ମାଷ୍ଟର୍ ମାଇଣ୍ଡ ଗାର୍ଲଫ୍ରେଣ୍ଡ୍ ଜିନା ; ପ୍ରେମିକ ଅପରାଧର ଅନ୍ଧାରୀମୂଲକରେ ମାୟାବିନୀ ଥିଲା ପ୍ରେମିକା
ଭୁବନେଶ୍ୱର: ଗାର୍ଲଫ୍ରେଣ୍ଡ୍ ଇସାରାରେ ଚାଲିଥିଲା ଅପରାଧ ସାମ୍ରାଜ୍ୟ। କେଉଁଠି, କିପରି ଲୁଟ୍ କରାଯିବ ତାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଥିଲା ଗାର୍ଲଫ୍ରେଣ୍ଡ୍ ଜିନା। ଚୌଦ୍ୱାର ପୁଲିସର ଏନ୍କାଉଣ୍ଟରରେ ଆହତ ହୋଇ ଧରାପଡ଼ିବା ଅପରାଧୀ ଜିତୁଠାରୁ ଏଭଳି ଚାଞ୍ଚଲ୍ୟକର ତଥ୍ୟ ପାଇଛି ପୁଲିସ୍।
ଜିତୁର ଅପରାଧ ନେଟଓ୍ୱର୍କରେ ମୁଖ୍ୟ ଭୂମିକା ତୁଲାଉଥିଲା ଜିନା। କେତେବେଳେ କେଉଁଠି ଲୁଟ୍ କରାଯିବ, ତାର ସମସ୍ତ ବ୍ଲୁ ପ୍ରିଣ୍ଟ ସ୍ଥିର କରୁଥିଲା ସେ। ଏହାସହ ଯୋଗାଉଥିଲା ବୈଷୟିକ ସହାୟତା। ମୋବାଇଲ ବ୍ୟବହାର ବେଳେ କେମିତି ଜିତୁକୁ ପୁଲିସ ଟ୍ରାକ କରି ନପାରିବ ସେନେଇ ବ୍ୟବସ୍ଥା କରୁଥିଲା ତା’ର ଗାର୍ଲଫ୍ରେଣ୍ଡ୍।
ଜିତୁର ଏହି ଅପରାଧ ସାମ୍ରାଜ୍ୟରେ ତାର ମାଆ ଓ ଭଉଣୀର ବି ସକ୍ରିୟ ଭୂମିକା ଥିବା ପୁଲିସ୍ କହିଛି। ଭଉଣୀ ଲୁଟ୍ ସାମଗ୍ରୀ ରଖିବା ସହ କେମିତି ଏହାକୁ ବଜାରରେ ବିକ୍ରି କରାଯିବ ସେହି ଦାୟିତ୍ୱ ତୁଲାଉଥିଲା। କଟକ ଚାଉଳିଆଗଞ୍ଜ ସ୍ଥିତ ଜିତୁର ଘରେ ଚଢ଼ାଉ କରି ପୁଲିସ ଚୋରି ସାମଗ୍ରୀ ଜବତ କରିବା ସହ ଗାର୍ଲଫ୍ରେଣ୍ଡ୍, ଜିତୁର ମାଆ ଓ ଭଉଣୀକୁ ଗିରଫ କରିଛି।
୧୦ ବର୍ଷ ଧରି ଏହି ଲୁଟେରା ପରିବାର କଟକ, ଢେଙ୍କାନାଳ, ଆଠଗଡ଼, ଚୌଦ୍ୱାର, ବଡ଼ମ୍ବା ଆଦି ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲେ। ହାଇେଓ୍ୱରେ ଯାଉଥିବା ପରିବାର, ଫାଇନାନ୍ସ କମ୍ପାନୀ, ବ୍ୟବସାୟୀ ଓ ବ୍ୟାଙ୍କ କର୍ମଚାରୀଙ୍କୁ ଟାର୍ଗେଟ କରୁଥିଲା ଏହି ଗ୍ୟାଙ୍ଗ।
ଗତମାସ ୨୪ରେ ପୁରୀରୁ ଢେଙ୍କାନାଳ ଫେରୁଥିବା ଏକ ପରିବାରକୁ ନୂଆପାଟଣା ବ୍ରିଜ୍ ନିକଟରେ ବନ୍ଧୁକ ମୁନରେ ଲୁଟ ଓ ଜଣଙ୍କୁ ହତ୍ୟା ପରେ କମିଶନରେଟ ପୁଲିସର ମୋଷ୍ଟ ଓ୍ୱାଣ୍ଟେଡ ପାଲଟିଥିଲା ଜିତୁ। ଏନକାଉଣ୍ଟର କରି ପୁଲିସ ଜିତୁ ଓ ତାର ସହଯୋଗୀ ମୁନାକୁ ଗିରଫ କରିଥିଲା। ତେବେ ଜିତୁର ଗୁଳିରେ ସ୍ୱାମୀଙ୍କୁ ହରାଇଥିବା ଢେଙ୍କାନାଳର ଭାଗ୍ୟଲତା ସେଦିନର ଘଟଣା ମନେପକାଇ ନିଜର କୋହ ସମ୍ବରଣ କରିପାରିନଥିଲେ। ଏହି ଲୁଟେରା ଗ୍ୟାଙ୍ଗର ଆଉ କିଛି ସଦସ୍ୟ ଫେରାର ଥିବା ବେଳେ ପୁଲିସ ସେମାନଙ୍କୁ ଖୋଜୁଛି।