କେମିତି କରିଥିଲା ହତ୍ୟା? ଡେମୋ ଦେଖାଉଛି ସରୋଜ…

ଘଟଣା ସ୍ଥଳକୁ ଯାଇ ଡେମୋ ଦେଖାଇଛି ସରୋଜ

ଭୁବନେଶ୍ୱର: ନୟାଗଡ ପରୀ ହତ୍ୟା ମାମଲାରେ ଘଣ୍ଟାକୁ ଘଣ୍ଟା କିଛି ନା କିଛି ନୂଆ ତଥ୍ୟ ଆସିବାରେ ଲାଗିଛି । ତେବେ ବର୍ତ୍ତମାନ ସମୟରେ ମିଳିଥିବା ସୂଚନା ଅନୁସାରେ, ଘଟଣା ସ୍ଥଳକୁ ଯାଇ ଡେମୋ ଦେଖାଇଛି ସରୋଜ। ହତ୍ୟା ଘଟିଥିବା ସ୍ଥାନ ଅର୍ଥାତ ଯଦୁପୁରକୁ ନେଇ ସରୋଜକୁ ଡେମୋ କରାଇଲା ଏସଆଇଟି। ପୋଖରୀ କୂଳରେ ଘଟଣା ସମ୍ପର୍କରେ ପୂରା କଥା ବର୍ଣ୍ଣନା କଲା ସରୋଜ। ତେବେ ଘଟଣା ସ୍ଥଳରେ ଟିକିନିଖି ପଚାରୁଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା। ଏବଂ ଏସଆଇଟି ସାମ୍ନାରେ ଗୋଟି ଗୋଟି ଘଟଣା ଦେଖାଉଛି ସରୋଜ।

ପରୀ ମାମଲାରେ ପୁଣି ଏକ ମହାଖୁଲାସା କରିଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା। ବୋଥ୍ରା କହିଛନ୍ତି ଯେ, ପରୀର କୌଣସି ହାଡ ନିଖୋଜ ହୋଇନାହିଁ। ପୋଷ୍ଟମର୍ଟମ ରିପୋର୍ଟରେ କୌଣସି ହାଡ ନଥିବା କଥା କୁହାଯାଇନାହିଁ। ହାଡ ମିଳିନଥିବା ସମ୍ପର୍କରେ ବିଶେଷଜ୍ଞ ଡାକ୍ତରମାନେ କିଛି କହିନାହାନ୍ତି ବୋଲି ବୋଥ୍ରା କହିଛନ୍ତି। ଦେହାବଶେଷ ମିଳିବା ପରେ ଶବ ଚିହ୍ନଟ ପାଇଁ ଡିଏନଏ କରାଯାଇଥିଲା। ଡିଏନଏ ଟେଷ୍ଟ କରିବା ଲାଗି ଡାକ୍ତରମାନେ କିଛି ହାଡ ପଠାଇଥିଲେ ବୋଲି ଅରୁଣ କହିଛନ୍ତି ।

ଏହାସହ କାହିଁକି ଡଗ ସ୍କ୍ୱାର୍ଡ କିଛି ଜାଣିପାରିଲା ନାହିଁ ପ୍ରଶ୍ନର ଉତ୍ତର ଦେଇ ବୋଥ୍ରା କହିଛନ୍ତି ଯେ, ଡଗ ସ୍କ୍ୱାର୍ଡ ଏସଆଇଟି ବ୍ୟବହାର କରିନାହିଁ । ତେଣୁ ସେ ସମ୍ପର୍କରେ ଆପଣ ପଚରିଲେ ମୁଁ କିଛି କହିପାରିବି ନାହିଁ ବୋଲି ବୋଥ୍ରା କହିଛନ୍ତି।

ସେପଟେ ବହୁ ଚର୍ଚ୍ଚିତ ନୟାଗଡ ନାବାଳିକା ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ଅଭିଯୁକ୍ତ ସରୋଜ ସେଠୀଙ୍କ ରିମାଣ୍ଡ ଅବଧି ଆଜି ଶେଷ ହେଉଛି। ଅଧିକ ତଥ୍ୟ ସଂଗ୍ରହ ପାଇଁ ଏସଆଇଟି ସରୋଜଙ୍କୁ ତିନିଦିନ ପାଇଁ ରିମାଣ୍ଡରେ ନେଇଥିଲା। ଆଜି ସନ୍ଧ୍ୟାରେ ସରୋଜକୁ ନୟାଗଡ ପକ୍ସୋ କୋର୍ଟରେ ହାଜର କରାଯିବ।

