୋସିଆଲ୍‌ ମିଡିଆରେ କଡ଼ା ନିନ୍ଦା

ଭୁବନେଶ୍ୱର: ଝିଅ ନୁହେଁ ତୁ କରୋନା ଭାଇରସ୍। ଏହି ଗୀତକୁ ନେଇ ସୋସିଆଲ୍‌ ମିଡିଆରେ ବେଶ୍‌ ଚର୍ଚ୍ଚା। ଏହି ଗୀତ ଗାଇଛନ୍ତି ଓଡ଼ିଶାର ଲୋକପ୍ରିୟ ଗାୟକ ହ୍ୟୁମାନ ସାଗର। ଗୀତରେ କରୋନା ଭାଇରସକୁ ଝିଅ ସହ ତୁଳନା କରାଯାଇଛି। ତେବେ କରୋନା ଭାଇରସକୁ ନେଇ ସମଗ୍ର ବିଶ୍ୱର ଲୋକେ ମୁକାବିଲା କରୁଥିବାବେଳେ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ଏପରି ଗୀତକୁ ସୋସିଆଲ୍‌ ମିଡିଆରେ କଡ଼ା ସମାଲୋଚନା କରାଯାଇଛି। ଏ ନେଇ ଫେସ୍‌ବୁକ୍‌ ଟ୍ୱିଟର୍‌ ଭଳି ସାମାଜିକ ଗଣମାଧ୍ୟମରେ ନାନା ପ୍ରକାର ସମାଲୋଚିତ ପୋଷ୍ଟ ଦେଖିବାକୁ ମିଳିଛି।

ଗୀତର ଷ୍ଟୁଡିଓ ଭର୍ସନରେ ହ୍ୟୁମାନ ସାଗର ଏହାକୁ ଏକ କମେଡି ଗୀତ ବୋଲି କହିବା ସହିତ ଗୀତର ଲେଖାକୁ ତାରିଫ୍‌ କରୁଥିବାର ଦେଖାଯାଇଛି। ଯାହାକୁ ନାପସନ୍ଦ କରିଛନ୍ତି ସୋସିଆଲ୍‌ ମିଡିଆ ୟୁଜର୍‌।

‘ଝିଅ ନୁହେଁ ତୁ କରୋନା ଭାଇରସ ଗୀତ’ଟି ଗତ ମାର୍ଚ୍ଚ ୭ ତାରିଖରେ ୟୁଟ୍ୟୁବରେ ଅପଲୋଡ୍ ହୋଇଥିଲା। କିନ୍ତୁ ବର୍ତ୍ତମାନ ଏହା ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ ହେବା ସହିତ ବୁଦ୍ଧିଜୀବୀ ଏହାକୁ ସମୋଲାଚନା କରିଛନ୍ତି।

ଏନେଇ ଅଧ୍ୟାପକ ଜ୍ୟୋତିପ୍ରକାଶ ମହାପାତ୍ର ନିଜ ଫେସବୁକ୍ ଆକାଉଣ୍ଟରେ ଲେଖିଛନ୍ତି ଯେ, ହ୍ୟୁମାନ ସାଗରଙ୍କ ଏହି ଗୀତ ସମାଜ ପାଇଁ ଏକ ଅପମାନ। ଏହାସହ ତାଙ୍କର ଟିମକୁ ସେ ନିନ୍ଦା କରିଛନ୍ତି।

ସେହିପରି ଜଣେ ମହିଳାକୁ କରୋନା ଭାଇରସ ସହ ତୁଳନା କରି ଗୀତ ଗାଇବା ଅତ୍ୟନ୍ତ ନିନ୍ଦନୀୟ ବୋଲି ଅନ୍ୟ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଲେଖିଛନ୍ତି। କେହି କେହି ଭିଡିଓକୁ ଶେୟାର କରିବା ସହ ‘ଇନହ୍ୟୁମାନିଟି ହ୍ୟୁମାନ’ ବୋଲି ଲେଖିଛନ୍ତି।

You might also like