ଖୋଲା ଆକାଶ ତଳେ ରାତି କଟାଉଛନ୍ତି ନିରାଶ୍ରୟ

ଭୁବନେଶ୍ୱର: ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଅତ୍ୟଧିକ ଥଣ୍ଡା ଯୋଗୁ ଜନଜୀବନ ପ୍ରଭାବିତ ହୋଇଛି। ଏସବୁକୁ ଆଖି ଆଗରେ ରଖି ରାଜ୍ୟର ବିଭିନ୍ନ ସ୍ଥାନରେ ସରକାରଙ୍କ ପକ୍ଷରୁ ରାତ୍ରୀ ଆଶ୍ରୟସ୍ଥଳୀ ଖୋଲା ଯାଇଛି। ତେବେ ଏହି ହାଡ଼ଭଙ୍ଗା ଶୀତରେ ବ୍ରହ୍ମପୁରରେ ନିରାଶ୍ରୟ ଲୋକେ ବହୁତ କଷ୍ଟରେ ରାତ୍ରୀ ଯାପନ କରୁଥିବା ଦେଖିବାକୁ ମିଳିଛି।

 

ପ୍ରବଳ ଥଣ୍ଡା ସାଙ୍ଗକୁ କୋହଲା ପବନ। ଜାଡ଼ରେ ଦେହ ଥରି ଯାଉଥବା ବେଳେ ରାତିରେ ଷ୍ଟେସନ୍‌ ବାହାରେ ଅନେକ ଲୋକ ଶୋଇଥିବା ଦେଖିବାକୁ ମିଳିଛି। କାହା ପାଖରେ କୁକୁର ଶୋଇଛି ତ ଆଉ କାହାର ଛୁଆ ଥଣ୍ଡାରେ ମା’ ପାଖରେ ଶୋଇଛି।

ସେହିଭଳି କେହି ଟ୍ରେନ୍‌କୁ ଅପେକ୍ଷା କରିଛନ୍ତି ତ ଆଉ କାହାର ଘର ନଥିବା ଯୋଗୁ ଷ୍ଟେସନ୍‌ର ପିଣ୍ଡା ବାଛି ନେଇଛନ୍ତି। ଏପରିକି ନିରାଶ୍ରୟଙ୍କ ପାଇଁ ସରକାର ଖୋଲିଥବା ଆଶ୍ରୟ ସ୍ଥଳୀ ସମ୍ପର୍କରେ ମଧ୍ୟ ସେମାନେ କିଛି ଜାଣି ନାହାନ୍ତି। ବ୍ରହ୍ମପୁର ସହରର ରେଳ ଷ୍ଟେସନ୍‌ରେ ଏଭଳି ଚିତ୍ର ଦେଖିବାକୁ ମିଳିଛି।

କେବଳ ରେଳ ଷ୍ଟେସନ ନୁହେଁ, ନୂଆ ବସ୍‌ଷ୍ଟାଣ୍ଡ୍‌ ଓ ପୁରୁଣା ବସ୍‌ଷ୍ଟାଣ୍ଡ୍‌ରେ ବି ସମାନ ଅବସ୍ଥା। ମୁଣ୍ଡ ଗୁଞ୍ଜିବାକୁ ବସ୍‌ଷ୍ଟାଣ୍ଡ୍‌କୁ ନିଜ ଘର ଭାବେ ବାଛି ନେଇଛନ୍ତି ଏହି ନିରାଶ୍ରୟ। ପୁଣି କେହି ରାସ୍ତା କଡ଼ରେ ନିଆଁ ପାଖରେ ବସି ଥିବାବେଳେ ଦିନ ଯାକ ପରିଶ୍ରମ କରି ଥକି ପଡ଼ିଥିବା ରିକ୍ସା ଚାଳକ ରିକ୍ସା ଉପରେ ଶୋଇ ପଡ଼ିଛି। ସେପଟେ ଆଶ୍ରୟସ୍ଥଳୀ ଭିତରେ ଚୌକିଦାର ତାଲା ପକାଇ ଶୋଇ ପଡ଼ିଛି।

ତେବେ ଗରିବ ଏବଂ ବୃଦ୍ଧ ବୃଦ୍ଧାଙ୍କ ପାଇଁ ଆଶ୍ରୟ ସ୍ଥଳୀ ନିର୍ମାଣ ହୋଇଛି ବୋଲି ମହାନଗର ନିଗମ କମିଶନର କହିଛନ୍ତି।

You might also like