କେଉଁ ଲକ୍ଷଣ ଦେଖାଦେଲେ କରୋନା ପରୀକ୍ଷା କରାଇବେ?

ଭୁବନେଶ୍ୱର: କରୋନା ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି। ଏମିତି କେଉଁ ଲକ୍ଷଣ ଦେଖାଗଲେ, ଆପଣ ଜାଣିପାରିବେ ଯେ ଏହା କରୋନା ହୋଇଥାଇପାରେ। ଶୁଖିଲା କାଶ, ତଣ୍ଟି ଦରଜ, ଜ୍ୱର, ଗଣ୍ଠି ବ୍ୟଥା, ଦେହ ହାତ ଘୋଳାବିନ୍ଧା, ବାନ୍ତି ଓ ପତଳା ଝାଡ଼ା, ସ୍ୱାଦ ଓ ଗନ୍ଧ ବାରି ନପାରିବା ଏବଂ ଶ୍ୱାସକ୍ରିୟାରେ କଷ୍ଟ। ଗତବର୍ଷ କରୋନାର ପ୍ରଥମ ଲହର ବେଳେ ଦେଖା ଦେଉଥିଲା ଏହି ସବୁ ଲକ୍ଷଣ। ତେବେ ଦ୍ୱିତୀୟ ଲହରରେ କେବଳ ସଂକ୍ରମଣର ବେଗ ବଢ଼ିନି, ବରଂ ନୂଆ ନୂଆ ଲକ୍ଷଣ ବି ଯୋଡ଼ି ହୋଇଛି। ବର୍ଷେ ଭିତରେ କରୋନା ଭୂତାଣୁର ବିଭିନ୍ନ ରୂପାନ୍ତର ମଧ୍ୟ ନୂଆ ଲକ୍ଷଣ ପଛର କାରଣ ହୋଇଥାଇପାରେ ବୋଲି ଆଶଙ୍କା କରାଯାଉଛି।

ତେବେ ଏହି ନୂଆ ଲକ୍ଷଣଗୁଡ଼ିକ ମଧ୍ୟରେ ରହିଛି ମୁଣ୍ଡ ବିନ୍ଧା, ଦେହ ହାତ ଅବଶ ଲାଗିବା, ଭୋକ ନହେବା, ଚର୍ମ ନୀଳ ବା ଲାଲ୍ ପଡ଼ିବା ଏବଂ କୁଣ୍ଡେଇ ହେବା, ପାଟି ଶୁଖିଯିବା ଏବଂ ଜିଭ ଲାଲ୍ ପଡ଼ି ଫୁଲିଯିବା, ଆଖି ଗୋଲାପୀ ଦେଖାଯିବା, କାନକୁ କମ୍ ଶୁଭିବା ଇତ୍ୟାଦି। ବିଶେଷଜ୍ଞଙ୍କ କହିବା କଥା, କରୋନା ଆକ୍ରାନ୍ତଙ୍କ ଠାରେ ଉଭୟ ନୂଆ ଓ ପୁରୁଣା ଲକ୍ଷଣରୁ ଯେକୌଣସି ଗୋଟିଏ କିମ୍ବା ଏକାଧିକ ଲକ୍ଷଣ ଦେଖାଦେଇପାରେ, କିମ୍ବା ଆସିମ୍ପ୍ଟମାଟିକ୍ କେସ୍‌(ଲକ୍ଷଣହୀନ) କୌଣସି ଲକ୍ଷଣ ପ୍ରକାଶ ବି ପାଇନପାରେ। ସେପଟେ ICMR ଡିଜି କହିଛନ୍ତି ଏବେ ଅନ୍ୟ ଲକ୍ଷଣ ଅପେକ୍ଷା ଶ୍ୱାସକଷ୍ଟ ଅଧିକାଂଶ ସଂକ୍ରମିତଙ୍କ ଠାରେ ଦେଖିବାକୁ ମିଳୁଛି। RTPCR ଟେଷ୍ଟ୍ ରିପୋର୍ଟ କରୋନା ପଜିଟିଭ୍ ଆସିଲେ, ଡାକ୍ତରଙ୍କ ପରାମର୍ଶ କ୍ରମେ ଆଇସୋଲେସନ୍‌ରେ ରହିବାକୁ ପଡ଼େ।

