ଆଜି ଉଦ୍‌ଘାଟିତ ହେବ ବହୁ ପ୍ରତୀକ୍ଷିତ ହକି ବିଶ୍ୱକପ୍

ଭୁବନେଶ୍ୱର: ଆଜି ଉଦ୍‌ଘାଟିତ ହେବ ବହୁ ପ୍ରତୀକ୍ଷିତ ହକି ବିଶ୍ୱକପ୍। କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ଉଦ୍‌ଘାଟନୀ ସମାରୋହ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।

ଏଥିରେ ବଲିଉଡ୍ ସୁପର ଷ୍ଟାର ଶାହରୁଖ ଖାନ୍‌, ମାଧୁରୀ ଦୀକ୍ଷିତଙ୍କ ସମେତ ସଙ୍ଗୀତ ନିର୍ଦ୍ଦେଶକ ଏ.ଆର୍. ରହମାନ୍‌ ଯୋଗ ଦେବେ। ଲାଇଭ ଶୋ’ରେ ରହମାନ୍‌ ପରିବେଷଣ କରିବେ ହକି ବିଶ୍ୱକପର ଆନ୍ଥେମ୍ ‘ଜୟହିନ୍ଦ୍ ଇଣ୍ଡିଆ’। ତା’ସାଙ୍ଗକୁ ହକିପ୍ରେମୀଙ୍କ ହୋସ୍ ଉଡ଼ାଇବେ ଦେଶ ବିଦେଶର ପ୍ରାୟ ୧୮୦୦ କଳାକାର। ଉଦ୍‌ଘାଟନୀ ମଞ୍ଚରେ ଦେଖିବାକୁ ମିଳିବ ଭାରତର ସବୁ ପ୍ରାନ୍ତର ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତର ଝଲକ।

ସୁରକ୍ଷା ବଳୟରେ ରାଜଧାନୀ

ହକି ବିଶ୍ୱକପ୍ ପାଇଁ ପୂରା ରାଜଧାନୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣକ ରାଯାଇଛି। ଷ୍ଟାଡିୟମ୍ , ଟ୍ରାଫିକ୍ ଓ ପାର୍କିଂ ଏବଂ ସହରର ଆଭ୍ୟନ୍ତରୀଣ ଅଞ୍ଚଳ ଏମିତି ୪ଟି ଭାଗରେ ନିରାପତ୍ତା ବ୍ୟବସ୍ଥାକୁ କମିଶନରେଟ୍ ପୁଲିସ୍‌ ପରିଚାଳନା କରିବ।

ଆଜିର ମେଗା କାର୍ଯ୍ୟକ୍ରମ ଲାଗି ୭୫ ପ୍ଲାଟୁନ୍ ପୁଲିସ୍‌ ଫୋର୍ସ ମୁତୟନ ରହିବେ। ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ଜନତା ମୈଦାନ, ନୟାପଲ୍ଲୀ ଦୁର୍ଗାପୂଜା ଓ ରାବଣ ପୋଡ଼ି ପଡ଼ଇା, ଶାସ୍ତ୍ରୀ ନଗର, ନିକୋ ପାର୍କ ରୋଡ୍, ଓଲ୍ଡ ଏଜି କଲୋନୀ, ଇଡକଲ୍ ଗ୍ରାଉଣ୍ଡ ସମେତ କଳିଙ୍ଗ ଷ୍ଟାଡିୟମରେ ୩ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ଜନତା ମୈଦାନରୁ କଳିଙ୍ଗ ଷ୍ଟାଡିୟମକୁ ଦର୍ଶକଙ୍କ ଯିବା ଆସିବା ଲାଗି ସ୍ୱତନ୍ତ୍ର ଭାବେ ୧୫ଟି ବସ୍ ଚଳାଚଳ କରିବ।

ଉଦ୍‌ଘାଟନୀ ସମାରୋହ ପାଇଁ ଭୁବନେଶ୍ୱରର ସବୁ ଶିକ୍ଷାନୁଷ୍ଠାନ ଆଜି ବନ୍ଦ ରହିବ। ସେହିଭଳି ରାଜ୍ୟର ଅନ୍ୟ ସବୁ ଶିକ୍ଷାନୁଷ୍ଠାନ, ସରକାରୀ କାର୍ଯ୍ୟାଳୟ, ଦିନ ସାଢେ ୧ ଗୋଟାଏରୁ ବନ୍ଦ ରହିବ। ଉଦ୍‌ଘାଟନୀ ଉତ୍ସବର ପରଦିନ ବୁଧବାର କଟକ ବାରବାଟୀରେ ବି ଆଉ ଏକ ରଙ୍ଗାରଙ୍ଗ ଉଦଘାଟନୀ ଉତ୍ସବର ଆୟୋଜନ କରାଯାଇଛି।

You might also like