ପୋଖରୀକୁ କେମିତି ଆସିଲା ସ୍ୱାତୀର ମୃତଦେହ ?

ସ୍ୱାତୀକୁ ମାରିଲା କିଏ?

ନୟାଗଡ: ପୋଖରୀରୁ ମିଳିଲା ନୟାଗଡ଼ ବଧିପାଟଣାର ୩ ବର୍ଷର ଝିଅ ସ୍ୱାତୀର ମୃତଦେହ। ସାଇଣ୍ଟିଫିକ୍ ଟିମର ସହାୟତାରେ  ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ୍ତେ। ତେବେ ଝିଅ ହତ୍ୟାରେ ଗାଁ ଲୋକଙ୍କ ହାତ ଥିବା ସ୍ୱାତୀର ବାପା ସାଂଘାତିକ ଅଭିଯୋଗ ଆଣିବା ପରେ ତାଙ୍କୁ ଉତ୍ତ୍ୟକ୍ତ ଗାଁ ଲୋକେ ମାଡ଼ ମାରିଛନ୍ତି। ସେପଟେ ଯଦୁପୁର ଗାଁର ପରୀକୁ ନ୍ୟାୟ ପାଇଁ ଜାରି ରହିଛି ବିରୋଧୀଙ୍କ ଅଭିଯାନ। ଏଣେ ଯାଜପୁରର ନିଖୋଜ ନାବାଳିକା ପିହୁର ପରିବାରକୁ ଆଜି ଭେଟିଛନ୍ତି ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ଅଧ୍ୟକ୍ଷା।

ଆଜି ଦିନ ପ୍ରାୟ ୧୧ଟାବେଳେ ଚହଳ ପଡ଼ିଯାଇଥିଲା ନୟାଗଡ଼ ଜିଲ୍ଲା ବଧିପାଟଣା ଗାଁରେ। ପରିବାର ଲୋକେ ବି ସେଠି ପହଞ୍ଚି ସ୍ୱାତୀର ମୃତଦେହକୁ ଚିହ୍ନିଥିଲେ। ଖବର ପାଇ ସାଇଣ୍ଟିଫିକ୍ ଟିମ୍ ସହ ପୋଲିସ ବି ପହଞ୍ଚିଥିଲା। ତେବେ ପାରିପାର୍ଶ୍ୱିକ ସ୍ଥିତିକୁ ଦେଖି ତାଙ୍କ ଝିଅ ହତ୍ୟାରେ ବଧିପାଟଣା ଗାଁ ଲୋକଙ୍କ ସମ୍ପୃକ୍ତି ଥିବା ଚାଞ୍ଚଲ୍ୟକର ଅଭିଯୋଗ ଆଣିଥିଲେ ସ୍ୱାତୀର ବାପା ସଞ୍ଜୟ ସାହୁ। ଯାହାକୁ ବିରୋଧ କରି ଉତ୍ତ୍ୟକ୍ତ ଗାଁ ଲୋକେ ପୋଲିସ ଉପସ୍ଥିତିରେ ସଂଜୟଙ୍କୁ ମାଡ଼ ମଧ୍ୟ ମାରିଥିବାର ଅଭିଯୋଗ ହୋଇଛି। ତେବେ ଝିଅ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ସହ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି କୁନିଝିଅର ପରିବାର।

ସେପଟେ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି, ରିପୋର୍ଟ ଆସିବା ପରେ ତଦନ୍ତ ଆଗେଇବ ବୋଲି କହିଛନ୍ତି ସ୍ଥାନୀୟ ଏସଡିପିଓ। ତେବେ ୧୨ ତାରିଖ ଦିନ ଗାଁ ଦାଣ୍ଡରେ ଖେଳୁଥିବା ମାତ୍ର ୩ ବର୍ଷର ଝିଅ ସ୍ୱାତୀ, ଗାଁ ମଝିରେ ଥିବା ଏ ପୋଖରୀକୁ ଆସିଲା କେମିତି ? କେବେ ଓ କେଉଁଦିନ ତାକୁ ହତ୍ୟା କରାଯାଇଛି ଓ କିଏ ଆଣି ପୋଖରୀରେ ଫିଙ୍ଗିଛି ? ଏଭଳି ଅନେକ ଅସମାହିତ ପ୍ରଶ୍ନକୁ ନେଇ ଘଣ୍ଟାଚକଟା ଚାଲିଥିବାବେଳେ ଗାଁ ଲୋକେ ବି ଦୋଷୀକୁ ଦଣ୍ଡ ଦେବାକୁ ଦାବି କରିଛନ୍ତି।

ସେପଟେ ନୟାଗଡ଼ ଯଦୁପୁରରେ ଜଘନ୍ୟ ହତ୍ୟାର ଶିକାର ପରୀକୁ ନ୍ୟାୟ ପାଇଁ ବି ଜାରି ରହିଛି ଅଭିଯାନ। ଘଟଣାର ସିବିଆଇ ତଦନ୍ତ ସହ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବିରେ ଅଟଳ ବିଜେପି।  ଆସନ୍ତା ୨୦ ତାରିଖ ସୁଦ୍ଧା ରାଜ୍ୟର ସମସ୍ତ ୧୪୭ଟି ଯାକ ନିର୍ବାଚନମଣ୍ଡଳୀରେ ପଦଯାତ୍ରା କରିବାକୁ ଘୋଷଣା କରିଛି ଦଳ।  ଯେଉଁଥିରେ ଦଳୀୟ ନେତା, କର୍ମୀଙ୍କ ସହ ସାଧାରଣ ଲୋକ ଓ ବୁଦ୍ଧିଜୀବୀ ବି ସାମିଲ ହେବାକୁ ନିବେଦନ କରିଛନ୍ତି ରାଜ୍ୟ ବିଜେପି ସଭାପତି। ତେଣେ ନ୍ୟାୟ ପାଇଁ କଂଗ୍ରେସର ପରୀ ରଥ ବି ନୟାଗଡ଼ରେ ବୁଲୁଛି। ତେଣେ ଯାଜପୁର ଜିଲ୍ଲା ମଧୁସୂଦନପୁର ଗାଁରୁ ନିଖୋଜ କୁନିଝିଅ ପିହୁର ଏଯାଏଁ ପତ୍ତା ମିଳିନି। ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ଆଜି ପିହୁର ପରିବାର ଲୋକଙ୍କୁ ଭେଟିବା ସହ ବିଂଝାରପୁର ପୋଲିସ ସହ ଆଲୋଚନା କରି ଶୀଘ୍ର ଝିଅର ଉଦ୍ଧାର ପାଇଁ କହିଛନ୍ତି।

You might also like