ନାବାଳିକାକୁ ହତ୍ୟା ବେଳେ ଅଭିଯୁକ୍ତ ସରୋଜ ସେଠୀ ତଣ୍ଟି ଚିପି ହତ୍ୟା କରିବା ସହ ତା ନାକରୁ ରକ୍ତ ବାହାରି ଥିଲା। ଏହି ରକ୍ତକୁ ଅଭିଯୁକ୍ତ ନିଜ ଗାମୁଛାରେ ପୋଛିଥିବା କଥା କହିଛି। ତେବେ ସେହି ଗାମୁଛା ମଧ୍ୟ ସରୋଜର ଘରୁ ଏସଆଇଟି ଜବତ କରିଛି। ଏବଂ ଗାମୁଛାରେ ରକ୍ତଦାଗ ନେଇ ବିଶେଷଜ୍ଞ ସ୍ପଷ୍ଟ କରିଥିବା SIT ସୂତ୍ରରୁ ସୂଚନା ମିଳିଛି।

ଏପଟେ ପରୀ ମାମଲାରେ ତା ପରିବାରକୁ ନ୍ୟାୟ ପାଇଁ ରାସ୍ତାକୁ ଓହ୍ଲାଇଥିବା ବିରୋଧୀଙ୍କୁ ବି ସନ୍ତୁଷ୍ଟ କରିପାରିନି SITର ମର୍ଡର ମିଷ୍ଟ୍ରି ଖୁଲାସା। ବିଜେପି କହିଛି ଅଙ୍ଗତସ୍କରିକୁ ଲୁଚାଇବା ପାଇଁ ଏସଆଇଟିର ଏହା ମନଗଢ଼ା କାହାଣୀ। ଏମିତିକି ତଦନ୍ତ ଗତି କୁଆଡେ ଯିବ, ସେ ନେଇ ଯେଉଁ ସନ୍ଦେହ କରାଯାଉଥିଲା ତାହା ସତ ହୋଇଥିବା କହିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ। DNA ଟେଷ୍ଟର ରିପୋର୍ଟ ମିଳିନଥିବା ବେଳେ ପଲିଗ୍ରାଫ ଟେଷ୍ଟ ବି ନିର୍ବିବାଦୀୟ ନୁହେଁ କହିଛି ଦଳ।

ସେପଟେ ପରୀ ପରିବାର ଉପରକୁ ଆଙ୍ଗୁଠି ଉଠାଉଥିବା ବାବୁଲି ନାୟକର ପଲିଗ୍ରାଫ ଟେଷ୍ଟ କାହିଁକି ହୋଇନି, ସେ ପ୍ରଶ୍ନ ସହ ତଦନ୍ତର ଆଉ କିଛି ଆଇନଗତ ଦିଗ ସଂପର୍କରେ ଆଙ୍ଗୁଠି ଉଠାଇ ଘଟଣାର ସିବିଆଇ ତଦନ୍ତ ଦାବି କରିଛି ଦଳ। ସମାନ ଢଙ୍ଗରେ ଏସଆଇଟିର ତଦନ୍ତକୁ ସନ୍ଦେହଜନକ ଦୃଷ୍ଟିରେ ଦେଖିଛି କଂଗ୍ରେସ। ତେବେ ସତ୍ୟ ଉନ୍ମୋଚନ ହେଉ ଏବଂ ପୀଡ଼ିତା ନ୍ୟାୟ ପାଉ ବୋଲି ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ମାମଲାରେ ବିବାଦ ଘେରକୁ ଆସିଥିବା ମନ୍ତ୍ରୀ ଅରୁଣ ସାହୁ।

ଯଦୁପୁର ପୋଖରୀରୁ ପରୀର ଲେଗିଙ୍ଗ୍ସ ମିଳିବା ପରେ ଦ୍ୱିତୀୟ ଦିନ ପାଇଁ ପୋଖରୀରୁ ଆଉ କିଛି ପ୍ରମାଣ ଆଶାରେ ଖୋଜାଖୋଜି କରିଛନ୍ତି ଓଡ୍ରାଫ୍ ଟିମ୍ ଓ ସ୍କୁବା ଡାଇଭର। ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ବି ଯଦୁପୁର ଯାଇ ତଦନ୍ତର ତଦାରଖ କରିଛନ୍ତି।

You might also like