ସୀମା ସିଲ୍‌ ସତ୍ତ୍ୱେ ପଶ୍ଚିମବଙ୍ଗରୁ କେମିତି ଆସିଲେ ଶ୍ରମିକ?

ଭୁବନେଶ୍ୱର: ଓଡ଼ିଶାରେ ଆଜି ନୂଆ ୧୩ ପଜିଟିଭଙ୍କ ସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୪ରେ ପହଞ୍ଚିଛି। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରାଜ୍ୟ କୋଭିଡ୍-୧୯ ମୁଖ୍ୟ ମୁଖପାତ୍ରଙ୍କ ସୂଚନା ଅନୁଯାୟୀ ଏମାନଙ୍କ ଭିତରୁ ମୋଟ୍ ୨୪ ଜଣ ଅର୍ଥାତ୍ ପ୍ରାୟ ଏକ ତୃତୀୟାଂଶଙ୍କ ପଶ୍ଚିମବଙ୍ଗ ଲିଙ୍କ୍। ଏମାନେ ହୁଏତ ପଶ୍ଚିମବଙ୍ଗରୁ ଫେରିଛନ୍ତି କିମ୍ବା ପଶ୍ଚିମବଙ୍ଗ ଫେରନ୍ତାଙ୍କ ସଂସ୍ପର୍ଶରେ ଆସିଛନ୍ତି।

ସେ ଭିତରୁ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ୧୩ ଜଣଙ୍କ ମଧ୍ୟରୁ ୧୦ ଜଣଙ୍କର ରହିଛି ପଶ୍ଚିମବଙ୍ଗ ଲିଙ୍କ୍। ଯାହାକୁ ନେଇ ରାଜ୍ୟ ସରକାର ଉଦବେଗ ପ୍ରକାଶ କରିଛନ୍ତି। ତେଣୁ ଏଭଳି ସ୍ଥିତିରେ ଗତ ୨୮ ଦିନ ଭିତରେ ପଶ୍ଚିମବଙ୍ଗରୁ ଫେରିଥିବା ସମସ୍ତଙ୍କୁ ସ୍ଥାନୀୟ ସରପଞ୍ଚ, ବିଡିଓ, କିମ୍ବା ତହସିଲଦାରଙ୍କୁ ଜଣାଇ ନିଜ ଘରେ ପୃଥକାବାସରେ ରହିବାକୁ ପରାମର୍ଶ ଦିଆଯାଇଛି।

ତେବେ କୁହାଯାଉଛି ପଶ୍ଚିମବଙ୍ଗରୁ ଫେରି କରୋନାରେ ଆକ୍ରାନ୍ତ ହୋଇଥିବା ଅଧିକାଂଶ ଶ୍ରମିକ ଶ୍ରେଣୀର। ଏଭିତରେ ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସଙ୍କ ସୂଚନା ବି ଉଦବେଗ ସୃଷ୍ଟି କରିଛି। ଜିଲ୍ଲାପାଳଙ୍କ କହିବା ଅନୁଯାୟୀ ଭଦ୍ରକର ଜଣେ କରୋନା ଆକ୍ରାନ୍ତଙ୍କ ସୂଚନା ଅନୁସାରେ ଗତ ୨୯ ତାରିଖ ରାତି ୯ଟାରେ ସଂପୃକ୍ତ ଶ୍ରମିକ କୋଲକାତା ବଡ଼ ବଜାରରୁ ଏକ ମାରୁତି ଓମ୍ନି ଯୋଗେ ଘରକୁ ଫେରିଥିଲେ। ତାଙ୍କ ସହ ଯାଜପୁରର ଆଉ ୬ ଜଣ ଶ୍ରମିକ ମଧ୍ୟ ଆସିଥିଲେ। ତେବେ ଅପରାହ୍ନରେ ଯାଜପୁରରୁ ଚିହ୍ନଟ ୫ ଜଣ ଭଦ୍ରକ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ ନା ଅନ୍ୟ କେହି ତାହା ସ୍ପଷ୍ଟ ହୋଇନି।

ଏବେ ପ୍ରଶ୍ନ ଉଠୁଛି ଲକଡାଉନ୍ ବେଳେ, ରାଜ୍ୟର ସୀମା ସିଲ୍ ଥିବା ସତ୍ତ୍ୱେ ଏମାନେ ପଶ୍ଚିମବଙ୍ଗରୁ ଓଡ଼ିଶା ଆସିଲେ କେମିତି ? ପଶ୍ଚିମବଙ୍ଗ ଫେରନ୍ତା ପଜିଟିଭ୍ ହେଉଥିବାରୁ ସରଜମିନ୍ ତଦନ୍ତ କରି ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ଏଭଳି ସ୍ଥିତିରେ ଲକଡାଉନ୍ ସତ୍ତ୍ୱେ ପଶ୍ଚିମବଙ୍ଗ ସମେତ ବାହାର ରାଜ୍ୟରୁ ଫେରୁଥିବା ଶ୍ରମଜୀବୀଙ୍କୁ ନେଇ ଚିନ୍ତା ବି ବଢ଼ିଛି।

You might also like