କେବେ ଦୂର ହେବ ଚାଷୀଙ୍କ ମଣ୍ଡି ଟେନସନ୍‌?

ଚାଷୀଙ୍କ କଥା କେବେ ଶୁଣିବେ ସରକାର

ଭୁବନେଶ୍ୱର: ମୁଣ୍ଡ ଉପରେ ମୌସୁମୀର କଳା ବାଦଲକୁ ଦେଖି ଚାଷୀ ମନରେ ଉଙ୍କି ମାରୁଛି ସୁନେଲି ଭବିଷ୍ୟତର ଆଶା। ଏଥର ଭଲ ବର୍ଷା ହେଲେ ଚାଷବାସ ଭଲ ହେବ, ଭଲ ଅମଳ ମିଳିବ। ତେବେ ପର ମୁହୂର୍ତ୍ତରେ ଅନ୍ନଦାତାଙ୍କୁ ବିଚଳିତ କରୁଛି ସେଇ ଗୋଟିଏ ପ୍ରଶ୍ନ ଅମଳ ସିନା କରିବ, ବିକିବ କେମିତି? କାରଣ ଗଲା ବର୍ଷ ଅମଳ କରିଥିବା ଧାନ ମଣ୍ଡିରେ ପଡି ଗଜା ହେଲାଣି। କେଉଁଠି ଟୋକନ ଅବଧି ସରି ଆସିଲାଣି ଧାନ ଉଠିନି ତ ଆଉ କେଉଁଠି ମିଲରଙ୍କ ଦେଖାନାହିଁ। ମଣ୍ଡି କଷଣରେ ଚାଷୀ ପେଶି ହେଉଥିବା ବେଳେ, ଏଣେ କିନ୍ତୁ ଏମଏସପିକୁ ନେଇ ଥମୁନି ରାଜନୀତି।

କେବେ ଯିବ ଚାଷୀଙ୍କ ମଣ୍ଡି ଦୁଃଖ? କେବେ ହେବ ଧାନ ବିକ୍ରିକୁ ନେଇ ଚାଷୀ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ? ରାଜ୍ୟରେ ମୌସୁମୀ ବର୍ଷା ଆରମ୍ଭ ହୋଇଥିବା ଚାଷୀ ଏବର୍ଷର ଚାଷରେ ମନଦେବା କଥା। ମାତ୍ର ଗତ ବର୍ଷ ଅମଳ ହୋଇଥିବା ଧାନ ଉଠିନଥିବାରୁ ମଣ୍ଡିରେ ପଡି ପଡି ଦିନ ଯାଉଛି ଆଉ ଏପଟେ ପାଣିରେ ଭାସୁଛି ଚଷା ପୁଅର ପରିଶ୍ରମ। ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ସୋନପୁର ଓ ବିନିକା ମଣ୍ଡିରେ। ଆଉ କିଛି ସ୍ଥାନରେ ବର୍ଷାରେ ଭିଜିବା ଯୋଗୁଁ ବସ୍ତା ବସ୍ତା ଧାନ ଗଜା ମାରିଗଲାଣି। ଲକଡାଉନ୍‌ ଓ ସଟଡାଉନ୍‌ ଜଞ୍ଜାଳ ଭିତରେ କେଉଁଠି ମିଲରଙ୍କ ଦେଖା ନାହିଁ ତ ଆଉ କେଉଁଠି ଟୋକନ ଅବଧି ସରିଆସିଥିବାରୁ ଚିନ୍ତାରେ ଚାଷୀ। ଟୋକନ ଅବଧି ବଢାଇବାକୁ ବରଗଡ଼ ଜିଲ୍ଲାର ଚାଷୀ ଦାବି କରିଥିବା ବେଳେ ୮ ଦଫା ଦାବିରେ ଆଜି ରାସ୍ତା ଅବରୋଧ କରିଥିଲେ ସୁବର୍ଣ୍ଣପୁରର ଚାଷୀ।

