ନିଜ ଫେସବୁକ୍‌ ଆକାଉଣ୍ଟ ହ୍ୟାକ୍‌ରୁ ବର୍ତ୍ତିବା ପାଇଁ କଣ କରିବେ?

ଭୁବନେଶ୍ୱର: ଆଶ୍ଚର୍ଯ୍ୟ, ଅବିଶ୍ୱସନୀୟ ଖୋଦ୍ ପୋଲିସ କମିଶନର ଓ ଗୁଇନ୍ଦା ବିଭାଗ ଡିଆଇଜିଙ୍କ ନାଁରେ ଖୋଲିଛି ଫେକ୍ ଫେସବୁକ୍ ଆକାଉଣ୍ଟ। ଅର୍ଥାତ୍ ସିପି ସୁଧାଂଶୁ ଷଡ଼ଙ୍ଗୀ ଓ ଗୁଇନ୍ଦା ବିଭାଗ ଡିଆଇଜି ଅନୁପ ସାହୁଙ୍କ ଫଟୋ ଓ ପ୍ରୋଫାଇଲ୍ ଥିବା ଏ ଆକାଉଣ୍ଟ ଜାଲ୍। ଏମିତିକି ଏଥିରୁ ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଯାଇ ଟଙ୍କା ମଗାଯାଉଥିବା କଥା ନଜରକୁ ଆସିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଏ ଦୁଇ ବରିଷ୍ଠ ପୋଲିସ ଅଫିସର।

ଏଭଳି ଜାଲ୍ ଆକାଉଣ୍ଟରୁ ଫ୍ରେଣ୍ଡ ରିକ୍ୱେଷ୍ଟ ଆଦୌ ଆକ୍ସେପ୍ଟ ନକରିବା ସହ କୌଣସି ପ୍ରକାର ମେସଜ୍‌କୁ ବି ରେସପଣ୍ଡ ନକରିବାକୁ ଉଭୟେ ଜଣାଇଛନ୍ତି। ତେବେ ଖାଲି ସିପି କି ଡିଆଇଜି ନୁହଁନ୍ତି ପୂର୍ବରୁ ତଟସୁରକ୍ଷା ଏଡିଜି ପ୍ରଣବିନ୍ଦୁ ଆଚାର୍ଯ୍ୟଙ୍କ ନାଁରେ ବି ଗତ ଜୁଲାଇ ୯ରେ ଖୋଲିଥିଲା ଏକ ଫେକ୍ ଆକାଉଣ୍ଟ ଯାହା ବିରୋଧରେ ସେତେବେଳେ ସାଇବର ଥାନାରେ ସେ ଏତଲା ଦେଇଥିଲେ।

ତାହାଲେ ଏଠି ପ୍ରଶ୍ନ କାହିଁକି ପୋଲିସ୍ ଅଫିସରଙ୍କ ଆକାଉଣ୍ଟ ହ୍ୟାକ୍ ହେଉଛି କିମ୍ବା ଫେକ୍ ଆକାଉଣ୍ଟ ଖୋଲୁଛି ? ପୂର୍ବତନ ପୋଲିସ ଡିଜିପିଙ୍କ ମତରେ ଏମାନେ ଅଧିକ ଜଣାଶୁଣା, ତେଣୁ ତାଙ୍କ ନାଁରେ ଠକେଇ କରିବା ସହଜ ହେଲେ ସେ ଠକଙ୍କୁ ଧରି ଜେଲ୍ ପଠାଇବା କଥା ଏମିତିକି ଏଭଳି ଦୋଷୀଙ୍କୁ ୨ରୁ ୭ବର୍ଷ ଯାଏଁ ଜେଲ୍ ଦଣ୍ଡ ମଧ୍ୟ ରହିଥିବା ସେ କହିଛନ୍ତି।

କେବଳ ପୋଲିସ୍ କି ପ୍ରଶାସନିକ ଅଫିସର ନୁହଁନ୍ତି, ରାଜନେତା ଓ ସେଲିବ୍ରିଟିଙ୍କ ନାଁରେ ବି ସୋସିଆଲ୍ ମିଡିଆରେ ଖୋଲୁଛି ପୁଳା ପୁଳା ଫେକ୍ ଆକାଉଣ୍ଟ। ତେବେ ଏହାକୁ ଆଦୌ ହାଲକା ଭାବେ ନନେବାକୁ କହିଛନ୍ତି ସାଇବର ଏକ୍ସପର୍ଟ। ତାସହ ଏଥିରୁ ରକ୍ଷା ପାଇବାର ଉପାୟ ବି ବତାଇଛନ୍ତି।

ଫେସ୍‌ବୁକ୍ ଆଇଡିର ପାସଓ୍ୱାର୍ଡ ବାରମ୍ବାର ପରିବର୍ତ୍ତନ କରିବା, ପାସଓ୍ୱାର୍ଡ ଆକାରରେ ମୋବାଇଲ୍ ନମ୍ବର କିମ୍ବା ସହଜ ପାସଓ୍ୱାର୍ଡ ନରଖିବାକୁ ପରାମର୍ଶ ଦେଇଛନ୍ତି। ଆକାଉଣ୍ଟ ହ୍ୟାକ୍ କି ଫେକ୍ ହୋଇଥିବା ଜାଣିଲେ ତୁରନ୍ତ ସମସ୍ତଙ୍କୁ ଅବଗତ କରାଇ ପୋଲିସରେ ଏତଲା ଦେବା ଉଚିତ୍।

ଜାତୀୟ କ୍ରାଇମ୍ ରେକର୍ଡ ବ୍ୟୁରୋର ରିପୋର୍ଟ କହୁଛି, ବର୍ଷ ୨୦୧୯ରେ ପୂର୍ବବର୍ଷ ଅପେକ୍ଷା ଓଡ଼ିଶାରେ ୭୬ ପ୍ରତିଶତ ଅଧିକ ବଢିଛି ସାଇବର କ୍ରାଇମ୍। ଯାହାକି ସମସ୍ତଙ୍କ ପାଇଁ ହୋଇଛି ଚିନ୍ତାର ବିଷୟ।

You might also like