ବଳରାମଗଡ଼ି(ଅରିନ୍ଦମ ଦାସ): ବାତ୍ୟା ଆସିଲା ସବୁ କିଛି ଭସାଇ ନେଇଗଲା। ବେକେ ପାଣିରେ ମୁଁ ପହଁରି ପହଁରି ଗଲି। ଚାହୁଁ ଚାହୁଁ ଘରେ ପାଣି ପଶିଗଲା, ଆମେ କିଛି ବି ବଂଚାଇ ପାରିଲୁନାହିଁ। ସବୁ କିଛି ଭାସିଗଲା। ଜୀବନ ବିକଳରେ ଆମେ ପଳାଇଗଲୁ, ଟିକିଏ ଡେରି କରିଥିଲେ ଆମେ ଭାସିଯାଇଥାଆନ୍ତୁ। ଆମକୁ କେହି ଟିକିଏ ଉଦ୍ଧାର କରିବାକୁ ଆସିଲେ ନାହିଁ…..ବାସ ଏତିକି କହିବା ପରେ ଆଖିର ଲୁହ ଆଉ ବୋଲ ମାନିନଥିଲା। କ୍ୟାମେରା ଆଗରେ କାନ୍ଦି ପକାଇଥିଲେ ଜଣେ ଭଉଣୀ। ସ୍କୁଲ ବହିବସ୍ତାନୀ ପୂରା ଓଦା ହୋଇଯାଇଛି। ତାକୁ ଶୁଖାଇଲେ ବି ତାହା ଶୁଖିବା ଅବସ୍ଥାରେ ଆଉ ନାହିଁ। ହାତରେ ଧରୁ ଧରୁ ଚିରିଯିବା ଉପରେ। କେମିତି ଆଗକୁ ପାଠ ପଢିବେ ସେହି କଥା ଭାବୁଛନ୍ତି ଭାଇ ଓ ଭଉଣୀ । ଦିନେ ପାଠ ପଢି ବଡ଼ ମଣିଷ ହେବାର ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ଏହି ବର୍ଷା ପାଣି ଯେ ଭସାଇ ନେବ ତାହା ଏମାନେ କେବେ ସ୍ୱପ୍ନରେ ବି ଭାବିନଥିଲେ।
ଘରର ସବୁ ଜିନିଷ ବର୍ଷା ପାଣିରେ ଓଦା। ଦାଣ୍ଡ ଦୁଆରେ ଖଟ ଭାସୁଛି ଆଉ ଘର ଭିତରେ ଡ୍ରେସିଂ ଟେବୁଲ। ଗ୍ରାଇଣ୍ଡରଠାରୁ ଆରମ୍ଭ କରି ଟିଭି, ଖଟଠୁ ଖଟିଆ ସବୁ ପାଣିରେ ଭାସୁଛି। ବର୍ଷା ସାଙ୍ଗକୁ ବଢି ପାଣି ଏମିତି ମାଡ଼ି ଆସିଥିଲା ଯେ, ଜିନିଷ ବଂଚାଇବେ କଣ ଆଗେ ଜୀବନ ବଂଚାଇବାକୁ ସ୍କୁଲ ଘରକୁ ଏମାନେ ଦୌଡ଼ି ପଳାଇଥିଲେ। ଆଉ ଆସିବା ବେଳକୁ ଯାହା ଦେଖିଲେ, ତାହା ଅବର୍ଣ୍ଣଣୀୟ। ଏପଟେ, ପିଲାଟି ଆଣ୍ଠୁଏ ପାଣିରେ ପସି ନିଜ ଲୁଗାପଟାକୁ ଚିପୁଡ଼ି ପକାଉଛି। କାରଣ ସେ ଜାଣିଛି ଏ ଅସମୟରେ ସାହାଯ୍ୟ କେବେ ମିଳିବ ତାହାର ଉତ୍ତର କାହା ପାଖରେ ନାହିଁ। ତେଣୁ ନିଜ କାମରେ ସେ ବ୍ୟସ୍ତ ରହିଛି। ବାତ୍ୟା ଆସିଲା ଆଉ ପଳାଇଲା। କିନ୍ତୁ କେତେ ଲୋକଙ୍କର ଯେ ସ୍ୱପ୍ନକୁ ଭାଙ୍ଗି ଚୁରମାର କରିଦେଲା ତାହାର ହିସାବ କଲେ ବୋଧହୁଏ ସରିବ ନାହିଁ।
ବାତ୍ୟାର ପୂର୍ବରୁ ଥିଲା କିନ୍ତୁ ଏମିତି ତାଣ୍ଡବ କରିବ ବୋଲି ହୁଏତ ଏମାନେ ଠଉରାଇ ପାରିନଥିଲେ। ତେବେ ଅମାନିଆ ମନ ବୁଝୁନି, ମାଟିଆ ପାଣିରେ ନିଜ ପିଣ୍ଡାରେ ବସି ପିଲାଙ୍କ ବହି ଧୋଇ ଦେଉଛି ମାଆ, ଆଉ କହୁଛି ଏକୁ ଖରାରେ ଶୁଖାଇ ଦେବି। ମୋ ପିଲା ପୁଣି ପଢିବେ। ଏ ସମୟରେ ଆମକୁ ବହି ଦେବ କିଏ? ତେବେ ଥରେ ଚିନ୍ତା କରନ୍ତୁ ବାତ୍ୟା ଏମାଙ୍କର କେତେ କ୍ଷତି କରିଛି…