କାଲିଠୁ ରାଜ୍ୟରେ ଅନ୍‌ଲାଇନରେ ମିଳିବ ମଦ: ଲାଗିଲା କୋଭିଡ୍‌ ଟ୍ୟାକ୍ସ

ଭୁବନେଶ୍ୱର: ଆସନ୍ତାକାଲିଠୁ ରାଜ୍ୟରେ ଅନ୍‌ଲାଇନରେ ମଦ ବିକ୍ରି ଆରମ୍ଭ ହେବ। ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁମତି ମିଳିଛି। ଅନ୍‌ଲାଇନ୍‌ ଓ ଅଫ୍ ଲାଇସେନ୍ସ ପ୍ରାପ୍ତ ଦୋକାନୀ ମଦର ହୋମ୍‌ ଡେଲିଭରି ଦେଇପାରିବେ ବୋଲି ସରକାର ସ୍ପଷ୍ଟ କରିଛନ୍ତି। କଣ୍ଟେନମେଣ୍ଟ ଜୋନ୍‌ ବ୍ୟତୀତ ଅନ୍ୟ ସବୁ ସ୍ଥାନରେ ମଦର ହୋମ୍‌ ଡେଲିଭରି ହୋଇପାରିବ ବୋଲି କୁହାଯାଇଛି।

ତେବେ ପୂର୍ବଥର ଅପେକ୍ଷା ଏଥର ମଦର ଦାମ୍‌ ଆକାଶ ଛୁଆଁ ହୋଇପାରେ। କାରଣ ମଦର ଦାମ୍‌ ସହିତ ଲାଗିଛି ଏକ ନୂଆ ଅତିରିକ୍ତ ଫି। ବିଦେଶୀ ମଦ ଓ ବିୟର ଉପରେ ସରକାର ଲଗାଇଛନ୍ତି କୋଭିଡ୍‌ ଫି।  ଏକାଥରକେ ମଦର ଦାମ୍‌ର ୫୦ ପ୍ରତିଶତ କୋଭିଡ୍ ଫି ଲଗାଇଛନ୍ତି ସରକାର। ଏହି ଟ୍ୟାକ୍ସ ଟଙ୍କା କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ଲାଗିବ ବୋଲି ସରକାର ପକ୍ଷରୁ ସୂଚନା ମିଳିଛି।

କରୋନା ଭାଇରସ ପାଇଁ ସାମାଜିକ ଦୂରତାକୁ ନଜରରେ ରଖି ମଦର ଡେଲିଭରି ଦେବା ପାଇଁ ନୂଆ ବ୍ୟବସ୍ଥା ହୋଇଛି। ଏହି ଅନୁସାରେ ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ ସପ୍‌ରେ ଏକ ଡିସ୍‌ପ୍ଲେ ରହିବ। ଏହି ଡିସ୍‌ପ୍ଲେରେ ଫୋନ୍‌ ନମ୍ବର, ହ୍ୱାଟ୍ସଆପ୍‌ ନମ୍ବର, ଓ ଇ-ମେଲ୍‌ ଆଇଡି ମଧ୍ୟ ରହିବ।

OSBC(osbc.co.in) ଏହି ୱେବ୍‌ସାଇଟ୍‌ରେ ସମସ୍ତ ପ୍ରକାର ମଦର ମୂଲ୍ୟ ସହିତ ଜିଲ୍ଲାୱାରୀ ତଥ୍ୟ ମଧ୍ୟ ରହିବ। ରିଟେଲର ମଧ୍ୟ ଏହି ହୋମ୍ ଡେଲିଭର ବ୍ୟବସ୍ଥାରେ ମଦ ପାଇପାରିବେ। ତେବେ ଦୋକାନ ସାମ୍ନାରେ ଯେମିତି ଭିଡ଼ ନ ଲାଗେ ସେ ନେଇ ସରକାରଙ୍କ ପକ୍ଷରୁ ସର୍ତ୍ତ ରଖାଯାଇଛି।

ମଦ ପାଇଁ କେତେ ଟଙ୍କା ?

୧ ହଜାର ପର୍ଯ୍ୟନ୍ତ ମଦ ଅର୍ଡର କଲେ ଡେଲିଭରି ଚାର୍ଜ ୧୦୦ ଟଙ୍କା ଦେବାକୁ ପଡ଼ିବ। ତା’ପରେ ପ୍ରତି ୫ଶହ ଟଙ୍କାର ଅତିରିକ୍ତ ଅର୍ଡର ପାଇଁ ୨୫ ଟଙ୍କା ଦେବାକୁ ପଡ଼ିବ। ହୋମ୍ ଡେଲିଭରି ଚାର୍ଜ ୩ ଶହ ଟଙ୍କାରୁ ଅଧିକ ହୋଇପାରିବନି। ସକାଳ ୭ଟାରୁ ସଂଧ୍ୟା ୬ଟା ମଧ୍ୟରେ ହେବ ହୋମ୍ ଡେଲିଭରି ହୋଇପାରିବ। ଅର୍ଡର କରିବାର ୬ ଘଣ୍ଟା ମଧ୍ୟରେ ହୋମ୍‌ ଡେଲିଭରି ଦିଆଯିବ।

ଅନ୍‌ଲାଇନ୍‌ ମଦ ବିକ୍ରି ବ୍ୟବସ୍ଥାକୁ ସ୍ୱାଗତ କରିଛନ୍ତି କଟକର ବିଦେଶୀ ମଦ ବ୍ୟବସାୟୀ ମାଲିକ ସଂଘ। ତେବେ ଗତକାଲି କେବଳ ଅନ୍‌ଲାଇନ ନୁହେଁ ଅଫଲାଇନ୍‌ରେ ବି ମଦ ବିକ୍ରି କରିବାକୁ ଅନୁମତି ଦେବାକୁ ସଂଘ ଦାବି କରିଥିଲା।

 

You might also like