ବାଲେଶ୍ୱର ବିଜେଡିରେ ବିଦ୍ରୋହ ଭଳି ସ୍ଥିତି !

ଭୁବନେଶ୍ୱର: ବିକ୍ଷୋଭ, ପାଟିତୁଣ୍ଡ ଆଉ ନାରାବାଜି। ଖୋଲାଖୋଲି ଅସନ୍ତୋଷ ପ୍ରକାଶ କରୁଛନ୍ତି ବିଜେଡି ନେତା ରବୀନ୍ଦ୍ର ଜେନାଙ୍କ ସମର୍ଥକ। ବାଲେଶ୍ୱର ଉପନିର୍ବାଚନ ପାଇଁ ବିଜେଡି, ସ୍ୱରୂପ ଦାଶଙ୍କୁ ପ୍ରାର୍ଥୀ ଘୋଷଣା କରିବାପରେ ଉପୁଜିଛି ଏଭଳି ସ୍ଥିତି। ଗତକାଲି ବିଳମ୍ବିତ ରାତି ଯାଏଁ ରବୀନ୍ଦ୍ରଙ୍କ ସମର୍ଥକମାନେ ପାଟିତୁଣ୍ଡ କରିଥିଲେ। ଆଜି ମଧ୍ୟ ବାଲେଶ୍ୱର ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଂଚାୟତରୁ ଦଳୀୟ ନେତା ଓ କର୍ମୀମାନେ ଆସି ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି।

ସ୍ବରୁପଙ୍କୁ ପରିବର୍ତ୍ତନ କରି ରବୀନ୍ଦ୍ର ଜେନା କିମ୍ବା ତାଙ୍କ ପତ୍ନୀ ସୁଭାଷିନୀ ଜେନାଙ୍କୁ ଟିକଟ୍ ଦେବାକୁ ସେମାନେ ଅଡ଼ି ବସିଛନ୍ତି ଯାହାକୁ ନେଇ ବାଲେଶ୍ୱର ବିଜେଡିରେ ସୃଷ୍ଟି ହୋଇଛି ବିଦ୍ରୋହ ଭଳି ସ୍ଥିତି। ଏହାର କଂପନ ଭୁବନେଶ୍ୱର ଯାଏଁ ଅନୁଭୂତ ହେବାପରେ ବରିଷ୍ଠ ନେତା ପ୍ରତାପ ଦେବ୍ ପହଞ୍ଚିଥିଲେ ରବୀନ୍ଦ୍ର ଜେନାଙ୍କ ଅଫିସ୍‌ରେ।

ପ୍ରାୟ ଦୁଇ ଘଣ୍ଟା ଧରି ରବୀନ୍ଦ୍ରଙ୍କ ସହ ଆଲୋଚନା କରିଥିଲେ।  ବୈଠକ ପରେ ପ୍ରତାପ କହିଛନ୍ତି ଘଟଣା ସଂପର୍କରେ ବିଜେଡି ସୁପ୍ରିମୋଙ୍କୁ ଅବଗତ କରାଯାଇଛି I ଏହାରି ଭିତରେ ଚର୍ଚ୍ଚା ହେଉଛି ଯେ, ନିଜେ ଟିକଟ୍ ପାଉନଥିବା ଜାଣିବା ପରେ ସ୍ୱରୁପ ଦାଶଙ୍କ ନାଁ କୁଆଡେ ରବୀନ୍ଦ୍ର ହିଁ ସୁପାରିଶ କରିଥିଲେ। ଯଦି ଏହା ସତ, ତାହେଲେ ଏବେ କାହିଁକି ବିରୋଧ? ଏହାକୁ ନେଇ ବେଶ୍ ସରଗରମ ରହିଛି ବାଲେଶ୍ୱର ରାଜନୀତି।

ସେପଟେ ମୈଦାନରେ ଲଢ଼ିବାକୁ ପ୍ରସ୍ତୁତ ତିନି ଦଳର ଯୋଦ୍ଧା ବିଜେଡିରୁ ସ୍ବରୂପ ଦାଶ, ବିଜେପିରୁ ମାନସ ଦତ୍ତ ଓ କଂଗ୍ରେସରୁ ମମତା କୁଣ୍ଡୁଙ୍କ ମଧ୍ୟରେ ଲଢେଇ ହେବ। ଏହା ଭିତରେ  ପ୍ରଚାର ବି ଆରମ୍ଭ ହୋଇଗଲାଣି। ସବୁ ଦଳର ନେତା ପଞ୍ଚାୟତ, ଓ୍ୱାର୍ଡ ଓ ବ୍ଲକ୍ ସ୍ତରରେ କିଭଳି ପରସ୍ପରକୁ ଚେକ୍ ଦେବେ ସେଥିପାଇଁ ରଣନୀତି ପ୍ରସ୍ତୁତ କରିସାରିଛନ୍ତି। ବାଲେଶ୍ୱରରେ ବିଜେଡିରେ କୁହୁଳୁଥିବା ଅସନ୍ତୋଷରୁ ଫାଇଦା ନେବାକୁ ବିଜେପି ଓ କଂଗ୍ରେସ ଭରପୂର ପ୍ରୟାସ କରୁଛନ୍ତି।

ବାଲେଶ୍ୱର ଆସନରୁ ମଦନ ମୋହନ ଦତ୍ତ ଓ ତିର୍ତ୍ତୋଲରୁ ବିଷ୍ଣୁ ଦାସଙ୍କ ପରଲୋକ ପରେ ଉଭୟ ସ୍ଥାନରେ ଉପନିର୍ବାଚନ ହେଉଛି। ଆସନ୍ତା ୩ ତାରିଖରେ ଦୁଇଟି ଯାକ ଆସନ ପାଇଁ ଭୋଟ୍ ପଡିବ।

You might also like