ବାଜିଲାନି ଶଙ୍ଖ, ଜଳିଲାନି ହୋମ ନିଆଁ: ମନ୍ଦିରରେ ସାତ ଜନ୍ମ ପାଇଁ ସାଥୀ ହେଲେ ଦୁଇ ଯୁବତୀ
କେନ୍ଦ୍ରାପଡ଼ା: ‘ବାପା, ବୋଉ ପ୍ରଥମେ ରାଜି ନ ଥିଲେ। ପରେ ରାଜି ହେଲେ। ସମାଜ ଗ୍ରହଣ କରୁ ବା ନ କରୁ, ମୁଁ ତ ଗ୍ରହଣ କରିଛି’। ନିକଟରେ ସମଲିଙ୍ଗୀ ବିବାହ କରିଥିବା ଯୁବତୀ ଜଣକ ଏହା କହିଛନ୍ତି।
ବାଜିଲାନି ଶଙ୍ଖମହୁରୀ। ସଜା ହେଲାନି ବେଦି କି ଜଳିଲାନି ହୋମ ନିଆଁ। ଦେବୀ ମନ୍ଦିରରେ ମା’ ଦୁର୍ଗାଙ୍କୁ ସାକ୍ଷୀ ରଖି ସାତ ଜନ୍ମ ପାଇଁ ସାଥୀ ହେଲେ କେନ୍ଦ୍ରାପଡ଼ାର ଦୁଇ ଯୁବତୀ। ପାଟକୁରା ଥାନା ଅଞ୍ଚଳରେ ଏହି ସମଲିଙ୍ଗୀ ବିବାହକୁ ନେଇ ଏବେ ଚର୍ଚ୍ଚା।
ନିରାଡମ୍ବର ଥିଲା ବାହାଘର। ଓଡ଼ିଆ ଘରର ବାହାଘର ପରି ରୀତିନୀତି ବି ନ ଥିଲା। ହାତଗଣ୍ଠି ପଡ଼ି ନ ଥିଲା, କଉଡ଼ି ଖେଳ ବି ହୋଇନଥିଲା । ଏପରିକି ହୋମ ମଧ୍ୟ ହୋଇନଥିଲା। ମନ୍ଦିରରେ କେବଳ ପରସ୍ପର ବେକରେ ବରଣମାଳା ପିନ୍ଧାଇ, ମଥାରେ ସିନ୍ଦୂର ଦେଇ ଦୀର୍ଘ ବର୍ଷର ପ୍ରେମକୁ ସାର୍ଥକ କରିଛନ୍ତି ଏହି ଦୁଇ ଯୁବତୀ। ଗତ ମେ’ ୨୭ରେ କରିଲୋପାଟଣା ଦୁର୍ଗାଦେବୀଙ୍କ ମନ୍ଦିରରେ ଏହି ବିବାହ ସମ୍ପନ୍ନ ହୋଇଛି।
୧୦ ବର୍ଷ ପୂର୍ବରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ତେବେ ଗତ ୩ ମାସ ହେଲା ଉଭୟେ କେଉଁଆଡେ ଫେରାର ହୋଇଯାଇଥିଲେ। ଏନେଇ ପାଟକୁରା ଥାନାରେ ଅଭିଯୋଗ ପରେ ପୋଲିସ ଏକ ନିଖୋଜ ମାମଲା ରୁଜୁ କରିଥିଲା।