ଦ୍ରୁତ ଗତିରେ ଆସୁଥିଲା ପିକ୍‌ଅପ୍‌ ଭ୍ୟାନ୍, ଚେକିଂ ବେଳେ ଗାଡ଼ି ଭିତରୁ ମିଳିଲା ଏହିସବୁ ଜିନିଷ

ଲମତାପୁଟ: କୋରାପୁଟ-ମାଲକାନଗିରି ସୀମାନ୍ତ ହନୁମାଲ ଗାଁ ନିକଟରେ ଏକ  ପିକ୍‌ଅପ୍‌ ଭ୍ୟାନ୍‌‌ ଜବତ ହୋଇଛି। ପିକ୍‌ଅପ୍‌ ଭ୍ୟାନ୍‌ରୁ ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ସହ ଗୋଟିଏ ଦେଶୀ ବନ୍ଧୁକ ଓ ୨ଟି ଜୀବନ୍ତ ଗୁଳି ଜବତ ହୋଇଛି।

ସୂଚନା ଅନୁସାରେ, ଆଜି ଭୋର ସମୟରେ ମାଛକୁଣ୍ଡ ସ୍ଥିତ ୧୫ ବାଟାଲିଅନ୍‌ ବିଏସ୍ଏଫ୍ ଓ କୋରାପୁଟ ପୋଲିସ୍‌ ହନୁମାଲ ଗାଁ ନିକଟରେ ଗାଡ଼ି ଚେକିଂ କରୁଥିଲେ। ଏହି ସମୟରେ ଏକ ଗଞ୍ଜେଇ ଭର୍ତ୍ତି ପିକ୍‌ଅପ୍‌ ଭ୍ୟାନ୍‌ଟି ଦ୍ରୁତ ଗତିରେ ଆସୁଥିବାର ଦେଖିବାକୁ ମିଳିଥିଲା। ତେବେ ପୋଲିସ୍‌କୁ ଦେଖି ଗାଡ଼ିର ଡ୍ରାଇଭର ଓ ହେଲ୍‌ପର୍ ଗାଡ଼ି ଛାଡ଼ି‌ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଗାଡ଼ି ଯାଞ୍ଚ ବେଳେ ଜଣାପଡ଼ିଥିଲା ଏଥିରେ ଗଞ୍ଜେଇ ଚାଲାଣ ହେଉଥିଲା। ଗାଡ଼ିରୁ ପାଖାପାଖି ୮ କ୍ୱିଣ୍ଟାଲ୍‌ ଗଞ୍ଜେଇ ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ୮୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି।

ପିକ୍‌ଅପ୍‌ ଭ୍ୟାନ୍‌ଟି ମାଲକାନଗିରି ଜିଲ୍ଲା ସୀମାନ୍ତବର୍ତ୍ତୀ ଅଞ୍ଚଳରୁ ଗଞ୍ଜେଇ ଭର୍ତ୍ତି କରି ହନୁମାଲ ରାସ୍ତା ଦେଇ  ଲମତାପୁଟ-ଜୟପୁର ରାସ୍ତା ଦେଇ ଛତିଶଗଡ଼ ଅଞ୍ଚଳକୁ ଗଞ୍ଜେଇ ଚୋର ଚାଲାଣ କରିବାର ଯୋଜନା ଥିଲା। ହେଲେ ଗାଡ଼ି ଚେକିଂ ବେଳେ ପୋଲିସ୍‌ ହାତରେ ଧରାପଡ଼ି ଯାଇଥିଲା।

ଯେଉଁମାନେ ବେଆଇନ୍‌ ଗଞ୍ଜେଇ ବ୍ୟବସାୟରେ ଲିପ୍ତ ଅଛନ୍ତି ସେମାନଙ୍କର ଆର୍ଥିକ ସ୍ଥିତି ଉପରେ ନଜର ରଖାଯିବା ସହ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ବନ୍ଦ କରାଯିବ ବୋଲି ନନ୍ଦପୁର ଏସ୍‌ଡିପିଓ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

You might also like