ନବରଙ୍ଗପୁର(ନବଘନ ବିଷୋୟୀ): ରାଜ୍ୟରେ ବ୍ୟାପୁଛି ଚାରା ଦୁର୍ନୀତିର ଚେର। ପୂର୍ବରୁ ମୟୁରଭଞ୍ଜ ଜିଲ୍ଲାରେ ଚାରା ଘୋଟାଲାକୁ ନେଇ ସାରା ରାଜ୍ୟରେ ତମ୍ବି ତୋଫାନ ପରେ ଏବେ ନବରଙ୍ଗପୁରରେ ବି ସମାନ ଢଙ୍ଗରେ ଲକ୍ଷ ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗ ହୋଇଛି। କାଜୁ ଜଙ୍ଗଲ ସୃଷ୍ଟି ନାଁରେ ଚାଷୀଙ୍କୁ ମୋହରା ବନାଇ ୨୨ ଲକ୍ଷ ଟଙ୍କା ହଡ଼ପ କରିଛନ୍ତି ସରକାରୀ ବାବୁ। ପଢ଼ନ୍ତୁ ଓଟିଭିର ତଦନ୍ତମୂଳକ ଖବର।
କାଜୁ ଚାରା ରୋପଣ ନାଁରେ ଚାଷୀଙ୍କୁ ମୋହରା ବନାଇ ଲକ୍ଷ ଲକ୍ଷ ଲୁଟିଛନ୍ତି ବିଭାଗୀୟ ଅଧିକାରୀ। ମନ୍ରେଗା ଯୋଜନାରେ ୨୦୧୭-୧୮ ଆର୍ଥିକ ବର୍ଷରେ ତେନ୍ତୁଳିଖୁଣ୍ଟି ପାତ୍ରପୁଟ ଗାଁରେ ୨୦ ହେକ୍ଟର୍ ଜମିରେ କାଜୁ ଚାରା ରୋପଣ ଲାଗି ୨୦ଜଣ ଚାଷୀଙ୍କୁ ପ୍ରବର୍ତ୍ତାଇଥିଲା ଉଦ୍ୟାନ କୃଷି ବିଭାଗ।
ତଥ୍ୟ ଅନୁସାରେ ଏସବୁ ଜମିରେ କାଜୁ ଚାରା ରୋପଣ ପାଇଁ ଚାଷୀଙ୍କୁ ସବୁ ପ୍ରକାର ସହାୟତା ମଧ୍ୟ ମିଳିଥିଲା। ଏ ପ୍ରକଳ୍ପରେ ଚାଷୀଙ୍କ ପାରିଶ୍ରାମିକ, ଔଷଧ, ଖତସାର, ପଲିଥିନ ଓ ରକ୍ଷଣାବେକ୍ଷଣ ପାଇଁ ୧୦ ଲକ୍ଷ ୭୭ ହଜାର ୯୮୫ ଟଙ୍କା ଖର୍ଚ୍ଚ ବି ହୋଇଛି। ହେଲେ ଚାଷୀଙ୍କ ଅଭିଯୋଗ, କେବଳ ଚାରା ବ୍ୟତୀତ ଆଉ କୌଣସି ବାବଦରେ ସେମାନଙ୍କୁ ଟଙ୍କାଟିଏ ବି ମିଳିନି। ଏମିତିକି ଚାରା ଲଗାଇଦେବା ପରେ ଆଉ ଉଦ୍ୟାନ କୃଷି ବିଭାଗ ଅଧିକାରୀଙ୍କ ଦେଖା ବି ମିଳୁନି।
ତେବେ ସମସ୍ୟା କେବଳ ଏହି ଗୋଟିଏ ନୁହେଁ। ଏଭଳି ସମାନ ଘଟଣା ଜିଲ୍ଲାର ଅନ୍ୟ ଏକ ପଞ୍ଚାୟତ ବଡ଼କୁମୁଲିରେ ବି ଦେଖିବାକୁ ମିଳିଛି। ଏ ପଞ୍ଚାୟତର ଫୋଟାକୋଟ ଓ ଉର୍ଦି ଗାଁରେ କାଜୁ ଜଙ୍ଗଲ ସୃଷ୍ଟି ନାଁରେ ଚାଷୀଙ୍କ ନାଁରେ ବାଟମାରଣା କରାଯାଇଛି।
ଏହି ମାମଲାରେ ସରକାରୀ ତଥ୍ୟ କହୁଛି, ଗତ ବର୍ଷ ଚାରା ରୋପଣ ବାବଦରେ ଏ ଦୁଇ ଗାଁରେ ଖର୍ଚ୍ଚ ହୋଇଛି ୧୧ ଲକ୍ଷ ୯ହଜାର ୧୬ ଟଙ୍କା। କିନ୍ତୁ ଏଠି ବି ଖାଲି ଚାରା ଯୋଗାଇ ଦେବା ପରେ ଅନ୍ୟାନ୍ୟ ଖର୍ଚ୍ଚ ବାବଦ ଅର୍ଥ ଚାଷୀଙ୍କ ପକେଟକୁ ଯାଇ ନଥିବା ଅଭିଯୋଗ ହୋଇଛି। ତେବେ ଯଦି ଅଭିଯୋଗ ସତ ହୁଏ, ତାହେଲେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୃଷି ବିଭାଗର ଉପ-ନିର୍ଦ୍ଦେଶକ ବାସୁଦେବ ସାହୁ କହିଛନ୍ତି।
ଏବେ ପ୍ରଶ୍ନ ଉଠୁଛି ନବରଙ୍ଗପୁର ଜିଲ୍ଲାରେ ନୂଆ କାଜୁ ଜଙ୍ଗଲ ସୃଷ୍ଟି ଲାଗି ସରକାରୀ ଯୋଜନାରେ ଚାଷୀଙ୍କ ପାଇଁ ଆସିଥିବା ପାଖାପାଖି ୨୨ ଲକ୍ଷ ଟଙ୍କା ଗଲା କୁଆଡ଼େ?
ଚାଷୀଙ୍କ ନାଁରେ ଆସିଥିବା ପଇସା ଚାଷୀ ପାଇନଥିବା ଏବଂ ଜଙ୍ଗଲ ନାଁରେ ପୁଣି ମରୂଭୂମି ପାଲଟିବାକୁ ଯାଉଥିବା ଜମି ଲାଗି ଦାୟୀ କିଏ?
https://youtu.be/kdzCMNx2OjY