ବାତ୍ୟାମୁହଁରୁ କେମିତି ବଞ୍ଚିବ ରାଜ୍ୟ ବିଦ୍ୟୁତ୍‌ ଭିତ୍ତିଭୂମି?

ସରକାରଙ୍କୁ ବିଦ୍ୟୁତ୍‌ ଚିନ୍ତା

ଭୁବନେଶ୍ୱର: ରାଜ୍ୟରେ ବାରମ୍ବାର ବାତ୍ୟା ଆସି ବିଜୁଳି ଭିତ୍ତିଭୂମିକୁ ଉଜାଡ଼ି ଦେଉଥିବାରୁ ଏବେ ଏହାର ସ୍ଥାୟୀ ପ୍ରତିକାର ଉପରେ ସରକାରଙ୍କ ଫୋକସ୍ ରହିଛି। ଏ ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପ୍ରସ୍ତୁତ କରୁଛନ୍ତି ବ୍ଲୁ ପ୍ରିଣ୍ଟ୍। ୟା ପାଇଁ ପ୍ରସ୍ତୁତ ହୋଇଛି ୪୦ ହଜାର କୋଟି ଟଙ୍କାର ପ୍ରୋଜେକ୍ଟ। ସେପଟେ ପୁରା ରାଜ୍ୟବାସୀ ଯେପରି ନିଜ ସ୍ତରରେ ବାତ୍ୟା ମୁକାବିଲା କରିପାରିବେ, ସେଥିପାଇଁ ବିଦ୍ୟାଳୟ ଶିକ୍ଷାରେ ପ୍ରାକୃତିକ ବିପର୍ଯ୍ୟୟ ବିଷୟ ସାମିଲ ହେବାକୁ ଯାଉଛି। ତେବେ ଏହି ବିଷୟବସ୍ତୁର ରୂପରେଖ କିଭଳି ହେବ, ସେ ନେଇ ଏକ ଟାସ୍କଫୋର୍ସ ଗଠନ କରାଯାଇଥିବା ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ।

ଓଡ଼ିଶାରେ କେମିତି ତିଆରି ହେବ ବାତ୍ୟା ପ୍ରତିରୋଧୀ ବିଦ୍ୟୁତ ଭିତ୍ତିଭୂମି? ବାତ୍ୟା କି ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ଆସିଲେ, କେମିତି ପ୍ରଭାବିତ ହେବନି ବିଜୁଳି ବ୍ୟବସ୍ଥା? ରାଜ୍ୟରେ ପ୍ରାୟ ପ୍ରତିବର୍ଷ ସାମୁଦ୍ରିକ ଝଡ଼ବାତ୍ୟା ଆସି ବାରମ୍ବାର ବିଜୁଳି ଭିତ୍ତିଭୂମିକୁ ଉଜାଡ଼ି ଦେଉଥିବାରୁ ଏହାର ମୁକାବିଲା ପାଇଁ ଏକ ଦୀର୍ଘସୁତ୍ରୀ ସମାଧାନ ଚାହୁଁଛି ଓ଼ଡ଼ିଶା। ସରକାର ଏଥିପାଇଁ ଏକ ନମନୀୟ ବିଜୁଳି ନେଟ୍ଓ୍ୱର୍କର ପରିକଳ୍ପନା ସହ ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି। ଏ ପ୍ରକଳ୍ପ ଲାଗି ଖର୍ଚ୍ଚ ହେବ ପ୍ରାୟ ୪୦ ହଜାର କୋଟି ଟଙ୍କା।

ସମୁଦାୟ ହାଇ ଟ୍ରାନସମିଶନ ଅଣ୍ଡର ଗ୍ରାଉଣ୍ଡ କେବେଲିଂ ହେଲେ ୪୦ ହଜାର କୋଟି ଏବଂ ଯଦି ନିର୍ଦ୍ଦିଷ୍ଟ ଅଞ୍ଚଳରେ ଭୂତଳ ତାର ବିଛାଯାଏ, ତେବେ ୨୫ ହଜାର କୋଟି ଖର୍ଚ୍ଚ ହେବା ନେଇ ଆକାଳନ କରାଯାଇଛି। ସେପଟେ କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ବି ବିଦ୍ୟୁତ୍‌ ବିତରଣକାରୀ କମ୍ପାନୀକୁ ବାତ୍ୟା ପ୍ରତିରୋଧୀ ଯୋଜନା ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଛି। ଉପକୂଳରୁ ୨୦ କଲୋମିଟର ଦୂର ଓ ସେଠାରୁ ୬୦ କିଲୋମିଟର ଭିତରେ ବାତ୍ୟା ପ୍ରତିରୋଧୀ ବିଦ୍ୟୁତ ବ୍ୟବସ୍ଥା ଲାଗି ଯୋଜନା ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର।

ସେପଟେ ରାଜ୍ୟବାସୀ ଯେଭଳି ନିଜ ସ୍ତରରେ ବାତ୍ୟା ମୁକାବିଲା କରିପାରିବେ ସେ ନେଇ ପିଲାଙ୍କ ପାଠ୍ୟକ୍ରମରେ ପ୍ରାକୃତିକ ବିପର୍ଯ୍ୟୟ ବିଷୟ ସାମିଲ କରିବା ଓ ଚାକିରି ଏବଂ ନିଯୁକ୍ତି କ୍ଷେତ୍ରରେ ମହାମାରୀ ପରିଚାଳନାକୁ ବଧ୍ୟତାମୂଳକ ବିଷୟ କରିବା ଏବଂ ଓ୍ୱାର୍ଡ ସଭ୍ୟଙ୍କଠୁ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରାକୃତିକ ବିପର୍ଯ୍ୟୟ ନେଇ ତାଲିମ ନେବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ବିପର୍ଯ୍ୟୟ ପରିଚାଳନା ବିଷୟବସ୍ତୁ ପାଠ୍ୟକ୍ରମରେ ସାମିଲ ନିଷ୍ପତ୍ତି ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି। ଏଥିପାଇଁ ଏକ ଟାସ୍କଫୋର୍ସ ଗଠନ କରାଯାଇଛି। ଏହାର ରୂପରେଖ ସଂପର୍କରେ ବିଭାଗ ଆଲୋଚନା କରି ନିଷ୍ପତ୍ତି ନେବ ବୋଲି ସୂଚନା ମିଳିଛି।

ରାଜ୍ୟରେ ଏବେ ମହାମାରୀ ପରିଚାଳନା ଓ ବାତ୍ୟା ମୁକବିଲା ସରକାରଙ୍କ ଫୋକସରେ ଥିବାରୁ ଆଗକୁ ଜୁଆର ରୋକିବାକୁ ଲୁଣା ବନ୍ଧ ର୍ନିମାଣ ଲାଗି ୬ରୁ ୭ ହଜାର କୋଟି ଖର୍ଚ୍ଚ କରିବାକୁ ବି ଯୋଜନା ହୋଇଛି। ହେଲେ ଏସବୁ ଯୋଜନା କେବେ ବାସ୍ତବ ରୂପ ନେବ ତାକୁ ହିଁ ଅପେକ୍ଷା ରହିଛି।

ଜଳେଶ୍ୱରରୁ ଅଜିତ ଦାସ, ଭୁବନେଶ୍ୱରରୁ ହରିହର ଚାନ୍ଦଙ୍କ ରିପୋର୍ଟ

You might also like