ପ୍ରସୂତିଙ୍କୁ ମିଳିଲାନି ଚିକିତ୍ସା ; ନବଜାତର ମୃତ୍ୟୁ

ଆଠଗଡ଼ (ନୀଳକଣ୍ଠ ଦୋରା) : ସରକାର ଯୋଜନା ପରେ ଯୋଜନା କରି ବାଃବାଃ ନେଉଛନ୍ତି। ହେଲେ କେଉଁଠି ଡାକ୍ତର ଅଭାବରୁ ରୋଗୀ ହନ୍ତସନ୍ତ ହେଉଛନ୍ତି ତ କେଉଁଠି ଡାକ୍ତରଖାନା ବନ୍ଦ ରହିବା ଯୋଗୁ ରୋଗୀଙ୍କର ଚିକିତ୍ସା ହେଇପାରୁନାହିଁ। ଫଳରେ ରୋଗୀର ମୃତ୍ୟୁ ଘଟୁଛି। ଏଭଳି ଅଭିଯୋଗ ପ୍ରତିଦିନ ରାଜ୍ୟର କୌଣସି ନା କୌଣସି ଜିଲ୍ଲାରୁ ଆସୁଛି। ଆଜି ପୁଣି ଏମିତି ଏକ ଖବର ଆସିଛି କଟକ ଜିଲ୍ଲାର ଆଠଗଡ଼ରୁ।

ଖମାର ନୂଆଗାଁର କୁନି ମହାରଣାଙ୍କର ଆଜି ସକାଳେ ପ୍ରସବ ଯନ୍ତ୍ରଣା ହୋଇଥିଲା। ପରିବାର ଲୋକେ ତାଙ୍କୁ ଗୁରୁଡିଝାଟିଆ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଆସିଥିଲେ। ଡାକ୍ତରଖାନାରେ ପହଞ୍ଚିଲା ବେଳକୁ ଡାକ୍ତରଖାନାରେ ତାଲା ଝୁଲୁଥିଲା। ଶେଷରେ କୁନି ଡାକ୍ତରଖାନା ବାହାରେ ପ୍ରସବ କରିଥିଲେ। ହେଲେ ସଂପୂର୍ଣ୍ଣ ଭାବେ ଶିଶୁଟିକୁ ପ୍ରସବ କରିପାରିନଥିଲେ।

ପରେ ପରିବାର ଲୋକେ ୧୦୨ ଆମ୍ବୁଲାନ୍ସକୁ ଡାକି କୁନିଙ୍କୁ ଆଠଗଡ଼ ବ୍ଲକ୍ ବ୍ରହ୍ମପୁର ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ କୁନିଙ୍କ ଜୀବନ ବଞ୍ଚିଯାଇଥିଲା । ହେଲେ ନବଜାତ ଶିଶୁଟିକୁ ଡାକ୍ତର ମୃତ ଘୋଷଣା କରିଥିଲେ।

କୁନିଙ୍କ ସ୍ୱାମୀ କହିଛନ୍ତି, “ଗତକାଲି ଆମେ ଚେକ୍‌ଅପ୍‌ ପାଇଁ ଗୁରୁଡ଼ିଝାଟିଆ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଉଥିଲୁ। ସେଠାରେ ଡାକ୍ତର ମୋ ସ୍ତ୍ରୀର ଚେକ୍‌ଅପ୍‌ କରିଥିଲେ। ‘ପ୍ରସବ କରିବାର ସମୟ ହୋଇନାହିଁ। ଆହୁରି ସମୟ ଅଛି। ତୁମେ ଅଲଟ୍ରାସାଉଣ୍ଟ କର’ ବୋଲି ଡାକ୍ତର କହିଥିଲେ। ହେଲେ ଆଜି ସକାଳେ ତାର ପ୍ରସବ ଯନ୍ତ୍ରଣା ହୋଇଥିଲା। ଆମେ ତାଙ୍କୁ ଗୁରୁଡିଝାଟିଆ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲୁ। ଡାକ୍ତରଖାନାରେ ତାଲା ଝୁଲୁଥିଲା। ତା’ପରେ ଆମେ ବ୍ରହ୍ମପୁର ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଆସିଥିଲୁ। ସେଠାରେ ଶିଶୁଟି ମରିଯାଇଥିବା ଡାକ୍ତର କହିଥିଲେ।”

ସେପଟେ ଏଇ ଖବର ପ୍ରସାରଣ ପରେ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗୁରୁଡିଝାଟିଆ ହସ୍ପିଟାଲ୍ ପରିଦର୍ଶନ କରିଛନ୍ତି। ହସ୍ପିଟାଲରେ ତାଲା ପଡ଼ିବା ଏବଂ କୌଣସି ଜଣେ ବି କର୍ମଚାରୀ ନରହିବାରୁ ଏଭଳି ଘଟଣା ଘଟିବା ତାଙ୍କୁ ବ୍ୟଥିତ କରିଛି। ଏନେଇ ସ୍ୱାସ୍ଥ୍ୟ ବିଭାଗକୁ କାର୍ଯ୍ୟାନୁଷ୍ଠାନ ପାଇଁ ଜଣାଇବେ ବୋଲି କହିଛନ୍ତି ରଣେନ୍ଦ୍ର।

ଆହୁରି ପଢ଼ନ୍ତୁ

ଭୁବନେଶ୍ୱରରେ ପହଞ୍ଚିଲେ ଚେଲା କୁମାର; ଜୋରଦାର ହେବ ପ୍ରଚାର

ଅପରାଧୀଙ୍କ ଚରାଭୂଇଁ ପାଲଟୁଛି କି ରାଜଧାନୀ?

ଚଳୁ କରିଦେଲେ ଲକ୍ଷାଧିକ ସବ୍‌ସିଡି ଟଙ୍କା

ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୨୫୨୧୯୭ରେ ପହଞ୍ଚିଲା

ରୋଗୀଣା ପତ୍ନିକୁ ଟ୍ରଲିରେ ବୋହି ଏସ୍‌ସିବି ନେବା ମାମଲାରେ ରିପୋର୍ଟ ମାଗିଲେ ରାଜ୍ୟ ମାନବାଧିକାର କମିଶନ

ଉପନିର୍ବାଚନ ମୈଦାନ୍‌ରେ କ୍ୟାମ୍ପେନ୍ ଆରମ୍ଭ କଲେଣି ହେବିୱେଟ୍ ନେତା, ମୁଖ୍ୟମନ୍ତ୍ରୀ କେବେ ?

ମରଣଯନ୍ତା ପାଲଟିଛି ମଙ୍ଗୁଳି ଛକ

ନକଲି ଟଙ୍କା ଦେଇ ଗାଡ଼ି କିଣିବା ବେଳେ ଧରିଲା ପୋଲିସ୍

ଜିଲ୍ଲାପାଳ ଅଫିସ୍ ଆସୁଥିଲେ, ଅଧାବାଟରୁ ଉଠାଇନେଲା ପୋଲିସ

ଦୁର୍ଘଟଣାର ଦିନ: ଟ୍ରକ୍ ତଳେ ଚାପି ହୋଇ ଚାଲିଗଲା ୫ ଜୀବନ, ୨୦ ଆହତ

ଖରସ୍ରୋତା ନଦୀ ପଠାରେ କୁମ୍ଭୀର, ଲୋକେ ଭୟଭୀତ

କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ମିଳିବ ଅବଢ଼ା

You might also like