ନଜର ପକାନ୍ତୁ ଘରେ କରୋନା ସଂକ୍ରମିତ ଆଇସୋଲେସନ୍‌ରେ ରହିବା ବେଳେ କଣ କରିବା ଉଚିତ୍, କଣ ଅନୁଚିତ୍? କରୋନା ଆକ୍ରାନ୍ତ ଆଇସୋଲେସନ୍‌ରେ ରହିବା ପାଇଁ ଏଭଳି ଏକ ସ୍ୱତନ୍ତ୍ର ରୁମ୍‌କୁ ବାଛିବେ, ଯେଉଁପଟେ ଘରର ଅନ୍ୟ ସଦସ୍ୟଙ୍କ ଚଳପ୍ରଚଳ ନଥିବ ଏବଂ ରୁମ୍‌କୁ ଲାଗି ନିଜସ୍ୱ ପାଇଖାନା ଓ ଗାଧୁଆଘର ରହିଥିବ କରୋନା ଆକ୍ରାନ୍ତ ଅନ୍ୟମାନେ ବ୍ୟବହାର କରୁଥିବା ଟୟଲେଟ୍ ଓ ବାଥରୁମ୍‌ ବ୍ୟବହାର କରିବା ଅନୁଚିତ୍। ରୋଗୀଙ୍କୁ ଖାଦ୍ୟପେୟ ଯୋଗାଉଥିବା ଓ ଘର ସଫା କରୁଥିବା ଲୋକ ପିପିଇ କିଟ୍, ମାସ୍କ ଓ ଗ୍ଲୋଭ୍ସ ଆଦି ପିନ୍ଧି ରୁମ୍ ଭିତରକୁ ଯିବେ।

ସେ ତା ଭିତରେ ଯେତେ କମ୍ ସମୟ ରହିବେ, ସଂକ୍ରମିତ ହେବାର ଆଶଙ୍କା ବି ସେତେ କମିଯିବ ତଥାପି ସେମାନେ କରୋନା ପରୀକ୍ଷା କରାଇନେବା ଉଚିତ। କରୋନା ଆକ୍ରାନ୍ତ ନିଜସ୍ୱ ରୁମ୍‌ରେ ଲାପ୍‌ଟପ୍‌, କମ୍ପ୍ୟୁଟର ଓ ମୋବାଇଲ୍ ବ୍ୟବହାର କରିପାରିବେ କିନ୍ତୁ ଘରୁ ବାହାରିବେ ନାହିଁ। ସେହି ରୁମ୍ ସବୁଦିନ ସଫା ଓ ବିଶୋଧନ ହେବ। ସେ ପୁଷ୍ଟିକର ଓ ଗରମ ଖାଦ୍ୟ ଖାଇବେ ଏବଂ ଭୋକରେ ରହିବେ ନାହିଁ। ଯଥେଷ୍ଟ ବିଶ୍ରାମ ନେବେ ଓ ପ୍ରଚୁର ପାଣି ପିଇବେ। ଏଥିସହ ଆଇସୋଲେସନ୍ କିଟ୍‌ରେ ଦିଆଯାଇଥିବା ଔଷଧ ଡାକ୍ତରଙ୍କ ପରାମର୍ଶ ଅନୁସାର ନିୟମିତ ଖାଇବେ।

ହୋମ୍ ଆଇସୋଲେସନ୍‌ରେ ଥିଲେ ମଧ୍ୟ ପ୍ରତିଦିନ ସକାଳେ ଓ ସଧ୍ୟାରେ ସଂକ୍ରମିତଙ୍କ ଶରୀରର ତାପମାତ୍ରା, ବ୍ଲଡ୍ ପ୍ରେସର, ହାର୍ଟ ରେଟ୍, ଅକ୍ସିଜେନ୍ ସାଚୁରେସନ୍ ଓ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖାଯିବା ନିହାତି ଜରୁରୀ। ଏଥିପାଇଁ ଘରେ ଥର୍ମୋମିଟର, ରକ୍ତଚାପ ମପା ଯନ୍ତ୍ର ଓ ପଲ୍ସ ଅକ୍ସିମିଟର ଆଦି ରଖନ୍ତୁ। ତେବେ ଆକ୍ରାନ୍ତଙ୍କ ମୁଣ୍ଡ ବୁଲାଇଲେ, ହାର୍ଟ ରେଟ୍ ବଢିଗଲେ, ବ୍ଲଡ୍ ପ୍ରେସର୍ କମିଗଲେ, ଅଣନିଶ୍ୱାସୀ ଲାଗିଲେ ବା ଶ୍ୱାସକ୍ରିୟାରେ କଷ୍ଟ ହେଲେ ଏବଂ ଅକ୍ସିଜେନ୍ ସାଚୁରେସନ୍ ୯୦ ପ୍ରତିଶତରୁ ତଳକୁ ଖସିଗଲେ, ୧୯୨୯ ବା ୧୦୪ ହେଲ୍ପଲାଇନ ନମ୍ବରରେ ଫୋନ୍ କରନ୍ତୁ ଏବଂ ସ୍ୱତନ୍ତ୍ର ଗାଡ଼ିରେ ତୁରନ୍ତ କୋଭିଡ୍ ହସ୍ପିଟାଲକୁ ନେବାର ବ୍ୟବସ୍ଥା କରନ୍ତୁ।

ରିପୋର୍ଟ: ପ୍ରଭାତ ବିଷୋୟୀ ଓ ସୌମ୍ୟରଞ୍ଜନ ସାହୁ
You might also like