ଓଡିଶାରେ କେତେ ମହଜୁଦ ଅଛି କରୋନା ଟିକା?

ଭୁବନେଶ୍ୱର: ରାଜ୍ୟରେ ଚାଲିଛି କୋଭିଡ୍ ଟିକାକରଣ। ଜାନୁଆରୀରୁ ଆଜି ପର୍ଯ୍ୟନ୍ତ ମୋଟ ୨୨ ଲକ୍ଷ ୩୬ ହଜାର ୬୧୫ ଜଣଙ୍କୁ ଟିକାକରଣ ହୋଇଛି। ଏହା ମଧ୍ୟରୁ ୧୩ ଲକ୍ଷ ୪୭ ହଜାର ୭୮୭  ଜଣ ବରିଷ୍ଠ ଏବଂ ବହୁବିଧ ରୋଗାକ୍ରାନ୍ତ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ୪୦ ଲକ୍ଷ କୋଭିସିଲ୍ଡ ଏବଂ କୋଭାକ୍ସିନ ଟିକା ପହଞ୍ଚି ସାରିଛି। ଏବେ ଓଡିଶାରେ ୧୭ଲକ୍ଷ ଡୋଜ ଟିକା ମହଜୁଦ ଅଛି। ଏପ୍ରିଲ ୧ ରୁ ଦୈନିକ ୨ ଲକ୍ଷ ଟିକାକରଣ  କରାଯିବ। ଟିକାକରଣରେ ଅନୁଗୁଳ, ବରଗଡ଼, ସୁନ୍ଦରଗଡ, କଳାହାଣ୍ଡି, ବଲାଙ୍ଗିର, ମୟୂରଭଞ୍ଜ, ସୋନପୁର, ନବରଙ୍ଗପୁର, ନୂଆପଡା ଜିଲ୍ଲା ପଛରେ ଅଛି।

ଆଜି ଅଧିକ ଟିକାକରଣ ନେଇ ସମୀକ୍ଷା ବୈଠକ ହେବ। ରାଜ୍ୟରେ ଏବେ ୧ହଜାର କେନ୍ଦ୍ରରେ ଟିକା ଦିଆଯାଉଛି। ଟିକା ନଷ୍ଟ ହେବାରେ ଓଡିଶା ଅନ୍ୟ ରାଜ୍ୟ ତୁଳନାରେ ପଛରେ ଅଛି। ଆମ ରାଜ୍ୟରେ ୦.୨ ପ୍ରତିଶତ ଟିକା ନଷ୍ଟ ହୋଇଛି। ଅନ୍ୟ ରାଜ୍ୟରେ ୧୦ ପ୍ରତିଶତ ଟିକା ନଷ୍ଟ ହେଉଛି। ଏପ୍ରିଲ ୨ରେ ୯ଲକ୍ଷ ୮୮ ହଜାର୨୫୦ ଡୋଜ ଟିକା ଆସିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ପ୍ରକାଶଥାଉକି ରାଜ୍ୟରେ କରୋନା ଟିକାର ଅଭାବ ଥିବା ନେଇ କେନ୍ଦ୍ରକୁ ଚିଠି ଲେଖି ଅଧିକ ଟିକା ଦେବାକୁ କହିଥିଲେ ଏସିଏସ୍ ପ୍ରଦୀପ୍ତ ମହାପାତ୍ର। ରାଜ୍ୟରେ କରୋନା ଟିକାର ଅଭାବ ଥିବା ଓ ଟିକା ଯୋଗାଣରେ କେନ୍ଦ୍ର ପାତର ଅନ୍ତର କରୁଥିବା ଅଭିଯୋଗକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଖଣ୍ଡନ କରିଥିଲେ। ମାର୍ଚ୍ଚ ୨୭ରେ ରାଜ୍ୟ ସ୍ୱାସ୍ଥ୍ୟ ଏସିଏସ୍ ପ୍ରଦୀପ୍ତ ମହାପାତ୍ରଙ୍କୁ ଚିଠି ଲେଖି ରାଜେଶ ଭୂଷଣ କହିଥିଲେ ଯେ, ମାର୍ଚ୍ଚ ୨୭ ସୁଦ୍ଧା ଓଡ଼ିଶାକୁ ୩୪ ଲକ୍ଷ ୪୬ ହଜାର ୭୬୦ ଡୋଜ୍ ଟିକା ଦିଆଯାଇଛି।  ରାଜ୍ୟ ସରକାର ଏ ଯାଏ ୨୨ ଲକ୍ଷ ୯୭ ହଜାର ୪୩୧ ଡୋଜ୍ ଟିକା ପ୍ରଦାନ କରିଛନ୍ତି। ଅତଏବ ରାଜ୍ୟ ପାଖରେ ଏବେ ମଧ୍ୟ ୧୧ ଲକ୍ଷ ୪୯ ହଜାର ୩୨୯ ଡୋଜ୍ ଟିକା ଗଚ୍ଛିତ ଅଛି। ରାଜ୍ୟରେ ଦିନକୁ ହାରାହାରି ୬୯ ହଜାର ୭୬ ଜଣ ଲୋକ ଟିକା ନେଉଛନ୍ତି। ୨୮ ଦିନ ଭିତରେ ଆଉ ୫ ଲକ୍ଷ ୪୮ ହଜାର ଟିକା ପହଞ୍ଚିଯିବ ବୋଲି ଭୂଷଣ ଲେଖିଥିଲେ।

You might also like