କିଭଳି ଓ କେଉଁ ତଥ୍ୟକୁ ନେଇ ପ୍ରସ୍ତୁତ ହେବ ଚାଷୀଙ୍କ ଡାଟାବେସ୍?

ଭୁବନେଶ୍ୱର: ପ୍ରସ୍ତୁତ ହେବ ଚାଷୀଙ୍କ ଡାଟାବେସ୍। ମିଳିବ ପରିଚୟ ପତ୍ର। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ପରେ ପ୍ରଶ୍ନ, କିଭଳି ଓ କେଉଁ ତଥ୍ୟକୁ ନେଇ ପ୍ରସ୍ତୁତ ହେବ ଡାଟାବେସ୍? ଏବେ ପ୍ରଚଳିତ କାଳିଆ ଓ ବଳରାମ ଯୋଜନା ଲାଗି ସରକାରଙ୍କ ପାଖରେ ତାଲିକା ରହିଛି। ତାଛଡ଼ା ଧାନ ସଂଗ୍ରହ ପାଇଁ ଅଲଗା ତାଲିକା ଏବଂ ଋଣ ନେଉଥିବା ଚାଷୀଙ୍କର ତଥ୍ୟ ବି ରହିଛି। ଏସବୁ ତାଲିକାକୁ ନେଇ ଚାଷୀଙ୍କର ଏକ ବୃହତ ଡାଟାବେସ୍ କରିବାକୁ ସରକାର ଯୋଜନା କରିଛନ୍ତି।

ତେବେ ଏବେ ଯେଉଁ ଡାଟାବେସ୍ ହେବାକୁ ଯାଉଛି ତାହା ଆଧାର ଭିତ୍ତିକ ହେବ। ଏଥିପାଇଁ ପଞ୍ଜୀକୃତ ଚାଷୀଙ୍କ ତଥ୍ୟ, ବ୍ୟାଙ୍କ ଆକାଉଣ୍ଟ ଓ ଆଧାର କାର୍ଡ ଯାଞ୍ଚ କରାଯିବ। ଯେଉଁ ଚାଷୀଙ୍କର ଏସବୁ ନାହିଁ ସେମାନଙ୍କୁ ତାହା କରିବାକୁ ପଡ଼ିବ। ପ୍ରକୃତ ହିତାଧିକାରୀଙ୍କ ନିକଟରେ ବିଭିନ୍ନ ସ୍କିମ୍‌ର ଲାଭ ପହଞ୍ଚାଇବା ଉଦ୍ଦେଶ୍ୟରେ ଏହି ଯୋଜନା କରାଯାଉଛି।

ଏହି ଡାଟାବେସ୍ ମାଧ୍ୟମରେ ଚାଷୀଙ୍କୁ ଏକ ପରିଚୟ ପତ୍ର ପ୍ରଦାନ କରାଯିବ। ଯେଉଁଥିରେ ଚାଷୀଙ୍କ ଠିକଣା, କେଉଁ ବର୍ଗର ଚାଷୀ ଓ କେତେ ଜମି ଚାଷ କରୁଛନ୍ତି ତାର ତଥ୍ୟ ରହିପାରେ। ତେବେ ୨୦ ବର୍ଷ କ୍ଷମତାରେ ରହିବା ପରେ ଚାଷୀଙ୍କ ନିର୍ଭୁଲ ଡାଟାବେସ୍ ପାଇଁ ହଠାତ୍ କାହିଁକି ସରକାରଙ୍କ ମନେ ପଡିଲା ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ। କଂଗ୍ରେସ କହିଛି କେବଳ ଭୋଟବ୍ୟାଙ୍କ ପାଇଁ ଏହି ଯୋଜନା। ବିଜେପି କହିଛି ଚାଷୀଙ୍କୁ ନେଇ ରାଜନୀତି କରାଯାଉଛି।

ସେପଟେ ଚାଷୀମାନେ ଦାବି କରିଛନ୍ତି ଯେ, କେବଳ ପ୍ରକୃତ ଚାଷୀଙ୍କ ଡାଟାବେସ୍ କରାଯାଇ ସେମାନଙ୍କୁ ପରିଚୟ ପତ୍ର ଦିଆଯାଉା

ଚାଷୀଙ୍କ ପାଇଁ ସରକାରଙ୍କ ଏକାଧିକ ସ୍କିମ୍ ରହିଛିା ତେବେ ହିତଧିକାରୀ ଚୟନ ବେଳେ ଅନେକ କ୍ଷେତ୍ରରେ ପ୍ରିୟାପ୍ରୀତି ତୋଷଣର ଅଭିଯୋଗ ହୋଇଆସୁଛି। ତେଣୁ ଡାଟାବେସ୍ କେତେଦୂର ନିର୍ଭୁଲ ଭାବେ ପ୍ରସ୍ତୁତ ହୋଇପାରୁଛି ଓ ପ୍ରକୃତ ଚାଷୀ ଯୋଜନାର ଫାଇଦା କେତେ ଉଠାଇପାରୁଛନ୍ତି ତାଉପରେ ନଜର।

You might also like