ସିପି କହିଲେ, କେତେ କର୍ମଚାରୀରେ ଚାଲିବ ଅଫିସ୍

ଭୁବନେଶ୍ୱର: ଭୁବନେଶ୍ୱରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କର୍ମଚାରୀ ଏବଂ ଆଇଟି କଂପାନୀମାନେ କେତେ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବେ ସେନେଇ ଟ୍ୱିଟ୍ କରିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ।  ଭୁବନେଶ୍ୱରରେ ଥିବା କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟରେ ଅତିରିକ୍ତ ସଚିବ ରାଙ୍କର ଉପରେ ଥିବା ସମସ୍ତ ଅଧିକାରୀ ଅଫିସ୍ ଆସିପାରିବେ ଏବଂ ଅନ୍ୟ କର୍ମଚାରୀଙ୍କ ସଂଖ୍ୟା ୩୦ ପ୍ରତିଶତ ରହିବ ବୋଲି ସିପି ସୂଚନା ଦେଇଛନ୍ତି।

ସେମାନେ ପରିଚୟ ପତ୍ର ଦେଖାଇ ଅଫିସ୍ ଯାଇପାରିବେ ଏବଂ ଏଥିପାଇଁ କୌଣସି ଗାଡ଼ି ପାସ୍ ଆବଶ୍ୟକ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଭୁବନେଶ୍ୱରରେ ଥିବା ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟର କର୍ମଚାରୀମାନେ ସେମାନଙ୍କ କାର୍ଯ୍ୟାଳୟ ମୁଖ୍ୟଙ୍କ ଅନୁମତି ପତ୍ର ଓ ନିଜ ପରିଚୟ ପତ୍ର ଦେଖାଇ ଅଫିସ୍ ଯାଆସ କରିପାରିବେ।

ରାଜଧାନୀର IT ଓ ITES କମ୍ପାନୀମାନେ ବର୍ତ୍ତମାନ ଭଳି ଓ୍ୱାର୍କ ଫ୍ରମ୍ ହୋମ୍ ବ୍ୟବସ୍ଥା ଜାରି ରଖିବେ। ୨୫ ପ୍ରତିଶତ କର୍ମଚାରୀ ଅଫିସ୍ ଆସିବେ। ସେମାନେ କଂପାନୀ ପରିଚୟ ପତ୍ର ଓ ଅଫିସକୁ ଡକାଯାଇଥିବା ଇମେଲ୍ ଦେଖାଇଲେ କର୍ମକ୍ଷେତ୍ରକୁ ଯାଇପାରିବେ।

କଟକ ଓ ଭୁବନେଶ୍ୱରରେ ଲକଡାଉନ୍ କଟକଣା ପୂର୍ବଭଳି ଜାରି ରହିବ। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ। ରାଜ୍ୟରେ କୃଷି କାର୍ଯ୍ୟ ନେଇ ଲକଡାଉନଙ୍କୁ କୋହଳ କରାଯାଇଥିଲେ ବି ଟ୍ୱିନ ସିଟିରେ ଏହା ଲାଗୁ ହେବ ନାହିଁ ବୋଲି ସ୍ପଷ୍ଟ କରିବା ସହ ଘରେ ରହିବାକୁ ଏବଂ ନିରାପଦ ରହିବାକୁ ଟ୍ବିଟ୍ ମାଧ୍ୟମରେ ସେ ଲୋକଙ୍କୁ ନିବେଦନ କରିଛନ୍ତି। ସେହିପରି ରାଜଧାନୀ ଭୁବନେଶ୍ୱରରେ ୩ ଦିନ ମଧ୍ୟରେ ୨୫ଶହରୁ ଅଧିକ ନମୁନା ସଂଗ୍ରହ କରାଯାଇଥିବା ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ।

You might also like