କେମିତି ହେବ ଯୁକ୍ତ ଦୁଇ ମୂଲ୍ୟାୟନ?

ସିବିଏସ୍ଇ ମାର୍କିଂ ପଲିସିକୁ ଚାହିଁଛନ୍ତି ରାଜ୍ୟ ସରକାର

  • କେମିତି ହେବ ଯୁକ୍ତ ଦୁଇ ମୂଲ୍ୟାୟନ?
  • ସିବିଏସ୍ଇ ମାର୍କିଂ ପଲିସିକୁ ଚାହିଁଛନ୍ତି ରାଜ୍ୟ ସରକାର
  • ପଦ୍ଧତି ନିର୍ଦ୍ଧାରଣ ଲାଗି ଗଠନ ହେବ ଏକ୍ସପର୍ଟ କମିଟି-ଗଣଶିକ୍ଷା ମନ୍ତ୍ରୀ
  • ୧୫ ଦିନରେ ଗଠନ ହେବ ଏକ୍ସପର୍ଟ କମିଟି, CBSE ପଦ୍ଧତି ଦେଖି ପଦକ୍ଷେପ
  • ଛାତ୍ରଛାତ୍ରୀ କହିଲେ ନିଆଯାଉ ଆମ ମତାମତ

ଭୁବନେଶ୍ୱର: କେମିତି ହେବ ଯୁକ୍ତ ଦୁଇ ମୂଲ୍ୟାୟନ? ପଦ୍ଧତି କଣ ହେବ? ଏଥିପାଇଁ ରାଜ୍ୟ ସରକାର ଗଠନ କରିବେ ଏକ୍ସପର୍ଟ କମିଟି ତେବେ ଆଶ୍ଚର୍ଯ୍ୟକର କଥା ହେଲା କମିଟି, CHSEର ମୂଲ୍ୟାୟନ ପଦ୍ଧତି ଚୟନକୁ ଅଗ୍ରାଧିକାର ଦେବା ବଦଳରେ ଅପେକ୍ଷା କରିବ CBSE ପଲିସିକୁ। ସେପଟେ ଛାତ୍ରଛାତ୍ରୀଙ୍କ ଦାବି ହେଲା ପଦ୍ଧତି ଚୟନରେ ସେମାନଙ୍କ ମତ ମଧ୍ୟ ନିଆଯାଉ।

ଯୁକ୍ତ ଦୁଇ ମୂଲ୍ୟାୟନ ପଦ୍ଧତି ଲାଗି ଗଠନ ହେବ ଏକ୍ସପର୍ଟ କମିଟି। ୧୫ ଦିନ ଭିତରେ ଶିକ୍ଷାବିତଙ୍କୁ ନେଇ ଗଠନ ହେବ କମିଟି। ଏହି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ତେବେ କମିଟିର ପ୍ରାଥମିକତା ରହିବ ସିବିଏସ୍ଇ ମାର୍କିଂ ପଲିସି ଆସିବା ପରେ ତାର ଅନୁଶୀଳନ କରିବା ସିବିଏସ୍ଇ ମାର୍କିଂ ପଲିସି ଆଧାରରେ ଯୁକ୍ତଦୁଇ ଶେଷବର୍ଷ ଛାତ୍ରଛାତ୍ରୀଙ୍କ ଲାଗି ପ୍ରସ୍ତୁତ ହେବ ମୂଲ୍ୟାୟନ ପଦ୍ଧତି। ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା, ବୈଷୟିକ ଶିକ୍ଷା ଓ ଉଚ୍ଚଶିକ୍ଷା ଅନୁଷ୍ଠାନ ଗୁଡିକରେ ଆଡମିଶନକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ହେବ ବ୍ଲୁ ପ୍ରିଣ୍ଟ। ସିବିଏସ୍ଇ ଓ ଆଇସିଏସ୍ଇ ରେଜଲ୍ଟ ସହିତ ସମାନ ସମୟରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ମଧ୍ୟ ରେଜଲ୍ଟ ପ୍ରକାଶ କରିବାକୁ ଉଦ୍ୟମ କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି।

ଏବେ ପ୍ରଶ୍ନ ଉଠୁଛି ରାଜ୍ୟ ସରକାର ମୂଲ୍ୟାୟନ ପାଇଁ କେଉଁ ପଦ୍ଧତି ଆପଣାଇବେ? ଏକାଦଶ କି ଇଣ୍ଟରନାଲ୍ ପରୀକ୍ଷା ହୋଇନଥିବାରୁ ସୁଯୋଗ କେବଳ ରହିଛି ମାଟ୍ରିକ ପ୍ରଦର୍ଶନ ଆଧାରରେ ଯୁକ୍ତଦୁଇ ପରୀକ୍ଷାର୍ଥୀଙ୍କୁ ମୂଲ୍ୟାୟନ କରିବା। ତେବେ ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ମୂଲ୍ୟାୟନ ପଦ୍ଧତି ସ୍ଥିର ପୂର୍ବରୁ ଛାତ୍ରଛାତ୍ରୀଙ୍କ ମତାମତ ନେବାକୁ ଦାବି ହୋଇଛି। ଶିକ୍ଷାବିତଙ୍କ ମତରେ ଏଭଳି ପଦ୍ଧତିରେ ମେଧାବୀ ପିଲା ପ୍ରଭାବିତ ହେବେ।

ପରୀକ୍ଷା ବାତିଲ ହେବା ପରେ ଏବେ ବିଶେଷଜ୍ଞ କମିଟି ଗଠନ କରିବାକୁ ୧୫ ଦିନ ସମୟ ନେବ ଗଣଶିକ୍ଷା ବିଭାଗ। ଏହାପରେ କମିଟି ସିବିଏସ୍ଇ ପଲିସିକୁ ତର୍ଜମା କରିବ। ତାପରେ ପ୍ରସ୍ତୁତ ହେବ ମୂଲ୍ୟାୟନ ପଦ୍ଧତି। ଏଭଳି ଲମ୍ବା ପ୍ରକ୍ରିୟା ଦ୍ୱାରା ଛାତ୍ରଛାତ୍ରୀ ଅଧିକ ଦ୍ୱନ୍ଦ୍ୱ ଭିତରେ ରହିବେ। କେନ୍ଦ୍ରୀୟ ବୋର୍ଡର ନିଷ୍ପତ୍ତିକୁ ଅପେକ୍ଷା ନକରି ରାଜ୍ୟ ତୁରନ୍ତ ନିଜସ୍ୱ ପଲିସି ଆଣିଲେ ଠିକ ସମୟରେ ରେଜଲ୍ଟ ବାହାରିପାରିବ ବୋଲି ମତପ୍ରକାଶ ପାଇଛି।

You might also like