ବିଭିନ୍ନ ସମସ୍ୟାକୁ ନେଇ ଚାଷୀ ଧାନ ବିକି ପାରୁନଥିବା ବେଳେ ଏଣେ କିନ୍ତୁ ଥମୁନି ସର୍ବନିମ୍ନ ସହାୟକ ମୂଲ୍ୟ ରାଜନୀତି। ଧାନ ଏମଏସପି କୁଇଁଣ୍ଟାଲ ପିଛା ୭୨ ଟଙ୍କା ବୃଦ୍ଧି ଅତି ନଗଣ୍ୟ ଓ ଚାଷୀଙ୍କ ହିତରେ ନୁହେଁ ବୋଲି କହିଛନ୍ତି ରାଜ୍ୟ କୃଷିମନ୍ତ୍ରୀ ଅରୁଣ ସାହୁ। ଗତଥର ଧାନ କ୍ୱିଣ୍ଟାଲ୍ ପିଛା ୧୮୬୮ ଟଙ୍କା ଏସ୍ଏସ୍ପି ସ୍ଥିର କରାଯାଇଥିବା ବେଳେ ୨୦୨୧-୨୨ ପାଇଁ କ୍ୱିଣ୍ଟାଲ୍ ପିଛା ୧୯୪୦ ଟଙ୍କା ଏମ୍ଏସ୍ପି ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ହେଲେ ସ୍ୱାମୀନାଥନ କମିଟି ସୁପାରିଶ ଅନୁଯାୟୀ ଏମଏସପି ୨ହଜାର ୯୩୦ ଟଙ୍କା କରିବାକୁ ଦାବି କରିଛନ୍ତି ଅରୁଣ।

ତେବେ କୃଷିମନ୍ତ୍ରୀଙ୍କ ଏଭଳି ଦାବିକୁ ନେଇ ପାଲଟା ବର୍ଷିଛି ବିଜେପି। ରାଜ୍ୟ ସରକାର ମଣ୍ଡିରୁ ଧାନ ଉଠାଇ ପାରୁନାହାନ୍ତି, ଯେତିକି ଏମଏସପି ଧାର୍ଯ୍ୟ ହୋଇଛି ଚାଷୀ ସେତକ ମଧ୍ୟ ଠିକରେ ପାଇ ପାରୁ ନାହାନ୍ତି। ତେଣୁ ଏମ୍ଏସପି ବଢିଲେ ଚାଷୀର କି ଲାଭ ବୋଲି ପ୍ରଶ୍ନ କରିଛନ୍ତି ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି। ଅନ୍ୟପକ୍ଷରେ ମଣ୍ଡି ସମସ୍ୟା ଓ ଏମଏସପିକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ଚାଷୀ ନେତା।

କେନ୍ଦ୍ରରେ ମୋଦି ସରକାର ଆସିବା ପରେ ୨୦୧୩-୧୪ ଆର୍ଥିକ ବର୍ଷରୁ ଧାନର ଏମ୍ଏସ୍ପି କ୍ୱିଣ୍ଟାଲ୍ ପିଛା ୧୩୧୦ ଟଙ୍କାରୁ ବଢ଼ି ୨୦୨୧-୨୨ରେ ୧୯୪୦, ଅର୍ଥାତ୍ କ୍ୱିଣ୍ଟାଲ୍ ପିଛା ୬୩୦ ଟଙ୍କା ବଢ଼ିଲାଣି। ହେଲେ ମଣ୍ଡିରେ ଦୁର୍ନୀତି ଓ ଅବ୍ୟବସ୍ଥାରୁ ଓଡ଼ିଶାରେ ଚାଷୀ ବର୍ଷ ବର୍ଷ ହେଲା ଏମିତି ଧାନବିକ୍ରି ସମସ୍ୟାରେ ଘାଣ୍ଟି ହେଉଥିବା ଅଭିଯୋଗ ହୋଇ ଆସୁଛି।

You might also like