ଦେଢ଼ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଜବତ
ଲମତାପୁଟ: ଗୋଟିଏ ରାତିରେ ଦେଢ଼ କୋଟିରୁ ଊର୍ଦ୍ଧ୍ୱ ଟଙ୍କାରୁ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି ମାଛକୁଣ୍ଡ ଓ ପାଡୁଆ ପୋଲିସ୍। ପାଖାପାଖି ୪୦ଟି ଗଞ୍ଜେଇ ଭର୍ତ୍ତି ବସ୍ତା ଜବତ କରିଛି ପୋଲିସ୍।
କୋରାପୁଟ ଏସ୍ପିଙ୍କ ନିର୍ଦ୍ଦେଶରେ ନନ୍ଦପୁର ଏସ୍ଡିପିଓଙ୍କ ନେତୃତ୍ୱରେ ଲମତାପୁଟ, ମାଛକୁଣ୍ଡ ଓ ଜଲାପୁଟ ପୋଲିସ୍ କୋରାପୁଟ-ମାଲକାନଗିରି ଜିଲ୍ଲା ସୀମାନ୍ତବର୍ତ୍ତୀ ହନୁମାଲ ଗାଁର ଜଣେ ଘରେ ଗଞ୍ଜେଇ ରହିଥିବା ସୂଚନା ପାଇଥିଲେ। ଘରେ ସର୍ଚ୍ଚ କରିବାରୁ ପୋଲିସ୍ ୨୭ ବସ୍ତାରୁ ଊର୍ଦ୍ଧ୍ୱ ଗଞ୍ଜେଇ ବସ୍ତା ଜବତ କରିଥିଲା। ଜବତ ହୋଇଥିବା ୮ କ୍ୱିଣ୍ଟାଲ୍ ୧୩ କେଜି ୭୦୦ ଗ୍ରାମ୍ ଗଞ୍ଜେଇର ଆନୁମାନିକ ମୂଲ୍ୟ ୮୦ ଲକ୍ଷ ଟଙ୍କାରୁ ଅଧିକ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଏହାର ମୂଲ୍ୟ ୨୫ ଲକ୍ଷ ଟଙ୍କା ହେବ ବୋଲି ପୋଲିସ୍ ସୂଚନା ଦେଇଛି।
ସେହିପରି ରାତିରେ ପେଟ୍ରୋଲିଂ ସମୟରେ ପାଡୁଆ ଅଞ୍ଚଳରୁ ଏକ ଗାଡ଼ି ଆନ୍ଧ୍ରପ୍ରଦେଶ ଅଞ୍ଚଳକୁ ଗଞ୍ଜେଇ ଭର୍ତ୍ତି କରି ଚୋରା ଚାଲାଣ କରୁ ଥିବାବେଳେ ବଡ ଦେବତା ଛକ ନିକଟରେ ପାଡୁଆ ପୋଲିସ୍ ହାତରେ ଧରାପଡ଼ିଥିଲା। ପୋଲିସ୍ର ଗାଡ଼ି ଯାଞ୍ଚ ଦେଖି ଗଞ୍ଜେଇ ମାଫିଆମାନେ ଅନ୍ଧାରର ସୁଯୋଗ ନେଇ ଗାଡ଼ି ଛାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଜବତ ହୋଇଥିବା ୫ କ୍ୱିଣ୍ଟାଲ୍ ୨୫ କେଜି ଗଞ୍ଜେଇର ହାରାହାରି ମୂଲ୍ୟ ଆନ୍ତଃରାଜ୍ୟରେ ୫୦ ଲକ୍ଷରୁ ଅଧିକ ଟଙ୍କା ରହି ଥିବାବେଳେ ସ୍ଥାନୀୟ ଅଞ୍ଚଳରେ ୧୫ ଲକ୍ଷ ହେବ ବୋଲି ପୋଲିସ୍ ସୂଚନା ଦେଇଛି।
ସୂଚନାଥାଉ କି, ଗତ ୨୨ ତାରିଖରେ କୋରାପୁଟ ଏସ୍ପିଙ୍କ ନିର୍ଦ୍ଦେଶରେ ମାଛକୁଣ୍ଡ ପୋଲିସ୍ ଏକଟାପୁଟ ଗାଁରେ ଚଢ଼ଉ କରି ପ୍ରାୟ ୧ କୋଟି ଟଙ୍କା ଊର୍ଦ୍ଧ୍ୱର ଗଞ୍ଜେଇ ଜବତ କରିଥିଲା।